ରୋଜଗାର ଅଭାବରୁ ଗୋଟିଏ ପରିବାର କଷ୍ଟ ନ ପାଇବା ନେଇ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ

ଗରିବ ଲୋକଙ୍କ ପାଇଁ ଏହି ଦୁଃସମୟରେ ରୋଜଗାର ସୁନିଶ୍ଚିତ କରିବା ସରକାରଙ୍କର ପ୍ରାଥମିକତା | ରୋଜଗାର ଅଭାବରୁ ଯେପରି ଗୋଟିଏ ବି ପରିବାର କଷ୍ଟ ନ ପାଏ, ସେଥିପ୍ରତି ଧ୍ୟାନ ଦେବା ପାଇଁ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟମନ୍ତ୍ରୀ ସତର୍କ କରାଇଛନ୍ତି |

ଭୁବନେଶ୍ୱର : କୋଭିଡ ମହାମାରୀ ଗତ ମାର୍ଚ୍ଚରୁ ଆମ ସମସ୍ତଙ୍କ ପାଇଁ ଏକ ଅଭୁତପୂର୍ବ ଆହ୍ୱାନ ସୃଷ୍ଟି କରିଛି | ବିଶ୍ୱର ଆର୍ଥିକ ଅଭିବୃଦ୍ଧି ନିମ୍ନଗାମୀ ହୋଇଛି ଏବଂ ଏହାଦ୍ୱାରା ଗରିବ ଲୋକମାନେ ହିଁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି | ଗରିବ ଲୋକଙ୍କ ପାଇଁ ଏହି ଦୁଃସମୟରେ ରୋଜଗାର ସୁନିଶ୍ଚିତ କରିବା ସରକାରଙ୍କର ପ୍ରାଥମିକତା | ରୋଜଗାର ଅଭାବରୁ ଯେପରି ଗୋଟିଏ ବି ପରିବାର କଷ୍ଟ ନ ପାଏ, ସେଥିପ୍ରତି ଧ୍ୟାନ ଦେବା ପାଇଁ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟମନ୍ତ୍ରୀ ସତର୍କ କରାଇଛନ୍ତି |

ମଙ୍ଗଳବାର କନ୍‌ଫରେନ୍‌ସିଂ ଜରିଆରେ ସବୁ ଜିଲ୍ଲାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଯୋଜନା ଏବଂ ସହରାଞ୍ଚଳ ରୋଜଗାର ଯୋଜନା ଆଦିର କାର୍ଯ୍ୟକାରୀତା ସଂପର୍କରେ ସମୀକ୍ଷା କରିଛନ୍ତି | ଏହି ଅବସରରେ MGNREGA ସହିତ ରାଜ୍ୟ ସରକାରଙ୍କର ନିଜସ୍ୱ ଯୋଜନା ସହରାଞ୍ଚଳ ରୋଜଗାର ଯୋଜନା ଜରିଆରେ ଗରିବ ଲୋକଙ୍କୁ ବ୍ୟାପକ ନିଯୁକ୍ତି ସୁଯୋଗ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି |

ଏହି ଦୁଇ କାର୍ଯ୍ୟକ୍ରମ ଜରିଆରେ ଚଳିତ ଆର୍ଥକ ବର୍ଷ ଶେଷ ସୁଦ୍ଧା ୨୦ କୋଟି ମାନବ ଦିବସ ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି | ଜୀବିକା ଅର୍ଜନ କରୁଥିବା ଗରିବ ଲୋକମାନଙ୍କ ମଜୁରୀ ପାଇବାରେ ବିଳମ୍ବ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ସତର୍କ କରାଇଛନ୍ତି | ହିତାକାରୀମାନେ ଯେଭଳି ଠିକ୍‌ ସମୟରେ ସେମାନଙ୍କ ମଜୁରୀ ପାଇପାରିବେ, ତା ଉପରେ ଗୁରୁତ୍ୱ ଦେବା ସହିତ ମୋ ସରକାର ପ୍ଲାଟଫର୍ମ ଜରିଆରେ ହିତାଧିକାରୀ ମାନଙ୍କୁ ନିୟମିତ ଫୋନ୍‌ କରି ମଜୁରୀ ବିଷୟ ତଦାରଖ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି | କେତେକ ଜିଲ୍ଲାରେ ହିତାଧିକାରୀ ମାନଙ୍କୁ ଠିକ୍‌ ସମୟରେ ମଜୁରୀ ଲୋକଙ୍କୁ ମିଳୁଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି |

