ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ୍ ଏଡ୍ ବୃଦ୍ଧି, ଉପକୃତ ହେବେ 15771 ଶିକ୍ଷକ ଓ କର୍ମଚାରୀ
ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ ଇନ୍ ଏଡ୍ ବୃଦ୍ଧିକୁ ନେଇ ପ୍ରସ୍ତାବକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ୍ । ଏହା ପିଛିଲା ଭାବେ 2022 ଜାନୁଆରୀ 1 ତାରିଖରୁ ଲାଗୁହେବ ।

ଭୁବନେଶ୍ୱର : ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ ଇନ୍ ଏଡ୍ ବୃଦ୍ଧିକୁ ନେଇ ପ୍ରସ୍ତାବକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ୍ । ଏହା ପିଛିଲା ଭାବେ 2022 ଜାନୁଆରୀ 1 ତାରିଖରୁ ଲାଗୁହେବ । ଶନିବାର ଅନୁଷ୍ଠିତ ରାଜ୍ୟ ସରକାରଙ୍କ କ୍ୟାବିନେଟ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ଏହା ସହିତ 12 ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ୍ ।
ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ ଇନ୍ ଏଡ୍ ବୃଦ୍ଧି ନିଷ୍ପତ୍ତିରେ ମୋଟ 15771 ଜଣ ଶିକ୍ଷକ ଓ କର୍ମଚାରୀ ଉପକୃତ ହେବେ । ଏ ଦିଗରେ ସରକାର ବର୍ଷକୁ ପ୍ରାୟ 290 କୋଟି ଟଙ୍କା ବ୍ୟୟ କରିବେ ।
ଏହା ବ୍ୟତୀତ କ୍ୟାବିନେଟ୍ ବୈଠକରେ ଗ୍ରାମୀଣ ପାଇପ ଜଳ ଯୋଗାଣ ପାଇଁ ଦୁଇଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଯାଜପୁରର ବରୀ ଓ କୋରେଇ ବ୍ଲକରେ ଏହି ପ୍ରକଳ୍ପ ନିର୍ମାଣ ହେବ । ଏହି ପ୍ରକଳ୍ପ କାର୍ଯ୍ୟ 5 ବର୍ଷରେ ଶେଷ ହେବ । ନୟାଗଡ଼ର ଦଶପଲ୍ଲା, ଗଣିଆ ଓ ନୂଆଗାଁରେ ହେବ 3 ଟି ପାନୀୟଜଳ ପ୍ରକଳ୍ପ ହେବ । ସେହିପରି ମାଲକାନଗିରିର 4 ଟି ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି । ଖଇରିପୁଟ, ମାଲକାନଗିରି, ମାଥିଲି ଓ କାଲିମେଳାରେ ଏହି ପ୍ରକଳ୍ପ ହେବ ।
ଜଳେଶ୍ୱର ଗୋବରୀ ଘାଟରେ ସୁବର୍ଣ୍ଣରେଖା ନଦୀରେ ନିର୍ମାଣ ହେବ ଏକ ବ୍ରିଜ୍ । ଏଥିପାଇଁ ପାଇଁ ଆହ୍ୱାନ କରାଯାଇଥିବା ଟେଣ୍ଡରକୁ ଆଜିର କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଛି ।
ସେହିଭଳି କ୍ୟାନସର ରୋଗୀଙ୍କ ରହଣୀ ପାଇଁ ଜମି ଯୋଗାଇ ଦେବେ ସରକାର । ବାଗଚୀ ଶ୍ରୀଶଙ୍କର କ୍ୟାନସର କେୟାର ସେଣ୍ଟରକୁ 2 ଏକର ଜମି ମିଳିବ । ଚିକିତ୍ସା ବେଳେ ରୋଗୀ ରହିବା ପାଇଁ ଏହି ଜମିରେ ଘର ନିର୍ମାଣ କରାଯିବ । ଓବିସି କମିଶନ ଆଇନରେ ସଂଶୋଧନ ପାଇଁ ଆସିଥିବା ପ୍ରସ୍ତାବକୁ ବି ମଞ୍ଜୁରୀ ମିଳିଛି ।
ଏହା ବାଦ୍ ଓଡ଼ିଶା ଗ୍ରୁପ-ବି କର୍ମଚାରୀ ନିଯୁକ୍ତି ଓ ସେବାସର୍ତ୍ତରେ ସଂଶୋଧନ କରାଯିବ । ଜିଏସଟି, ବାଣିଜ୍ୟ କର ଡାଟାଏଣ୍ଟ୍ରି ଅପରେଟର ନିଯୁକ୍ତି ଅଧିନିୟମ ସଂଶୋଧନ ଓ ଓଡ଼ିଶା ଖାଦ୍ୟ ପରୀକ୍ଷାଗାର କର୍ମଚାରୀ ନିଯୁକ୍ତି ଅଧିନିୟମରେ ମଧ୍ୟ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ ।












Click it and Unblock the Notifications