ବଢିଲା ଲକଡାଉନ୍ ଅବଧି, ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ସକାଳ 7 ରୁ 11 ଯାଏଁ ଖୋଲା ହେବ ଦୋକାନ
ରାଜ୍ୟରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଲକ୍ଷରେ ରଖି ରାଜ୍ୟ ସରକାର ଲକଡାଉନ୍ ଅବଧିକୁ ବଢ଼ାଇଛନ୍ତି । ଆସନ୍ତା ଜୁନ୍ 1 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନକୁ ବୃଦ୍ଧି କରାଯାଇଛି ।
ଭୁବନେଶ୍ୱର : ରାଜ୍ୟରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଲକ୍ଷରେ ରଖି ରାଜ୍ୟ ସରକାର ଲକଡାଉନ୍ ଅବଧିକୁ ବଢ଼ାଇଛନ୍ତି । ଆସନ୍ତା ଜୁନ୍ 1 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନକୁ ବୃଦ୍ଧି କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ରାଜ୍ୟରେ ଦୈନିକ ସଂକ୍ରମଣ 10 ହଜାର ଉପରେ ରହୁଥିବା ବେଳେ ଲକଡାଉନ୍ ସମ୍ପ୍ରସାରଣ ନେଇ ବିଶେଷଜ୍ଞମାନେ ମତ ଦେଉଥିଲେ ।

ଏହା ପୂର୍ବରୁ ମେ 19 ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଥିଲେ ରାଜ୍ୟ ସରକାର । ବର୍ତ୍ତମାନ ଏହାକୁ ଆଉ 2 ସପ୍ତାହ ବୃଦ୍ଧି କରାଯାଇଛି । ଜୁନ୍ 1 ତାରିଖ ସକାଳ 5ଟା ଯାଏଁ ଏହି ଲକଡାଉନ୍ ବଳବତ୍ତର ରହିବ । ପୂର୍ବଭଳି ସପ୍ତାହନ୍ତ ସଟଡାଉନ୍ ଜାରି ରହିବ । ପୂର୍ବାପେକ୍ଷା କଟକଣାକୁ ବଢ଼ାଯାଇଛି । ଏଣିକି ସୋମବାର ଠାରୁ ଶୁକ୍ରବାର ଯାଏଁ 4 ଘଣ୍ଟା ମଧ୍ୟରେ ପନିପରିବା କିଣିହେବ । ସକାଳ 7 ଟା ରୁ ଦିନ 11ଟା ଯାଏଁ ଚାଲି ଚାଲି ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣି ପାରିବେ ।
ଏହା ସହିତ ବାହାଘର କିମ୍ବା ଅନ୍ତେଷ୍ଟିକ୍ରିୟାରେ 50 ଜଣ ପରିବର୍ତ୍ତେ 25 ଜଣ ଯୋଗ ଦେବାକୁ ଅନୁମତି । କୌଣସି କାର୍ଯ୍ୟକ୍ରମରେ ଭୋଜି ଆୟୋଜନ ଉପରେ ସମ୍ପୂର୍ଣ୍ଣ କଟକଣା କରାଯାଇଛି ।
ଲକଡାଉନ୍ ସମୟରେ ଟେଷ୍ଟିଂ ଓ ଟିକାକରଣ ଚାଲିବ । ସମସ୍ତ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ଜାରି ରହିବ । ଗ୍ରାମାଞ୍ଚଳରେ କରୋନା ବ୍ୟାପୁଥିବାରୁ ପଞ୍ଚାୟତିରାଜ ସଂସ୍ଥା ନିଜ ଅଞ୍ଚଳରେ ଅନ୍ୟ ଅଞ୍ଚଳରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବେ । ବାହାରୁ ଆସୁଥିବା ଲୋକଙ୍କୁ ହୋମ୍ ଆଇସୋଲେସନରେ ରହିବା ନେଇ ଗୁରୁତ୍ୱ ଦେବେ । ଘରକୁ ଘର ବୁଲି 3 ମାସ ଯାଏ କ୍ୟାମ୍ପେନ୍ କରାଯିବ । କରୋନା ଲକ୍ଷଣ ଥିଲେ ଟେଷ୍ଟି କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।
ପ୍ରଥମ ପର୍ଯ୍ୟାୟ ଲକଡାଉନ୍ ଅପେକ୍ଷା ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନରେ ସରକାରୀ ଓ ବେସରକାରୀ ଅଫିସରେ କର୍ମଚାରୀଙ୍କ ସଂଖ୍ୟା ଆହୁରି କମ୍ ରହିବ । ଏନେଇ ନୂଆ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।
ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 6 ଲକ୍ଷ 33 ହଜାର 302 କୁ ବୃଦ୍ଧି ପାଇଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା 5 ଲକ୍ଷ 26 ହଜାର 353 ରେ ପହଞ୍ଚିଛି । ଏବେ ରାଜ୍ୟରେ 1 ଲକ୍ଷ 4 ହଜାର 539ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।












Click it and Unblock the Notifications