Naveen Patnaik

ଆଗାମୀ ଜାନୁଆରୀ ପହିଲା ୨୦୨୧ରୁ ପ୍ରତି ଜିଲ୍ଲାରେ ଏହି ରୋଜଗାର ଯୋଜନା ସଂପର୍କରେ ଫିଡବ୍ୟାକ୍ ପାଇଁ ସ୍ୱତନ୍ତ୍ର ଭାବରେ ମୋ ସରକାର କକ୍ଷ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି | MGNREGA ଲକ୍ଷ୍ୟ ପୂରଣ ଦିଗରେ ଯାଜପୁର, କୋରାପୁଟ ସୋନପୁର ଜିଲ୍ଲା ବହୁତ ଭଲ କାମ କରିଥିବାରୁ ମୁଖ୍ୟମନ୍ତ୍ରୀ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି | ଯେଉଁ ଜିଲ୍ଲାମାନଙ୍କରେ ଲୋକମାନେ ଅନ୍ୟ ରାଜ୍ୟକୁ କାମ ପାଇଁ ଯାଉଛନ୍ତି, ସେହିସବୁ ଜିଲ୍ଲା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ | ଏହିସବୁ ଜିଲ୍ଲାରେ ପରିବାର ପିଛା ଅଧିକ ୧୦୦ ଦିନ ଓ ଅତିରିକ୍ତ ମଜୁରୀ ଦିଆଯିବା ବିଷୟ ସଂପର୍କରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି |

ସେହିପରି ଆଗାମୀ ମାର୍ଚ୍ଚ ପୂର୍ବରୁ ୧୦୦୦ ମିଶନ ଶକ୍ତି ଗୃହ ଏବଂ ଜାନୁଆରୀ ଶେଷ ସୁଦ୍ଧା ଗୋଟିଏ ଲେଖାଏଁ ପରିଚୟ ଗୃହର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି | ଯେଉଁ ଜିଲ୍ଲାରେ ମା ମାନଙ୍କୁ ଓ ମିଶନ ଶକ୍ତି ଗୋଷ୍ଠୀ ମାନଙ୍କୁ ରୋଜଗାର ଯୋଜନା ତଦାରଖରେ ନିୟୋଜିତ କରାଯିବ, ସେହି ଜିଲ୍ଲା ମାନଙ୍କୁ ଉତ୍ସାହିତ କରାଯିବ | ସେହିପରି ସହରାଞ୍ଚଳ ରୋଜଗାର ଯୋଜନାରେ ଗରିବ ଲୋକମାନଙ୍କୁ ଗୋଷ୍ଠୀସଂଘ ଓ ମିଶନ ଶକ୍ତି ଜରିଆରେ କାମ ଦିଆଯାଉଅଛି | ଏହି ଦିଗରେ ଢେଙ୍କାନାଳ, ଜଗତସିଂହପୁର ଓ ମୟୁରଭଂଜ ଜିଲ୍ଲା ଭଲ କାମ କରିଥିବାରୁ ମୁଖ୍ୟମନ୍ତ୍ରୀ ସେହିସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ | ଏହି ଯୋଜନାରେ ଦିଆଯାଇଥିବା ଅର୍ଥକୁ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସଂପୂର୍ଣ୍ଣ ଭାବେ ବିନିଯୋଗ କରିବା ପାଇଁ ସେ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି |

