ଭେନେଜୁଏଲାରେ ଥିବା ଆମେରିକା ଦୂତାବାସରେ ୭ ବର୍ଷ ପରେ ଉଢିଲା ଆମେରିକୀୟ ପତାକା
ଆମେରିକା ସମ୍ପ୍ରତି ଇରାନ ସହ ଏକ ବଡ଼ ସଂଘର୍ଷରେ ଫସି ରହିଛି। ଏଥିରେ ନିଜର ଅନେକ ସୈନିକ ସହିଦ ହୋଇଛନ୍ତି। ଇରାନ ମଧ୍ୟପ୍ରାଚ୍ୟରେ ଥିବା ଅନେକ ଆମେରିକୀୟ ସାମରିକ ଘାଟି ଉପରେ ଆକ୍ରମଣ କରିଛି । ଏହି ଘଟଣାଗୁଡ଼ିକ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ କିଛି ଆଶ୍ୱସ୍ତିକର ଖବର ଆସିଛି ।୨୦୧୯ ପରେ ଗତ ସାତ ବର୍ଷ ପରେ ପ୍ରଥମ ଥର ପାଇଁ ଭେନେଜୁଏଲାରେ ଥିବା ଆମେରିକୀୟ ଦୂତାବାସ ଉପରେ ଆମେରିକାର ପତାକା ଉତ୍ତୋଳନ କରାଯାଇଛି । ଏହି ପଦକ୍ଷେପ ଦୁଇ ଦେଶର ସମ୍ପର୍କରେ ଏକ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି। ଜାନୁଆରିରେ ପୂର୍ବତନ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଆମେରିକୀୟ ସୈନ୍ୟମାନେ ବନ୍ଦୀ କରିବା ପରେ ଦୁଇଦେଶ ମଧ୍ୟରେ ନୂଆ ସମ୍ପର୍କ ଆରମ୍ଭ ହୋଇଥିଲା ।

ମାଦୁରୋଙ୍କ ଉତ୍ତରାଧିକାରୀ କାର୍ୟ୍ୟକାରୀ ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜଙ୍କୁ ସମର୍ଥନ କରି ଟ୍ରମ୍ପ ବିବୃତି ଦେବା ପରେ ଦୂତାବାସ ପୁନର୍ବାର ଖୋଲିବା ନିଷ୍ପତ୍ତି ନିଆଯାଇଛି । ଡେଲସି ରୋଡ୍ରିଗେଜ ଆମେରିକୀୟ ସରକାରଙ୍କ ସହିତ ଆଲୋଚନା ବଜାୟ ରଖିବାକୁ ଚେଷ୍ଟା କରୁଛନ୍ତି। ଆମେରିକୀୟ ଦୂତାବାସ ନିଜର ସାମାଜିକ ଗଣମାଧ୍ୟମ ଚ୍ୟାନେଲଗୁଡ଼ିକରେ ଏକ ବିବୃତି ଜାରି କରି କହିଛି, ପତାକାକୁ ଠିକ୍ ସାତ ବର୍ଷ ପରେ ପୁଣି ଉତ୍ତୋଳନ କରାଯାଇଛି।ଦୂତାବାସର ପୁନର୍ବାର ଖୋଲିବାକୁ ଦେଶର ଜନସାଧାରଣ ସମର୍ଥନ କରିଛନ୍ତି । ଅନ୍ୟ ଦେଶଗୁଡ଼ିକ ମଧ୍ୟ ଫେରି ଆସିବା ଉଚିତ, କାରଣ ଦେଶକୁ ପ୍ରଗତି ଆବଶ୍ୟକ। ବିଶ୍ୱର ଅନ୍ୟାନ୍ୟ ଦେଶ ସହିତ ଭଲ ସମ୍ପର୍କ ସ୍ଥାପନ କରି ଆଗକୁ ବଢ଼ିବା ଅତ୍ୟନ୍ତ ଜରୁରୀ ବୋଲି ଜନସାଧାରଣ କହିଛନ୍ତି ।
ଏହି ପଦକ୍ଷେପ ସତ୍ତ୍ୱେ, ଭେନେଜୁଏଲା ସମାଜ ଏବଂ ରାଜନୈତିକ ପ୍ରତିଷ୍ଠାନର ଏକ ବଡ଼ ଅଂଶ ଟ୍ରମ୍ପଙ୍କୁ ସମାଲୋଚନା କରୁଛନ୍ତି। ସେମାନେ ମାଦୁରୋଙ୍କୁ ପଦରୁ ହଟାଇବା ଓ ତାଙ୍କୁ ତଥା ତାଙ୍କ ପତ୍ନୀଙ୍କୁ ନ୍ୟୁୟର୍କରେ ଅଟକ ରଖିବାର ନିଷ୍ପତ୍ତି ଏବଂ ଦେଶର ତୈଳ ଶିଳ୍ପରେ ଆମେରିକାର ବୃଦ୍ଧି ପାଉଥିବା ପ୍ରଭାବକୁ ନିନ୍ଦା କରୁଛନ୍ତି । ୩ ଜାନୁଆରି ରେ, ଆମେରିକା ଅପରେସନ୍ ଆବସୋଲ୍ୟୁଟ୍ ରିଜଲ୍ଭ ଅନ୍ତର୍ଗତ ସାମରିକ ଅଭିଯାନ ଚଳାଇ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ବନ୍ଧକ କରିଥିଲା ।












Click it and Unblock the Notifications