Get Updates
Get notified of breaking news, exclusive insights, and must-see stories!

ଶ୍ରୀମନ୍ଦିର ପରିକ୍ରମା ଯୋଜନା ସାଢେ ଚାରିକୋଟି ଓଡିଶାବାସୀଙ୍କର ନିଜ ଯୋଜନା : ନବୀନ ପଟ୍ଟନାୟକ

ବିଧାନସଭାରେ ପାରିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ଯୋଜନା ପ୍ରସ୍ତାବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଉପରେ ସଂକଳ୍ପ ପ୍ରସ୍ତାବ ଆଣିବା ପରେ, ସର୍ବସମ୍ମତିକ୍ରମେ ଏହା ପାରିତ ହୋଇଛି ।

ଭୁବନେଶ୍ବର : ବିଧାନସଭାରେ ପାରିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ଯୋଜନା ପ୍ରସ୍ତାବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଉପରେ ସଂକଳ୍ପ ପ୍ରସ୍ତାବ ଆଣିବା ପରେ, ସର୍ବସମ୍ମତିକ୍ରମେ ଏହା ପାରିତ ହୋଇଛି । ଶ୍ରୀମନ୍ଦିର ପରିକ୍ରମା ଯୋଜନା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାକୁ ଭର୍ଚୁଆଲ ମାଧ୍ୟମରେ ବିବୃତ୍ ଦେଇ ଏଥିରେ ତିନୋଟି ବିଷୟକୁ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି । ଶ୍ରୀମନ୍ଦିର ନିରାପତ୍ତା, ମନ୍ଦିରକୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ନିରାପତ୍ତାକୁ ଗୁରୁତ୍ୱ ଦିଆଯିବା ସହ ଭକ୍ତଙ୍କ ପାଇଁ ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶକୁ ଗୁରୁତ୍ୱ ଦିଆଯାଇଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ବାଚନିକ ଭୋଟରେ ସଂକଳ୍ପ ପାରିତ ନେଇ ବାଚସ୍ପତି ଘୋଷଣା କରିଛନ୍ତି ।

Puri-Temole

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ଯୋଜନା ପ୍ରସ୍ତୁତି ଲାଗି ଗଜପତି ମହାରାଜା ଦିବ୍ୟସିଂହ ଦେବ, ପଦ୍ମଭୂଷଣ ରଘୁନାଥ ମହାପାତ୍ର ଓ ଗବେଷକ ଡ.ସୁବାସ ପାଣିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ବ୍ୟତୀତ ସେ ଏହି ଯୋଜନା କାର୍ଯ୍ୟକାରୀ ହେବାରେ ସହଯୋଗ କରିଥିବା ଶ୍ରୀମନ୍ଦିରର ସେବାୟତ ଓ ପୁରୀ ଜନସାଧାରଣ ସମେତ ସମଗ୍ର ଓଡ଼ିଶାର ସାଢ଼େ ଚାରିକୋଟି ଜନତାଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା ସଂକଳ୍ପ ପ୍ରସ୍ତାବ ଆଗତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଆ ଜାତିର ସବୁଠାରୁ ବଡ ପରିଚୟ ହେଉଛନ୍ତି ଶ୍ରୀଜଗନ୍ନାଥ । ଆମ ଇତିହାସ, ସଂସ୍କୃତି, ପରମ୍ପରା ଓ ଆମ ବିଶ୍ୱାସ ସବୁ କିଛି ମହାପ୍ରଭୁଙ୍କୁ କେନ୍ଦ୍ର କରି ଗଢି ଉଠିଛି । ସେ ହେଉଛନ୍ତି ଓଡିଆ ଅସ୍ମିତାର ପ୍ରତୀକ । ଆମର ସୌଭାଗ୍ୟ ଯେ ଆମ ସମୟରେ ହିଁ ମହାପ୍ରଭୁଙ୍କ ଧାମର ବିକାଶ ପାଇଁ ସେ ଆମକୁ ସୁଯୋଗ ଦେଇଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଥିବାସବୁ ଭକ୍ତ ଏବଂ ଜଗନ୍ନାଥ ପ୍ରେମୀ ସମସ୍ତଙ୍କ ହୃଦୟରେ ଗୋଟିଏ ଇଚ୍ଛା ଥାଏ ଯେ ସେମାନେ କିପରି ଏକ ଶାନ୍ତ, ସୁନ୍ଦର ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଜଗନ୍ନାଥ ମନ୍ଦିରକୁ ଜୀବନକାଳ ମଧ୍ୟରେ ଥରୁଟିଏ ଆସିବା ଏବଂ ମହାପଭୁଙ୍କ ଟିକିଏ ଝଲକ ପାଇବା ହେଉଛି ଲକ୍ଷ ଲକ୍ଷ ଭକ୍ତଙ୍କର ଜୀବନର ଏକମାତ୍ର ପ୍ରାର୍ଥନା । ସବୁ ଭକ୍ତ ଯେଭଳି ଏକ ଦିବ୍ୟ ଅନୁଭବ ନେଇ ଫେରିବେ ତାହା ଆମ ସମସ୍ତଙ୍କର ଦାୟିତ୍ୱ ।

