Get Updates
Get notified of breaking news, exclusive insights, and must-see stories!

ବାତ୍ୟା ‘ୟାସ' ପ୍ରଭାବିତ କୃଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପ୍ୟାକେଜ ଘୋଷଣା

33% ବା ତାଠାରୁ ଅଧିକ ଫସଲ କ୍ଷତି ସହିଥିବା ଛୋଟ ଓ ନାମମାତ୍ର ଚାଷୀଙ୍କ ପାଇଁ ଇନପୁଟ ସହାୟତା ଘୋଷଣା କରିଥିବା ବେଳେ 33 % ବା ଅଧିକ କ୍ଷତି ସହିଥିବା ଛୋଟ ଓ ନାମମାତ୍ର ଚାଷୀଙ୍କ ସ୍ଵଳ୍ପ ମିଆଦୀଋଣ ମଧ୍ୟମ ମିଆଦୀ ଋଣକୁ ପରିବର୍ତ୍ତନ କରିଛନ୍ତି ।

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳର କୃଷକ ମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି । 33% ବା ତାଠାରୁ ଅଧିକ ଫସଲ କ୍ଷତି ସହିଥିବା ଛୋଟ ଓ ନାମମାତ୍ର ଚାଷୀଙ୍କ ପାଇଁ ଇନପୁଟ ସହାୟତା ଘୋଷଣା କରିଥିବା ବେଳେ 33 % ବା ଅଧିକ କ୍ଷତି ସହିଥିବା ଛୋଟ ଓ ନାମମାତ୍ର ଚାଷୀଙ୍କ ସ୍ଵଳ୍ପ ମିଆଦୀଋଣ ମଧ୍ୟମ ମିଆଦୀ ଋଣକୁ ପରିବର୍ତ୍ତନ କରିଛନ୍ତି । କୃଷି ଯାନ୍ତ୍ରିକୀକରଣ ପାଇଁ କୋଡ଼ିଏ କୋଟି ଟଙ୍କାର ରିହାତି ସହାୟତା ଘୋଷଣା କରିଛନ୍ତି। ମେ 26 ତାରିଖ ଦିନ ବାତ୍ୟା ୟାସ ଯୋଗୁଁ ଅନେକ ଜିଲ୍ଲାରେ ଫସଲ ନଷ୍ଟ ହେବା ସହିତ ପଶୁସମ୍ପପଦ, ମତ୍ସ୍ୟ, ହସ୍ତତନ୍ତ ଓ ରେଶମ ଚାଷ ଆଦି ବିଭିନ୍ନ କ୍ଷେତ୍ରରେ ବ୍ୟାପକ କ୍ଷତି ହୋଇଛି । ଚାଷୀ ମାନଙ୍କର କ୍ଷତି ଭରଣା ପାଇଁ ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା କରି ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Naveen Patnaik

ବାତ୍ୟା ୟାସରେ କୃଷିକ୍ଷେତ୍ରରେ 33 ପ୍ରତିଶତ ବା ଅଧିକ କ୍ଷତି ହୋଇଥିବା ଫସଲ ପାଇଁ ଅଣଜଳସେଚିତ ଅଞ୍ଚଳରେ ଛୋଟ ଓ ନାମମାତ୍ର ଚାଷୀ ଙ୍କୁ ହେକ୍ଟର ପିଛା 6800 ଟଙ୍କା ଇନ୍‌ପୁଟ ସବ୍‌ସିଡି ଦିଆଯିବ । ଜଳସେଚିତ ଅଞ୍ଚଳରେ ହେକ୍ଟର ପିଚ୍ଛା 13,500 ଟଙ୍କା ଏବଂ ସମସ୍ତ ପ୍ରକାର ସବୁଦିନିଆ ଫସଲ ପାଇଁ ହେକ୍ଟର ପିଛା 18,000 ଟଙ୍କା ଇନ୍‌ପୁଟ ସବ୍‌ସିଡି ଦିଆଯିବ । ସବୁଦିନିଆ ଫସଲ ପାଇଁ ଚାଷୀ ମାନଙ୍କୁ ସର୍ବନିମ୍ନ 2000 ଟଙ୍କା ଓ ଅନ୍ୟ ଫସଲ ପାଇଁ ସର୍ବନିମ୍ନ 1000 ଟଙ୍କା ଇନ୍‌ପୁଟ ସବ୍‌ସିଡି ମିଳିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ।

