ଟୀକାକରଣ ପାଇଁ ଓଡିଶା ସଂପୂର୍ଣ୍ଣ ପ୍ରସ୍ତୁତ : ଆଗାମୀ ଦୁଇ ମାସ ଅଧିକ ସତର୍କ ରହିବାକୁ ହେବ : ମୁଖ୍ୟମନ୍ତ୍ରୀ
ତେଣୁ ଆଗାମୀ ଦୁଇ ମାସ ଆମକୁ ସତର୍କତାର ସହ ରହିବାକୁ ହେବ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି ।
ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ଧର୍ମାନୁଷ୍ଠାନ ଆଦି ସଂପୂର୍ଣ୍ଣ ଭାବେ ଖୋଲିଥିବା ବେଳେ ଖୁବ୍ ଶୀଘ୍ର ଶିକ୍ଷାନୁଷ୍ଠନ ଖୋଲିବାକୁ ଯାଉଛି । ତେଣୁ ଆଗାମୀ ଦୁଇ ମାସ ଆମକୁ ସତର୍କତାର ସହ ରହିବାକୁ ହେବ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି । ଆଜି ରାଜ୍ୟରେ କୋଭିଡ୍ ପରିସ୍ଥିତି ଓ ଟୀକାକରଣ ସଂପର୍କରେ ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଇଂଲଣ୍ଡ ତଥା ଇଉରୋପରେ କୋଭିଡର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଯାଇଛି ଏବଂ କେତେକ ଦେଶରେ ମଧ୍ୟ ଲକ୍ ଡାଉନ ପୁଣି ଲାଗୁ କରାଯାଇଛି । ତେଣୁ ଆମକୁ ଅଧିକ ସତର୍କତାର ସହିତ କୋଭିଡ ଗାଇଡ ଲାଇନ ପାଳନ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସମସ୍ତଙ୍କ ସହଯୋଗରେ ଆମେ କୋଭିଡ ସଂକ୍ରମଣକୁ ସଫଳ ଭାବରେ ବର୍ତ୍ତମାନ ପର୍ଯ୍ୟନ୍ତ ନିୟନ୍ତ୍ରଣ କରିପାରିଛୁ । ଅଧିକାଂଶ ଜିଲ୍ଲା ଗ୍ରୀନ ଜୋନ୍ରେ ରହିଥିବା ବେଳେ ତୀବ୍ର ସଂକ୍ରମଣ ପର୍ଯ୍ୟାୟ ଆମ ପାର୍ ହୋଇସାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ସଫଳତା ପାଇଁ କଠିନ ପରିଶ୍ରମ କରିଥିବା ସ୍ବାସ୍ଥ୍ୟ କର୍ମୀ, ଡାକ୍ତର ଏବଂ ଆଗଧାଡିରେ ରହି କାମ କରୁଥିବା ସମସ୍ତ କୋଭିଡ ଯୋଦ୍ଧା ମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ଖୁବ୍ଶୀଘ୍ର ଏ ପରିସ୍ଥିତିରୁ ଆମେ ମୁକୁଳି ପାରିବା ବୋଲି ଆଶାବ୍ୟକ୍ତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡ ଟୀକାକୁ ନେଇ ଲୋକଙ୍କ ଭିତରେ ବିପୁଳ ଆଶା ସଂଚାର ହୋଇଛି । କୋଭିଡ୍ ଟୀକା ଉତ୍ପାଦନରେ ଭାରତ ପୃଥିବୀର ଆଗୁଆ ଦେଶ ମଧ୍ୟରେ ରହିଛି । ଏହି ପରିସ୍ଥିତରେ ଟୀକାକରଣକୁ ସଫଳ ଭାବରେ କାର୍ଯ୍ୟକାରୀ କରିବା ପାଇଁ ଓଡିଶା ସଂପୂର୍ଣ୍ଣ ପ୍ରସ୍ତୁତ । ତେଣୁ ଟୀକା ସଂପର୍କରେ ଲୋକଙ୍କ ଭିତରେ ଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ବ୍ୟାପକ ସଚେତନତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଛନ୍ତି ।
