ବିନା ଅନୁମତିରେ ସଦରମହକୁମା ଛାଡ଼ିପାରିବେନି ଦାୟିତ୍ୱରେ ଥିବା ଅଧିକାରୀ : ପଞ୍ଚାୟତିରାଜ ମନ୍ତ୍ରୀ
ଗ୍ରାମାଞ୍ଚଳରେ ଜଳଯୋଗାଣ ସମସ୍ୟାଜନିତ ଅଭିଯୋଗ ପାଇଁ 1916 (ଦେୟମୁକ୍ତ) ନମ୍ବର ଜାରି କରାଯାଇଛି । ସେହିପରି ସହରାଞ୍ଚଳରେ ପାନୀୟ ଜଳ ସମ୍ପର୍କିତ ସମସ୍ୟା ତଥା ଅଭିଯୋଗ ପାଇଁ ଦୁଇଟି ଦେୟମୁକ୍ତ ନମ୍ବର 155359 ଏବଂ 180034567843 ଜାରି କରାଯାଇଛି ।
ଭୁବନେଶ୍ୱର : ଗ୍ରାଷ୍ମ ପ୍ରବାହ ଯୋଗୁଁ ପାନୀୟ ଜଳ ପାଇଁ ଲୋକମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେ ନେଇ ପାନୀୟ ଜଳ ବିଭାଗ ସଜାଗ ରହିଛି । ଦାୟିତ୍ୱରେ ଥିବା ଅଧିକାରୀ ବିନା ଅନୁମତିରେ ସଦରମହକୁମା ଛାଡ଼ିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜଳ ସଂକଟ ଦେଖାଦେଉଥିବା ଅଞ୍ଚଳମାନଙ୍କରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିବା ପରେ ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ, ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ରାଜ୍ୟର ଗ୍ରାମାଞ୍ଚଳରେ ଯେଉଁଠି ନଳକୂପ ସମ୍ପୂର୍ଣ୍ଣ ଅଟଳ ହୋଇପଡ଼ିଥିବ ସେ ସବୁ ସ୍ଥାନରେ ନୂତନ ନଳକୂପ ସ୍ଥାପନ ନିମନ୍ତେ ନିଷ୍ପତ୍ତି ହୋଇଛି ଏବଂ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ନୂତନ ଭାବେ ଗଢି ଉଠିଥିବା ଗ୍ରାମ/ପଡ଼ା ତଥା 70ରୁ ଅଧିକ ଜନସଂଖ୍ୟା ପାଇଁ ଏକ ନୂତନ ନଳକୂପ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସୌରଚାଳିତ ନଳକୂପ ଗୁଡ଼ିକୁ 15 ଦିନ ମଧ୍ୟରେ ମରାମତି କରି କାର୍ଯ୍ୟକ୍ଷମ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଶ୍ରୀ ଜେନା ।
ସେ ଆହୁରି ମଧ୍ୟ କହିଛନ୍ତି, ପ୍ରତି ଗ୍ରାମପଞ୍ଚାୟତ, ବ୍ଲକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସମସ୍ତ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟାଳୟରେ ମରାମତି, ରକ୍ଷଣାବେକ୍ଷଣ ଓ ତଦାରଖ ପାଇଁ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ଏହା ସହିତ ପ୍ରତି ଶନିବାର ବ୍ଲକ ସ୍ତରରେ ଓ ମଙ୍ଗଳବାର ଜିଲ୍ଲା ସ୍ତରରେ ସମୀକ୍ଷା କରାଯାଇ ପରିସ୍ଥିତିର ମୁକାବିଲା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଏହା ସହିତ ରାଜ୍ୟର 114ଟି ପୌରାଞ୍ଚଳରେ 650ଟି ସ୍ଥାନରେ ପାନୀୟ ଜଳର ଉତ୍କଟ ସମସ୍ୟା ରହିଛି । ଏଗୁଡ଼ିକୁ ହଟସ୍ପଟ ଭାବେ ଚିହ୍ନଟ କରାଯାଇଛି । ଗୁରୁତ୍ୱର ସହ ଏହି ଅଞ୍ଚଳରେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି । 114ଟି ପୌରାଞ୍ଚଳରେ ନଳକୂପ ମରାମତି ପାଇଁ 161ଟି ସ୍ବତନ୍ତ୍ର ସ୍କ୍ବାଡ ପ୍ରସ୍ତୁତ ଅଛନ୍ତି । 156ଟି କଣ୍ଟ୍ରୋଲ ରୁମ୍ ଓ ମୋ ସରକାର ସେଲ ଖୋଲାଯାଇଛି ଯାହାକି 24 ଘଣ୍ଟା ମଧ୍ୟରେ ସମସ୍ୟାର ସମାଧାନ କରିବ ବୋଲି କହିଛନ୍ତି ଶ୍ରୀ ଜେନା ।
ଗ୍ରାମାଞ୍ଚଳରେ ଜଳଯୋଗାଣ ସମସ୍ୟାଜନିତ ଅଭିଯୋଗ ପାଇଁ 1916 (ଦେୟମୁକ୍ତ) ନମ୍ବର ଜାରି କରାଯାଇଛି । ସେହିପରି ସହରାଞ୍ଚଳରେ ପାନୀୟ ଜଳ ସମ୍ପର୍କିତ ସମସ୍ୟା ତଥା ଅଭିଯୋଗ ପାଇଁ ଦୁଇଟି ଦେୟମୁକ୍ତ ନମ୍ବର 155359 ଏବଂ 180034567843 ଜାରି କରାଯାଇଛି ।












Click it and Unblock the Notifications