ଏହା ବ୍ୟତୀତ ପ୍ରଭାବିତ ଜିଲ୍ଲାର ଚାଷୀମାନଙ୍କୁ 2021 ଖରିଫ ଋତୁ ପାଇଁ ବର୍ତ୍ତମାନ ଦିଆଯାଉଥିବା ରିହାତିର ଅଧିକ 25 ପ୍ରତିଶତ ରିହାତି ସହିତ ଦେଢ ଲକ୍ଷ କ୍ବିଣ୍ଟାଲ ଉନ୍ନତ ମାନର ପ୍ରାମାଣିକ ଧାନ ବିହନ ଯୋଗାଇ ଦିଆଯିବ । ଏହି ରିହାତି ସିଧାସଳଖ DBT ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ଦିଆଯିବ । ଖରିଫ ଋତୁରେ ଅଧିକ ଅମଳ ପାଇଁ ଏକ ଲକ୍ଷ ଏକର ଜମି ପାଇଁ ଏକ ଲକ୍ଷ ଚାଷୀଙ୍କୁ ବିହନ ବିଶୋଧନ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ । ଖରିଫ ଋତୁରେ ଧାନ,ଝୋଟ ଓ ଡାଲିଜାତୀୟ ଫସଲ ପାଇଁ ପ୍ରଭାବିତ ଅଞ୍ଚଳରେ 25 ହଜାର ଏକର ଜମିରେ ପ୍ରଦର୍ଶନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ଧାଡି ବୁଣା ଓ ଧାଡି ରୁଆ ଆଦି ଉନ୍ନତ ଚାଷ ପ୍ରଣାଳୀ ଅବଲମ୍ବନ କରୁଥିବା ଚାଷୀ ମାନଙ୍କୁ 36 ହଜାର ଏକର ଜମି ପାଇଁ ହେକ୍ଟର ପିଛା 1500 ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ । ଏହା ସହିତ 60 ହଜାର ହେକ୍ଟର ଜମିରେ ରୋଗପୋକ ମାରିବା ପାଇଁ ଆବଶ୍ୟକତା ଭିତ୍ତିରେ ଇନ୍‌ପୁଟ ସବ୍‌ସିଡି ଚାଷୀ ମାନଙ୍କ ଆକାଉଣ୍ଟକୁ ଦିଆଯିବ । ଉନ୍ନତମାନର କୃଷି ଯନ୍ତ୍ରପାତି କିଣିବାପାଇଁ ପ୍ରଭାବିତ ଜିଲ୍ଲାରେ ଚାଷୀ ମାନଙ୍କୁ 20 କୋଟି ଟଙ୍କାର ରିହାତି DBT ଜରିଆରେ ଦିଆଯିବ ବୋଲ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ପ୍ରଭାବିତ ଅଞ୍ଚଳରେ ଚାଷୀ ମାନଙ୍କୁ ରିହାତି ଦରରେ 2000 ପମ୍ପସେଟ୍‌ ଓ 3000 ସ୍ପ୍ରେୟର ଯୋଗାଇ ଦିଆଯିବ । ପମ୍ପସେଟ୍‌ ପାଇଁ 50 ପ୍ରତିଶତ ରିହାତିରେ ସର୍ବାଧିକ 15 ହଜାର ଟଙ୍କା, ପାୱାର ସ୍ପ୍ରେୟର ପାଇଁ 50 ପ୍ରତିଶତ ରିହାତିରେ ସର୍ବାଧିକ 3800 ଟଙ୍କା ଓ ହାତରେ ଚାଲୁଥିବା ସ୍ପ୍ରେୟର ପାଇଁ ସର୍ବାଧିକ 750 ଟଙ୍କା ରିହାତି ଦିଆଯିବ । ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ କେତେକ ସ୍ଥାନରେ ଜମିରେ ଲୁଣି ପାଣି ମାଡିଯାଇଥିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି । ତେଣୁ ଏପରି ଜମିର ପୋଷକତତ୍ତ୍ବର ପରିଚାଳନା ଓ ମାଟିର ମାନରେ ଉନ୍ନତି ପାଇଁ (Nutrient Management & Soil Ameliorants) ହେକ୍ଟର ପିଚ୍ଛା 750 ଟଙ୍କା ସହାୟତା ଦିଆଯିବ । ସମୁଦାୟ 10 ହଜାର ହେକ୍ଟର ଜମି ପାଇଁ ସହାୟତା ପ୍ରଦାନ କରାଯିବ ।

