ସ୍ୱାସ୍ଥ୍ୟକର୍ମୀ, ଗର୍ଭବତୀ ଏବଂ 60 ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି୍ଙ୍କୁ ପ୍ରଥମେ କରୋନା ଟିକା
କରୋନା ଟିକା ପ୍ରଦାନ ସମୟରେ ସ୍ୱାସ୍ଥ୍ୟକର୍ମୀ, ଗର୍ଭବତୀ ଏବଂ 60 ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି୍ଙ୍କୁ ପ୍ରାଥମିକତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି | କରୋନା ପ୍ରତିରୋଧ ପାଇଁ ବିଭିନ୍ନ ଟୀକାର ପରୀକ୍ଷା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି | ବଜାରରେ ଟୀକା ଉପଲବ୍ଧ ନହେବା ପର୍ଯ୍ୟନ୍ତ ମାସ୍କ ହିଁ ଫଳପ୍ରଦ ପ୍ରତିରୋଧ |
ଭୁବନେଶ୍ୱର : କରୋନା ଟିକା ପ୍ରଦାନ ସମୟରେ ସ୍ୱାସ୍ଥ୍ୟକର୍ମୀ, ଗର୍ଭବତୀ ଏବଂ 60 ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି୍ଙ୍କୁ ପ୍ରାଥମିକତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି | କରୋନା ପ୍ରତିରୋଧ ପାଇଁ ବିଭିନ୍ନ ଟିକାର ପରୀକ୍ଷା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି | ବଜାରରେ ଟିକା ଉପଲବ୍ଧ ନହେବା ପର୍ଯ୍ୟନ୍ତ ମାସ୍କ ହିଁ ଫଳପ୍ରଦ ପ୍ରତିରୋଧ ବୋଲି କୋଭିଡ୍ ପରିଚାଳନା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି |
ଟିକା ବଣ୍ଟନ ସମୟରେ ଗୁରୁତର ରୋଗରେ ପୀଡ଼ିତ ରୋଗୀଙ୍କ ଡ଼ାଟାବେସ୍ ବେଶ୍ ସହାୟକ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି | ଏଥି ସହିତ ବିପଦସଙ୍କୁଳ ବର୍ଗର ଲୋକମାନଙ୍କୁ ଟିକା ପ୍ରଦାନ ସମୟରେ ବୃତ୍ତିଗତ, ବୈଜ୍ଞାନିକ, ସମ୍ପୂର୍ଣ୍ଣ ଫଳପ୍ରଦ ଯୋଜନା ପ୍ରସ୍ତୁ କରିବା ପାଇଁ ସେ ନିର୍ଦ୍ଦଶ ଦେଇଛନ୍ତି | ଏଥି ସହିତ ସାମାଜିକ ଦୂରତା ବଜାୟ ରଖିବା, ହାତ ଧୋଇବା ଭଳି ଅଭ୍ୟାସକୁ ବଜାୟ ରଖିବା ପାଇଁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି |

ଶୀତଋତୁରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣକୁ ରୋକିବା ପାଇଁ ଆମକୁ ସତର୍କ ରହିବାକୁ ହେବ | ଏଥି ସହିତ ଆଗୁଆ ଯୋଜନା, ଭିତ୍ତିଭୂମି ସୃଷ୍ଟି, ଦକ୍ଷତା ଏବଂ ବିଭିନ୍ନ ସ୍ତରରେ ଯୋଜନାକୁ କାର୍ଯ୍ୟକାରୀ କରି ଯେପରି ସଂକ୍ରମଣକୁ ନିୟନ୍ତ୍ରଣକୁ ଆସିଛି, ସେହି ଅନୁଭବକୁ ଉପଯୋଗ କରି ଟୀକା ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି |
ଲୋକଙ୍କ ଜୀବିକା ଯେପରି ବ୍ୟାହତ ନ ହୁଏ, ସେ ଦିଗ ପ୍ରତି ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ପରାମର୍ଶ ଦେଇଥିଲେ ଏବଂ ଏହାର ନିୟମିତ ସମୀକ୍ଷା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ଚଳିତ ବର୍ଷ ଓଡିଶା ଜାତୀୟ ସ୍ତରରେ ଶ୍ରେଷ୍ଠ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନକାରୀ ରାଜ୍ୟ ଭାବରେ ବିବେଚିତ ହୋଇଥିବା ଏବଂ କଳାହାଣ୍ଡି ଜିଲ୍ଲା Best Inland Dist ପୁରସ୍କାର ପାଉଥିବାରୁ ମୁଖ୍ୟମନ୍ତ୍ରୀ ରାଜ୍ୟ ମତ୍ସ୍ୟ ଓ ପଶୁପାଳନ ବିଭାଗ ଓ କଳାହାଣ୍ଡି ଜିଲ୍ଲାବାସୀ କୁ ଅଭିନନ୍ଦନ ଜଣାଇଥିଲେ |