ଏହି ପରିପ୍ରେକ୍ଷୀରେ ଯେତେବେଳେ ଜଷ୍ଟିସ୍ ବି.ପି.ଦାସ କମିଟି ଶ୍ରୀମନ୍ଦିର ନିରାପତ୍ତା କରିଡର ପାଇଁ ସୁପାରିଶ କଲେ, ସେତେବେଳେ ତିନୋଟି ଲକ୍ଷ୍ୟ ନେଇ ଶ୍ରୀମନ୍ଦିର ପରିକ୍ରମା ଯୋଜନା ବିଷୟ ଚିନ୍ତା କରାଯାଇଥିଲା ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ଏଥିରେ ଶ୍ରୀମନ୍ଦିରର ନିରାପତ୍ତା, ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତମାନଙ୍କର ନିରାପତ୍ତା ଓ ଭକ୍ତମାନଙ୍କ ପାଇଁ ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଥିଲା ମୁଖ୍ୟ ଉଦ୍ଦେଶ୍ୟ ।

ସାଧାରଣଭାବେ ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେଇଥାନ୍ତି । ମୁଁ ଦୃଢ ବିଶ୍ୱାସ କରେ ଯେ ଏହି ଯୋଜନା କେବଳ ସରକାରଙ୍କର ନୁହେଁ, ଶ୍ରୀମନ୍ଦିର ପ୍ରଶାସନର ମଧ୍ୟ ନୁ୍ହେଁ । ଏ ଯୋଜନା ହେଉଛି ସାଢେ ଚାରିକୋଟି ଓଡିଶାବାସୀଙ୍କର ନିଜ ଯୋଜନା ଏବଂ ଏହି ପବିତ୍ର ଗୃହ ସାଢେ ଚାରିକୋଟି ଓଡିଆଙ୍କର ପ୍ରତିନିଧିତ୍ୱ କରୁଛି । ତେଣୁ ଆପଣମାନଙ୍କ ଜରିଆରେ ଓଡିଶାର ଜନସାଧାରଣଙ୍କ ନିକଟରେ ଶ୍ରୀମନ୍ଦିର କରିଡର ଯୋଜନା ଉପସ୍ଥାପନ କରି ମୁଁ ନିଜକୁ ଧନ୍ୟ ମନେକରୁଛି ।