ସେହିପରି ପାନବରଜ ଚାଷ କରୁଥିବା 125 ଜଣ ଚାଷୀଙ୍କୁ ଜଣ ପିଚ୍ଛା 15 ହଜାର ଟଙ୍କା ପ୍ରୋତ୍ସାହନ ରାଶି DBT ଜରିଆରେ ଦିଆଯିବ । 10 ହଜାର କ୍ଷତିଗ୍ରସ୍ତ ଚାଷୀଙ୍କୁ ସେମାନଙ୍କ ବାଡିରେ ପରିବା ଚାଷ ପାଇଁ ଉନ୍ନତ ମାନର ଚାରା 115 ଟଙ୍କାରେ ଯୋଗାଇ ଦିଆଯିବ । ବାତ୍ୟାରେ କ୍ଷତିଗ୍ରସ୍ତ 50 ଟି ଛତୁ ଚାଷ ୟୁନିଟ୍‌କୁ 40 ହଜାର ଟଙ୍କା ଲେଖାଏଁ ଯୋଗାଇ ଦିଆଯିବ । ଏଥିରେ କ୍ଷତିଗ୍ରସ୍ତ ଚାଷୀମାନେ ସେମାନଙ୍କ ଛତୁ ଚାଷ ୟୁନିଟର ପୁନରୁଦ୍ଧାର କରିପାରିବେ । ଏହି ସହାୟତା ଚାଷୀର ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ପ୍ରଦାନ କରାଯିବ । କ୍ଷତିଗ୍ରସ୍ତ ଅଞ୍ଚଳର ଚାଷୀ ମାନଙ୍କୁ କିଟ୍‌ ପିଛା 110 ଟଙ୍କାର 10 ହଜାର ପରିବା ମିନି କିଟ୍‌ ମାଗଣାରେ ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜାନାରେ ବୀମାଭୁକ୍ତ ହୋଇଥିବା କ୍ଷତିଗ୍ରସ୍ତ ଚାଷୀ ମାନଙ୍କର ଦାବୀ ଯେପରି ସମାଧାନ ହୋଇପାରିବ, ସେଥିପାଇଁ ଫସଲ କଟା ରିପୋର୍ଟ ତ୍ବରାନ୍ବିତ ଭାବରେ ପ୍ରସ୍ତତ କରିବା ପାଇଁ ପଦକ୍ଷେପ ନିଆଯିବ ।

ବାତ୍ୟାରେ ଦୁଧିଆଳୀ ଗାଇ, ମଇଁଷି. ଛେଳି, ମେଣ୍ଢା ଓ କୁକୁଡା ହରାଇଥିବା ଚାଷୀ ମାନଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯିବ । ଦୁଧିଆଳୀ ଗାଇ ଓ ମଇଁଷି ପାଇଁ 30 ହଜାର ଟଙ୍କା ସହାୟତା ଘୋଷଣା କରାଯାଇଥିବା ବେଳେ, କ୍ଷୀର ଦେଉ ନଥିବା ପ୍ରାଣୀ ମାନଙ୍କ ପାଇଁ 25 ହଜାର ଟଙ୍କା ସହାୟତା (ସର୍ବାଧିକ 3ଟି ପାଇଁ) ଦିଆଯିବ । ସେହିପରି ସର୍ବାଧିକ 6 ଟି ବାଛୁରୀ ପାଇଁ - ପ୍ରତି ବାଛୁରୀ ପାଇଁ 16 ହଜାର ଟଙ୍କା, 30 ଟି ଛେଳି/ମେଣ୍ଢା ପର୍ଯ୍ୟନ୍ତ 3000 ଟଙ୍କା ଏବଂ ପ୍ରତି କୁକୁଡା ପିଚ୍ଛା 50 ଟଙ୍କା ଲେଖାଏଁ ସର୍ବାଧିକ 5000 ଟଙ୍କା ଲେଖାଏଁ ପ୍ରତି କ୍ଷତିଗ୍ରସ୍ତ ଚାଷୀଙ୍କୁ ଦିଆଯିବ । ବାତ୍ୟାରେ ଭାଙ୍ଗି ଯାଇଥିବା ଗୁହାଳର ପୁନନିର୍ମାଣ ପାଇଁ 2100 ଟଙ୍କା ସହାୟତା ଦିଆଯିବ।

