ରାଜ୍ୟରେ ବନାଗ୍ନି ସମ୍ପୂର୍ଣ୍ଣ ଆୟତାଧିନ ; ଫରେଷ୍ଟ ଫାୟାର ଟାସ୍କ ଫୋର୍ସ
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କ୍ରମାଗତ ବନାଗ୍ନି ନାହିଁ । ଗତକାଲିର ଚନ୍ଦକା ଡମପଡ଼ା ଜଙ୍ଗଲ ବାହ୍ୟ ଅଞ୍ଚଳର ବନାଗ୍ନିକୁ ପ୍ରଶମିତ କରାଯାଇଛି ବୋଲି ଫରେଷ୍ଟ ଫାୟାର ଟାସ୍କ ଫୋର୍ସ ପକ୍ଷରୁ ସୂଚନା ଦିଆଯାଇଛି ।
ଭୁବନେଶ୍ବର : ଆଜି ମଧ୍ୟ ରାଜ୍ୟରେ ସୃଷ୍ଟି ହୋଇଥିବା ବନାଗ୍ନି ଆୟତ୍ତାଧିନ ରହିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କ୍ରମାଗତ ବନାଗ୍ନି ନାହିଁ । ଗତକାଲିର ଚନ୍ଦକା ଡମପଡ଼ା ଜଙ୍ଗଲ ବାହ୍ୟ ଅଞ୍ଚଳର ବନାଗ୍ନିକୁ ପ୍ରଶମିତ କରାଯାଇଛି ବୋଲି ଫରେଷ୍ଟ ଫାୟାର ଟାସ୍କ ଫୋର୍ସ ପକ୍ଷରୁ ସୂଚନା ଦିଆଯାଇଛି । ଏହା ପକ୍ଷରୁ ଏକ ପ୍ରେସି ଇସ୍ତାହାର ଜାରି କରାଯାଇ କୁହାଯାଇଛି, ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାନୀୟ ସମ୍ପ୍ରଦାୟଙ୍କ ସହାୟତାରେ ନିଆଯାଇଥିବା ସମନ୍ୱିତ ଓ ସକ୍ରିୟ ପଦକ୍ଷେପ ଓ ବନ କ୍ଷେତ୍ର କର୍ମଚାରୀମାନଙ୍କ କଠିନ ପରିଶ୍ରମ ଫଳରେ ବନାଗ୍ନିକୁ ନିୟନ୍ତ୍ରିତ ଓ ଆୟତାଧିନ କରାଯାଇପାରିଛି ।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀ ମୁଖ୍ୟ ପକ୍ଷରୁ ଜାରି ହୋଇଥିବା ଏହି ପ୍ରେସ୍ ଇସ୍ତାହାରରେ ବର୍ଦ୍ଧିତ ମାନବ ଶକ୍ତି ଓ ଭିତ୍ତିଭୂମି ସହ ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହାୟତାକୁ ଅଗ୍ନିପ୍ରବଣ ଅଂଚଳ ସହ ହଟ୍ସ୍ପଟ୍ଗୁଡ଼ିକର ବନାଗ୍ନିକୁ ଦମନ କରିବା ନିମନ୍ତେ ପ୍ରଭାବଶାଳୀ ଭାବେ ବିନିଯୋଗ କରାଯାଉଛି । ଆଗାମୀ ଦୀର୍ଘ ଗ୍ରୀଷ୍ମଋତୁ ଓ ତାପମାନ ବୃଦ୍ଧିକୁ ଆଖି ଆଗରେ ରଖି କ୍ଷେତ୍ରୀୟ ଅଧିକାରୀ ଓ କର୍ମଚାରୀ ବନାଗ୍ନିର ବିସ୍ତାରକୁ ପ୍ରତିହତ କରିବା ନିମନ୍ତେ ସମ୍ପୂର୍ଣ୍ଣ ସଜାଗ ଓ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଛି ବୋଲି ଉଲ୍ଲେଖ କରାଯାଇଛି । ସରକାର କ୍ଷେତ୍ର କର୍ମଚାରୀଙ୍କ ସହ ସମୀକ୍ଷା କରି ବନାଗ୍ନି ସ୍ଥିତିର ନିରନ୍ତର ତଦାରଖ କରିବା ଜାରି ରଖିଛନ୍ତି । ରାଜ୍ୟରେ ବନାଗ୍ନି ପରିସ୍ଥିତି ସମ୍ପୂର୍ଣ୍ଣ ଆୟତାଧିନ ଅଛି ବୋଲି ଫରେଷ୍ଟ ଫାୟାର ଟାସ୍କ ଫୋର୍ସ ତଥା ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀ ମୁଖ୍ୟ ଏହା ମାଧ୍ୟମରେ ସୂଚନା ଦେଇଛନ୍ତି ।












Click it and Unblock the Notifications