ଏଥି ସହିତ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା କିପରି ପରିଚାଳନା କରାଯାଇପାରିବ, ସେ ସଂପର୍କରେ ବିଚାର ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ | ଏ ଦିଗରେ ଭାରତ ସରକାର ଏବଂ ଅନ୍ୟ ରାଜ୍ୟମାନେ କଣ ପଦକ୍ଷେପ ନେଉଛନ୍ତି, ତାକୁ ମଧ୍ୟ ବିଚାରକୁ ନେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି |
ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ପୂଜା ଋତୁରେ ଜନସାଧାରଣ ଶୃଙ୍ଖଳିତ ଭାବରେ ନିୟମ ପାଳନ କରିଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ନିଷ୍ଠା ଯୋଗୁ ଆଜି ଓଡିଶାରେ ଆରୋଗ୍ୟ ହାର 97 ପ୍ରତିଶତ ବୃଦ୍ଧି ପାଇ ଆରୋଗ୍ୟଙ୍କ ସଂଖ୍ୟା 3 ଲକ୍ଷ ଟପି ଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ବିଶେଷ ଧନ୍ୟବାଦ ଜଣାଇଥିଲେ |
ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ଶୀତ ଋତୁରେ ସଂକ୍ରମଣ ନିୟନ୍ତ୍ରଣ ପାଇଁ କରାଯାଇଥିବା ବ୍ୟବସ୍ଥା ଏବଂ ଜୀବନଜୀବିକା ସଂପର୍କରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀ ଙ୍କ ବିସ୍ତୃତ ଭାବରେ ଅବଗତ କରାଇଥିଲେ | ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ମହାପାତ୍ର ଶୃଙ୍ଖଳିତ ଟୀକାକରଣ ପାଇଁ ନିଆଯାଇଥିବା ପଦଷେପ ସଂପର୍କରେ ଉପସ୍ଥାପନା କରି ରାଜ୍ୟରେ କରୋନା ସଂକ୍ରମଣରେ ଉଲ୍କେଖନୀୟ ହ୍ରାସ ଘଟୁଛି ବୋଲି ସୂଚନା ଦେଇଥିଲେ |
କୃଷି ଉତ୍ପାଦନ କମିଶନର ଶ୍ରୀ ରାଜକୁମାର ଶର୍ମା ରବି ଚାଷ ତଥା ଜୀବିକା ସହାୟତାରେ ଦିଆଯାଇଥିବା ମାଛ, କୁକୁଡା ଚାଷ ଆଦି ବିଷୟରେ ଉପସ୍ଥାପନ ଦେଇଥିଲେ | ମାଛ ତଥା ଅନ୍ୟାନ୍ୟ ଆନୁଷଂଗିକ ଚାଷ କ୍ଷେତ୍ରରେ ରିହାତି ପାଇବାରେ ଯେପରି ହିତାଧିକାରୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ସତର୍କ ଦୃଷ୍ଟି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ସମବାୟ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଖରିଫ ଧାନ ସଂଗ୍ରହ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ | ବର୍ତ୍ତମାନ ସୁଦ୍ଧା 14ଲକ୍ଷ 97 ହଜାର ଚାଷୀ ପଞ୍ଜିକରଣ କରିଥିବା ବେଳେ ବରଗଡ, ସମ୍ବଲପୁର, କଳାହାଣ୍ଡି ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହୋଇଯାଇଛି ଏବଂ ଡିସେମ୍ବର ମାସ ସୁଦ୍ଧା ସବୁ ଜିଲ୍ଲାରେ ଧାନ ସଂଗ୍ରହ କରାଯିବ ବୋଲି ଶ୍ରୀ ସାହୁ ସୂଚନା ଦେଇଥିଲେ | ଏ ବର୍ଷ ରାଜ୍ୟରେ ପ୍ରଚୁର ଫସଲ ହୋଇଥିବାରୁ ଅନ୍ୟ ରାଜ୍ୟର ଅସାଧୁ ବ୍ୟାବସାୟୀମାନେ ଯେପରି ସଂଗ୍ରହ କାର୍ଯ୍ୟରେ ଫାଇଦା ନ ନିଅନ୍ତି, ସେଥିପ୍ରତି ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉନ୍ନୟନ କମିଶନର, ପୋଲିସ ମହାନିର୍ଦ୍ଦେଶକ, ସ୍ୱତନ୍ତ୍ର ରିଲିଫ କମିଶନର ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଅଂଶଗ୍ରହଣ କରିଥିଲେ |












Click it and Unblock the Notifications