ବାତ୍ୟାରେ କ୍ଷତିଗ୍ରସ୍ତ ମତ୍ସ୍ୟ ଚାଷୀଙ୍କୁ ସେମାନଙ୍କର ଆଂଶିକ ଭାବରେ ଭାଙ୍ଗିଥିବା ଡଙ୍ଗାର ମରାମତି ପାଇଁ 4100 ଟଙ୍କା, ଆଂଶିକ ଭାବରେ କ୍ଷତିଗ୍ରସ୍ତ ମାଛଧରା ଜାଲ ମରାମତି ପାଇଁ 2100 ଟଙ୍କା, ପୁରା ଭାଙ୍ଗିଯାଇଥିବା ଡଙ୍ଗା ନିର୍ମାଣ ପାଇଁ 9600 ଟଙ୍କା ଏବଂ ପୁରା ନଷ୍ଟ ହୋଇଯାଇଥିବା ମାଛଧରା ଜାଲ କ୍ଷେତ୍ରରେ 2600 ଟଙ୍କା ସହାୟତା ପ୍ରଦାନ କରାଯିବ । ବାତ୍ୟାରେ ପଟୁ ମାଟି ମାଡି ଯାଇଥିବା ମାଛ ଚାଷ ଫାର୍ମ/ ମାଛ ବିହନ ଫାର୍ମର ପୁନରୁଦ୍ଧାର ପାଇଁ ହେକ୍ଟର ପିଛା 12,200 ଟଙ୍କା ଏବଂ କ୍ଷତିଗ୍ରସ୍ତ ମାଛ ବିହନ ଫାର୍ମ ପାଇଁ ହେକ୍ଟର ପିଛା 8200 ଟଙ୍କା ଇନ୍‌ପୁଟ ସବ୍‌ସିଡି ଭାବରେ ଯୋଗାଇ ଦିଆଯିବ ।

ଏହା ବ୍ୟତୀତ ବାତ୍ୟାରେ ମଧ୍ୟ ଅନେକ ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗର କ୍ଷତିଗ୍ରସ୍ତ ହୋଇଛନ୍ତି । ତେଣୁ କ୍ଷତିଗ୍ରସ୍ତ କାରିଗର ମାନଙ୍କୁ ସେମାନଙ୍କର ଉପକରଣ ପାଇଁ 4100 ଟଙ୍କା ଏବଂ ନଷ୍ଟ ହୋଇଥିବା କଂଚା ମାଲ ତଥା ତିଆରି ହୋଇଥିବା ଜିନିଷ ପାଇଁ ପ୍ରତି କାରିଗରଙ୍କୁ 4100 ଟଙ୍କା ପ୍ରଦାନ କରାଯିବ ।

କ୍ଷତିଗ୍ରସ୍ତ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ MGNREGS ଯୋଜନାରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ଏଥିରେ ଗ୍ରାମ ପଂଚାୟତ ରାସ୍ତା, ଖେଳ ପଡିଆ, କେନାଲ, ମାଟିବନ୍ଧ ଆଦିର ମରାମତି ଓ ରକ୍ଷଣାବେକ୍ଷଣ ସହିତ ଗାଇଗୁହାଳ, ଛେଳି ଗୁହାଳ ଓ ଗୋଖାଦ୍ୟ ଚାଷ ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ । ଯୋଗ୍ୟ ହିତାଧିକାରୀଙ୍କୁ SDRF/NDRF ନିୟମ ଅନୁଯାୟୀ ଗୃହ ନିର୍ମାଣ ଓ ଅନ୍ୟ ସହାୟତା ପ୍ରଦାନ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+