ଯେଉଁ ଦେଶରେ ମା ଆଗୁଆ ସେ ଦେଶ ଉନ୍ନତ : ନବୀନ ପଟ୍ଟନାୟକ
ମିଶନ ଶକ୍ତିର ଏ ସଫଳତା ଅଧିକରୁ ଅଧିକ ମା ମାନଙ୍କୁ ପ୍ରେରଣା ଦେବ ଏବଂ ମିଶନ ଶକ୍ତି ଖୁବ ଶୀଘ୍ର ଏକ କୋଟି ମହିଳାଙ୍କର ଏକ ବିରାଟ ଆନ୍ଦୋଳନ ରେ ପରିଣତ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଓଡିଶାର ଘରେ ଘରେ ସଶକ୍ତ ଓଡିଶାର ବାର୍ତ୍ତା ଦେବ ।
ଭୁବନେଶ୍ୱର : 2001 ମସିହା ମାର୍ଚ୍ଚ 8 ତାରିଖରେ ଲାଗିଥିବା ଗୋଟିଏ ଚାରା ଆଜି ଏକ ବିରାଟ ଗଛରେ ପରିଣତ ହୋଇଛି । 80 ଲକ୍ଷ ମା ମାନଙ୍କ ପାଇଁ ଆଶାର ବୃକ୍ଷ ହୋଇଯାଇଛି । ଏହି ଗଛର ପ୍ରତିଟି ପତ୍ରରେ ରହିଛି ଗୋଟିଏ ଗୋଟିଏ ସଫଳ କାହାଣୀ । ସେହି କାହାଣୀ ହେଉଛି ଆମର ମିଶନ ଶକ୍ତି । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଙ୍ଗ ଜରିଆରେ ରାଜ୍ୟ ସ୍ତରୀୟ ବିଶ୍ଵ ମହିଳା ଦିବସ ପାଳନ ଅବସରରେ ଏହା କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତିର ଏ ସଫଳତା ଅଧିକରୁ ଅଧିକ ମା ମାନଙ୍କୁ ପ୍ରେରଣା ଦେବ ଏବଂ ମିଶନ ଶକ୍ତି ଖୁବ ଶୀଘ୍ର ଏକ କୋଟି ମହିଳାଙ୍କର ଏକ ବିରାଟ ଆନ୍ଦୋଳନ ରେ ପରିଣତ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଓଡିଶାର ଘରେ ଘରେ ସଶକ୍ତ ଓଡିଶାର ବାର୍ତ୍ତା ଦେବ । ମିଶନ ଶକ୍ତି ସ୍ଵତନ୍ତ୍ର ବିଭାଗ ନିଷ୍ପତ୍ତି ବିଷୟ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହାକୁ ମା ମାନେ ଖୁବ ସ୍ଵାଗତ କରିଛନ୍ତି । ମିଶନ ଶକ୍ତି ଆଜି ଏକ ବଡ ସାମାଜିକ ଓ ଅର୍ଥନୈତିକ ଆନ୍ଦୋଳନରେ ପରିଣତ ହୋଇଛି । ଗାଁ ଅର୍ଥନୀତିକୁ ଚଳଚଞ୍ଚଳ କରିପାରିଛି । ମିଶନ ଶକ୍ତି କେବଳ ଦେଶରେ ନୁହେଁ ସାରା ବିଶ୍ବରେ ସବୁଠାରୁ ବଡ ଆନ୍ଦୋଳନରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।
ବିଶ୍ୱ ମହିଳା ଦିବସରେ ମିଶନ ଶକ୍ତି ବିଭାଗର ଘୋଷଣା ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡର ଆହ୍ଵାନ ମୂଳକ ସମୟରେ ମା ମାନେ ହିଁ ସରକାରଙ୍କ ମୁଖ୍ୟ ସହଯୋଗୀ ହୋଇ କୋଭିଡ ମୁକାବିଲାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ମିଶନ ଶକ୍ତିର ମା ମାନଙ୍କ ଠାରୁ ଆରମ୍ଭ କରି ଅଙ୍ଗନବାଡି, ଆଶା କର୍ମୀ, ସ୍ୱାସ୍ଥ୍ୟ କର୍ମୀ ଆଦି ସବୁ ମା ମାନେ ସବୁଠାରୁ ବେଶୀ ଦାୟିତ୍ଵର ସହ କାମ କରିଛନ୍ତି । ପରିବାରକୁ ସଚେତନ ମଧ୍ୟ କରିଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପକ୍ଷରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ଶ୍ରୀ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାର ସବୁବେଳେ ମିଶନ ଶକ୍ତିର ମା ମାନଙ୍କ ପାଇଁ ନିଷ୍ଠାର ସହ କାମ କରୁଛନ୍ତି । ସେମାନଙ୍କ ପାଇଁ 5 ହଜାର କୋଟି ଟଙ୍କାର କାମ ଘୋଷଣା କରାଯାଇଛି ଏବଂ ସେମାନେ ଦକ୍ଷତାର ସହ କାମ କରି ସରକାରଙ୍କ ବିଶ୍ବାସକୁ ବୃଦ୍ଧି କରିଛନ୍ତି । ଯେଉଁ ଦେଶରେ ମା ମାନେ ଯେତେ ଆଗୁଆ ସେ ଦେଶ ସେତେ ଉନ୍ନତ । ମା ମାନଙ୍କ ସମୃଦ୍ଧି ଓ ଅଧିକାର ପାଇଁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।