ଏହି ଏବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କହିଲେ ଯେ ରାଜ୍ୟରେ ୨୦ କୋଟି ମାନବ ଦିବସ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପ୍ରଶାସନ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି | ଗ୍ରାମାଞ୍ଚଳରେ ୫୦ ଲକ୍ଷ ନାମମାତ୍ର ଚାଷୀ ଓ ଭୂମିହୀନ କୃଷି ଶ୍ରମିକ ମାନଙ୍କ ପାଇଁ ଅଧିକ ଜୀବିକା ସୃଷ୍ଟି କରିବା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି |

ମହାତ୍ମାଗାନ୍ଧୀ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ସଂପର୍କରେ ଉପସ୍ଥାପନା ରଖି ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଶ୍ରୀ ଦେଓରଂଜନ କୁମାର ସିଂହ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମରେ ଗତବର୍ଷ ମାତ୍ର ୨.୯୬ ଲକ୍ଷ୍ୟ ଜବ୍‌ କାର୍ଡ ଦିଆଯାଇଥିବା ବେଳେ ଚଳିତ ବର୍ଷ ୭.୨୬ ଲକ୍ଷ ଜବ୍‌ କାର୍ଡ ଦିଆଯାଇଛି | ବର୍ତ୍ତମାନ ସୁଦ୍ଧା ୧୪.୫୦ କୋଟି ମାନବ ଦିବସ ସୃଷ୍ଟି କରାଯାଇସାରିଛି | ୩୧ ଲକ୍ଷ ପରିବାରର ୫୧ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇ ଦିଆଯାଇଛି | ଚଳିତ ବର୍ଷ ଦୈନିକ ହାରାହାରି ୧୦.୨୩ ଲକ୍ଷ ଲୋକଙ୍କୁ ଶ୍ରମଭିତ୍ତିକ ରୋଜଗାର ଯୋଗାଇ ଦିଆଯାଉଛି ବୋଲି ସେ ସୂଚନା ଦେଇଛନ୍ତି |

ସେହିପରି ସହରାଞ୍ଚଳ ରୋଜଗାର ଯୋଜନା ସଂପର୍କରେ ସୂଚନା ଦେଇ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀ ଜି. ମାଥିଭାତନନ୍‌ କହିଲେ ଯେ ୧୧୪ଟି ପୌରାଞ୍ଚଳରେ ୮୦୦୦ଟି ପ୍ରକଳ୍ପ ହାତକୁ ନିଆଯାଇଛି | ସେଥିମଧ୍ୟରୁ ୫୦୦୦ଟି ପ୍ରକଳ୍ପ ଶେଷ ହୋଇଛି ଏବଂ ବାକି ସମସ୍ତ ପ୍ରକଳ୍ପ ବିଭିନ୍ନ ସ୍ତରରେ ରହିଛି | ବର୍ତ୍ତମାନ ସୁଦ୍ଧା ୧୧.୬ ଲକ୍ଷ ମାନବ ଦିବସ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି | ଏଥିସହିତ ମହାନଗର ନିଗମ ଗୁଡିକରେ ୩.୩ ଲକ୍ଷ ମାନବ ଦିବସ ସୃଷ୍ଟି କରାଯାଇ ପାରିଛି ବୋଲି ସେ ସୂଚନା ଦେଇଥିଲେ |

ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କହିଲେ ଯେ ମିଶନ ଶକ୍ତିର ମା ମାନଙ୍କୁ ତଦାରଖ କାର୍ଯ୍ୟରେ ସକ୍ରିୟ ଭାବରେ ନିୟୋଜିତ କରାଯିବା ସହିତ ସେମାନଙ୍କ ତଦାରଖ ପ୍ରାପ୍ୟ ଅବିଳମ୍ବେ ଦେବା ପାଇଁ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଥିଲେ |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+