ସେ ଆହୁରି ମଧ୍ୟ କହିଛନ୍ତି, ଏହା ହେଉଛି ଓଡିଆ ଜାତି ପାଇଁ ତଥା ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ ମୂହୁର୍ତ୍ତ । ଏଭଳି ସୁଯୋଗ ବହୁତ କମ୍‌ ଆସେ । ପୁରୁଷ ପୁରୁଷ ପରେ, ବହୁ ଯୁଗ ପରେ ଏଭଳି ମୂହୁର୍ତ୍ତ ଆସେ । ଆମେ ସମସ୍ତେ, ସାରା ଓଡିଶାବାସୀ ମିଳିତ ଭାବରେ ଆଜି ଏହି ଅନନ୍ୟ ମୂହୁର୍ତ୍ତର ଅଂଶ ପାଲଟି ଯାଇଛେ । ଶ୍ରୀମନ୍ଦିର ହେଉଛି ଆମର ଅଧ୍ୟାତ୍ମିକ ଐତିହ୍ୟର କେନ୍ଦ୍ର ଯାହାକି ପୁରୁଷ ପୁରୁଷ ଧରି ଉତ୍ତରାଧିକାରୀ ସୂତ୍ରରେ ଆମେ ପାଇଛେ । ଏହି ଅମୂଲ୍ୟ ସମ୍ପଦକୁ ଆମେ ଉତ୍ତରାଧିକାରୀ ସୂତ୍ରରେ ଆମର ଭବିଷ୍ୟତ ବଂଶଧରମାନଙ୍କ ପାଇଁ ସାଇତି ରଖିଛୁ । ଏହି ସ୍ପିରିଟ୍‌ ନେଇ ଆମକୁ ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ଦେଖିବାକୁ ହେବ ଏବଂ ମିଳିତ ଭାବରେ କାମ କରି ତାକୁ ସାକାର କରିବାକୁ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ଏହି ପରିପ୍ରେକ୍ଷୀରେ ମୁଁ ତିନୋଟି ପ୍ରସ୍ତାବ ଆପଣମାନଙ୍କ ବିଚାର ପାଇଁ ରଖୁଛି : 1) ମହାପ୍ରଭୁଙ୍କର ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ସଂପୂର୍ଣ୍ଣ କରିବା ପାଇଁ ଆମେ ସମସ୍ତେ ସଂକଳ୍ପ ନେଇ କାମ କରିବା ଏବଂ କାମ ଶିଘ୍ର ଶେଷ କରିବା ପାଇଁ ନିଷ୍ଠାର ସହିତ ଉଦ୍ଦ୍ୟମ କରିବା; 2) ପ୍ରତ୍ୟେକ ଓଡିଆ, ପ୍ରତି ଜଗନ୍ନାଥ ପ୍ରେମୀ ସମସ୍ତଙ୍କ ହୃଦୟରେ ଗୋଟିଏ ଇଚ୍ଛା, ମହାପ୍ରଭୁଙ୍କର ଏହି କାର୍ଯ୍ୟରେ ସାମିଲ ହେବା ତଥା ଏଥିରେ ନିଜର କିଛି ଅବଦାନ ରଖିବା । ଏଥିପାଇଁ ଆମେ ସମସ୍ତଙ୍କୁ ସୁଯୋଗ ଦେବା ଏବଂ 3) ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ତ୍ୟାଗ କରିଥିବା ପୁରୀବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇବା।

ଓଡିଆ ସ୍ୱାଭିମାନ ପାଇଁ ଯେଉଁ ମହାପ୍ରଭୁ ଦିନେ କାଞ୍ଚି ଅଭିଯାନରେ ବାହାରି ଥିଲେ, ଭକ୍ତର ମାନ ରକ୍ଷା ପାଇଁ ଯେଉଁ ମହାପ୍ରଭୁ ନନ୍ଦିଘୋଷ ଛାଡି ବାଲି ରଥରେ ବିଜେ କରିଥିଲେ, ସେ କାଳିଆ ଠାକୁର ଜଗନ୍ନାଥଙ୍କ ସେବାରେ, ତାଙ୍କ ଧାମର ବିକାଶରେ ଆମେ ଯଦି କିଛି ବି ଅବଦାନ ରଖିପାରିବା, ତେବେ ଜଣେ ଓଡିଆ ଭାବରେ ଏହା ହେବ ଆମର ଶ୍ରେଷ୍ଠ ସୌଭାଗ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+