ଏହି କାର୍ଯ୍ୟକ୍ରମ ରେ ସଚିବାଳୟ ରେ ଉପସ୍ଥିତ ଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ କହିଲେ ଯେ ମହିଳା ମାନଙ୍କ ଅନ୍ତର୍ନିହିତ ଶକ୍ତି ଓ ଦକ୍ଷତା କୁ ଉପଯୋଗ କରି ବିକାଶକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁଁ ଆଜି ଓଡିଶା ମହିଳା ବିକାଶ କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିପାରିଛି । ମିଶନ ଶକ୍ତି ମା ମାନଙ୍କୁ ନୂଆ ପରିଚୟ ଦେଇଛି ବୋଲି ପ୍ରକାଶ କରି ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ ସ୍ଵାଗତ ଭାଷଣ ଦେଇ କହିଥିଲେ ରାଜ୍ୟ ସରକାର ମହିଳା ମାନଙ୍କୁ ହିତାଧିକାରୀ ନୁହେଁ ବରଂ ବିକାଶର ସହ ଭାଗୀଦାର ବୋଲି ମନେ କରନ୍ତି । ମହିଳା ମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର କେବଳ ଗୋଟିଏ ଦିନ ନୁହେଁ ବରଂ ପୁରା 365 ଦିନ ସମର୍ପିତ ହୋଇ କାମ କରୁଛନ୍ତି ବୋଲି ସେ କହିଥିଲେ । ଏହା ବ୍ୟତୀତ ମିଶନ ଶକ୍ତିର କମିଶନର ତଥା ନିର୍ଦ୍ଦେଶିକା ଶ୍ରୀମତୀ ସୁଜାତା କାର୍ତ୍ତିକେୟନ ଧନ୍ୟବାଦ ଅର୍ପଣ କରି କହିଥିଲେ ଯେ 2001 ରେ ମିଷନ ଶକ୍ତି ଏକ ଯୋଜନା ହୋଇ ଆରମ୍ଭ ହୋଇଥିଲା, ଆଜି ଏହା ଏକ ସ୍ଵତନ୍ତ୍ର ବିଭାଗ ହୋଇଛି । ମୁଖ୍ୟମନ୍ତ୍ରୀ ମିଶନ ଶକ୍ତିର ମା ମାନଙ୍କ ପାଇଁ ଯେଉଁ 5 ହଜାର କୋଟି ଟଙ୍କା ଘୋଷଣା କରିଥିଲେ ଆଜି ମା ମାନେ 2500 କୋଟି ଟଙ୍କାରୁ ଅଧିକ ଟଙ୍କାର ବ୍ୟବସାୟ ଆରମ୍ଭ କରି ସାରିଛନ୍ତି । ମା ମାନଙ୍କ ପାଇଁ 3200 କୋଟି ଟଙ୍କାର ଋଣ ଲକ୍ଷ୍ୟ ଥିଲାବେଳେ ବର୍ତ୍ତମାନ ସୁଧା 4000 କୋଟି ଟଙ୍କାରୁ ଅଧିକ ଋଣ ମିଳିପାରିଛି ।
ଆଜିର କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ଓ ମିଶନ ଶକ୍ତିର କାର୍ଯ୍ୟକ୍ରମ ସମ୍ପର୍କରେ ଦୁଇଟି ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା । ଝାରସୁଗୁଡା , ଯାଜପୁର ଓ ଭୁବନେଶ୍ବରରେ ତିନୋଟି କର୍ମଜୀବି ମହିଳା ହଷ୍ଟେଲ ଉଦଘାଟିତ ହୋଇଥିଲା । ହଷ୍ଟେଲ ପରିଚାଳନା, ସ୍ଵଧାର ଓ ଉଜ୍ଜ୍ଵଳ ଆଦି ଯୋଜନା ପାଇଁ ନୂଆ ପୋର୍ଟାଲ, ମିଶନ ଶକ୍ତି ୱେବସାଇଟ , ମୋବାଇଲ ଆପ୍ ଓ ବ୍ୟାଙ୍କ ମାନଙ୍କ ଋଣ ପ୍ରଦାନ ସମ୍ପର୍କରେ ଏକ ସ୍ଵତନ୍ତ୍ର ପୋର୍ଟାଲ ଉନ୍ମୋଚିତ ହୋଇଥିଲା । ଡାଆଣି କୁପ୍ରଥାର (Witch Hunting) ବିଲୋପ ପାଇଁ IEC Package ମଧ୍ୟ ଉନ୍ମୋଚିତ ହୋଇଥିଲା । ଏହା ବ୍ୟତୀତ ଏହି ଅବସରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା , ସ୍ଵୟଂ ସହାୟକ ଗୋଷ୍ଠୀ, ଅଧିକାରୀ ଓ ବ୍ଯାଙ୍କ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।












Click it and Unblock the Notifications