ଚଳିତ ବର୍ଷ ଟୀକାକରଣ ସବୁଠାରୁ ବଡ କାର୍ଯ୍ୟକ୍ରମ ହେବ । ତେଣୁ ଏହାକୁ ସୂଚାରୁ ରୂପେ ସଂପାଦନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି । ସେହିପରି ଜୀବନଜୀବିକା କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହ ଆର୍ଥିକ ଦୁର୍ବଳଶ୍ରେଣୀର ଲୋକଙ୍କ ଜୀବିକା ସୁରକ୍ଷା କରିବା ପାଇଁ ବହୁତ କିଛି କରିବାକୁ ଅଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି । ଏଥିସହିତ ଏ ସଂପର୍କରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ଦିଗରେ କାର୍ଯ୍ୟ କରିବାକୁ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି । ଆଗାମୀ ମାସରେ ଏ ସଂପର୍କରେ ସମୀକ୍ଷା କରିବା ନେଇ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ସୂଚନା ଦେଇଛନ୍ତି ।

ଏହି ଅବସରରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, କୋଭିଡ ନିୟନ୍ତ୍ରଣରେ ରାଜ୍ୟ ବର୍ତ୍ତମାନ ବହୁତ ଭଲ ସ୍ଥିତିରେ ରହିଛି ଏବଂ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୦୦୦ ମଧ୍ୟରେ ସୀମିତ ରହିଛି । ଜୀବନଜୀବିକା କାର୍ଯ୍ୟକ୍ରମକୁ ଅଧିକ ତ୍ବରାନ୍ବିତ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦିଆଯାଇଛି ।
ଟୀକାକରଣ ଏବଂ କୋଭିଡ ପରିସ୍ଥିତି ସଂପର୍କରେ ବିସ୍ତୃତ ସୂଚନା ଦେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, ରାଜ୍ୟରେ ଆରୋଗ୍ୟ ହାର ବର୍ତ୍ତମାନ ପ୍ରାୟ ୯୯ ପ୍ରତିଶତରେ ପହଞ୍ଚିଥିବା ବେଳେ ଗତକାଲି ଠାରୁ ରାଜ୍ୟରେ କୋଭିଡରେ କୌଣସି ରୋଗୀଙ୍କର ମୃତ୍ୟୁ ହୋଇନାହିଁ । ସୂଚନାଯୋଗ୍ୟ ଯେ ଗତ ଜୁନ୍ ୩୦ ତାରିଖରୁ ନିୟମିତ ଭାବରେ କୋଭିଡରେ ମୃତ୍ୟୁ ହୋଇଥିବା ରିପୋର୍ଟ ଆସୁଥିଲା । ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ ମଧ୍ୟ ଅତ୍ୟନ୍ତ ଉତ୍ସାହଜନକ ରହିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭୦ ଲକ୍ଷ ଲୋକଙ୍କର କୋଭିଡ ପରୀକ୍ଷା କରାଯାଇଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।
ଟୀକାକରଣ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇ ଶ୍ରୀ ମହାପାତ୍ର କହିଛନ୍ତି, କେନ୍ଦ୍ର ସରକାରଙ୍କର ନିର୍ଦ୍ଦେଶାବଳୀ ଅନୁସାରେ ଉଭୟ ଘରୋଇ ଓ ସରକାରୀ କ୍ଷେତ୍ରରେ କାର୍ଯ୍ୟରତ 3ଲକ୍ଷ 28ହଜାର 560 ଜଣ ସ୍ବାସ୍ଥ୍ୟକର୍ମୀଙ୍କ ଟୀକାକରଣ ପାଇଁ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ପୋଲିସ, ମ୍ୟୁନିସପାଳଟି କର୍ମଚାରୀ ଏବଂ କୋଭିଡ କାର୍ଯ୍ୟରେ ନିୟୋଜିତ ରାଜସ୍ବ ବିଭାଗର କର୍ମଚାରୀ ମାନଙ୍କ ତାଲିକା ପ୍ରସ୍ତୁତି ଚାଲିଛି । ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଷ୍ଟିଅରିଂ କମିଟି ବୈଠକ ସଂପୂର୍ଣ୍ଣ ହୋଇଛି ବୋଲି ସେ ଅବଗତ କରାଇଛନ୍ତି ।
ବୈଠକରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ, ସ୍କୁଲ-କଲେଜ ଖୋଲିବା ସଂପର୍କରେ SOP ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।












Click it and Unblock the Notifications