ଫେବୃଆରୀ ମାସ ପାଇଁ ଜାରି ହେଲା କୋଭିଡ୍ ଗାଇଡଲାଇନ୍ : ବିବାହ ଓ ଅନ୍ତେଷ୍ଟି କ୍ରିୟା ପାଇଁ 500 ଲୋକଙ୍କୁ ଅନୁମତି
ବାହାଘର ଓ ଅନ୍ତେଷ୍ଟି କ୍ରିୟାରେ ସର୍ବାଧିକ 500 ଲୋକ ଯୋଗ ଦେବା ଲାଗି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ସାମାଜିକ ଦୂରତା, ମାସ୍କ ବ୍ୟବହାର ଓ ହ୍ୟାଣ୍ଡ ସାନିଟାଇଜିଂ କୁ ଗୁରୁତ୍ୱ ଦିଆଯିବ । ଏପରି କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେବେ ।
ଭୁବନେଶ୍ୱର : ଫେବୃଆରୀ ମାସ ପାଇଁ ରାଜ୍ୟ ସରକାର ଜାରି କଲେ କୋଭିଡ୍ ଗାଇଡଲାଇନ୍ । ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନ ଜାରି କରିଥିବା ଗାଇଡଲାଇନରେ ଦିଆଯଆଇଛି କେତେଟା କୋହଳ । କଣ୍ଟେନମେଣ୍ଟ ଜୋନକୁ ବାଦ୍ ଦେଲେ ଅନ୍ୟ ସମସ୍ତ ସ୍ଥାନ ପାଇଁ ଗାଇଡଲାଇନରେ କୋହଳ ହେବା ସହ ସାମାଜିକ ଦୂରତା, ମାସ୍କ ବ୍ୟବହାର ଓ ହ୍ୟାଣ୍ଡ ସାନିଟାଇଜିଂକୁ ବାଧ୍ୟତାମୂଳକ ରଖାଯାଇଛି ।
ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ ଅନୁସାରେ ପରିସ୍ଥିତିକୁ ନଜରରେ ରଖି ଜିଲ୍ଲାପାଳ ଓ ମୁନିସିପାଲଟି କମିଶନର ନିଜ ନିଜ ଜିଲ୍ଲା ତଥା ମୁନିସିପାଲିଟି ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ୍ ସ୍ଥିର କରିବେ । କେନ୍ଦ୍ର ସରକାରଙ୍କ କୋଭିଡ୍ ଗାଇଡଲାଇନ ଅନୁସାରେ କଣ୍ଟେନମେଣ୍ଟ ଜୋନ୍ ସ୍ଥଇର କରିବା ସହ ଏହାକୁ ପୋର୍ଟାଲରେ ଅପଲୋଡ୍ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ଲୋକଙ୍କ ମଧ୍ୟରେ କରୋନା ସମ୍ପର୍କିତ ସଚେତନତା ସୃଷ୍ଚି କରିବା ଦିଗରେ ଧ୍ୟାନ ଦେବାକୁ ମଧ୍ୟ ଗାଇଡଲାଇନରେ ଉଲ୍ଲେଖ ରହିଛି ।
ଏହା ବ୍ୟତୀତ କଣ୍ଟେନମେଣ୍ଟ ଜୋନ୍ ବାହାରେ ପାଳ କରିବାକୁ ନିର୍ଦ୍ଦେଶାବଳୀରେ ବହୁ ସଂଖ୍ୟକ ଲୋକଙ୍କ ଏକତ୍ରିତ ହେବାକୁ ବାରଣ କରାଯାଇଛି । ସାମାଜିକ, ସାଂସ୍କୃତିକ, ରାଜନୀତିକ, ଖେଳ, ଶୈକ୍ଷିକ କାର୍ଯ୍ୟକ୍ରମରେ ସର୍ବାଧିକ 500 ଲୋକ ସାମିଲ୍ ହେବାକୁ ଅନୁମତି ଦିଆଯାଇଛି । କାର୍ଯ୍ୟକ୍ରମ ହେଉଥିବା ହଲ କ୍ଷମତାର 50 ପ୍ରତିଶତ ଲୋକଙ୍କୁ ସାମିଲ୍ ଲାଗି ଅନୁମତି ମିଳିଛି । ଏଥିସହିତ ବାହାଘର ଓ ଅନ୍ତେଷ୍ଟି କ୍ରିୟାରେ ସର୍ବାଧିକ 500 ଲୋକ ଯୋଗ ଦେବା ଲାଗି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ସାମାଜିକ ଦୂରତା, ମାସ୍କ ବ୍ୟବହାର ଓ ହ୍ୟାଣ୍ଡ ସାନିଟାଇଜିଂ କୁ ଗୁରୁତ୍ୱ ଦିଆଯିବ । ଏପରି କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେବେ ।

ବାଣିଜ୍ୟିକ ମେଳାରେ କ୍ଷମତାର 50 ପ୍ରତିଶତ ଲୋକ କୋଭିଡ୍ ପ୍ରୋଟୋକଲ୍ସ ମାନି ଯିବାକୁ ଅନୁମତି । କୋଭିଡ୍ ଗାଇଡଲାଇନ୍ ମାନି ବିଦ୍ୟାଳୟ ଓ କଲେଜରେ ପାଠପଢ଼ା ହେବ । ଉଭୟ ଅନଲାଇନ୍ ଏବଂ ଦୂର ଶିକ୍ଷାକୁ ପ୍ରୋତ୍ସାହନ ଦିଆଯିବ ।
ବିଦ୍ୟାଳୟ ଏବଂ ଗଣ ଶିକ୍ଷା ବିଭାଗ, ଏସଟି ଏବଂ ଏସସି ବିକାଶ ଆବଶ୍ୟକ ନିର୍ଦ୍ଦେଶାବଳୀ / SOP ପାଳନ କରି ଗ୍ରେଡ୍ ପଦ୍ଧତିରେ ବିଦ୍ୟାଳୟ ଓ ହଷ୍ଟେଲ ଖୋଲିବା ନେଇ ବିସ୍ତୃତ SoP ବିକଶିତ କରିବ ଏବଂ ସରକାରଙ୍କ ଅନୁମୋଦନ କ୍ରମେ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେବ ବୋଲି ନିର୍ଦ୍ଦଶାବଳୀରେ କୁହାଯାଇଛି ।
ସେହିପରି କଲେଜ ଓ ଉଚ୍ଚଶିକ୍ଷା ଅନୁଷ୍ଠାନ ଖୋଲିବା ନିଷ୍ପତ୍ତି ନେବେ ଉଚ୍ଚଶିକ୍ଷା ବିଭାଗ । କଲେଜଗୁଡ଼ିକ ଜାନୁଆରି 31 ପର୍ଯ୍ୟନ୍ତ ବନ୍ଦ ରହିଥିବା ବେଳେ ଏହାର ଅବଧିକୁ ଆହୁରି ବଢ଼ାଯିବ କି ନାହିଁ, ସେ ନେଇ ବିଭାଗ ନିଷ୍ପତ୍ତି ନେବେ । ବିଭାଗ ଅଧିନରେ ପରିଚାଳିତ କଲେଜ ଓ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ଏଥି ସହ ଜଡ଼ିତ ବିଭିନ୍ନ ପକ୍ଷ ସହିତ ଆଲୋଚନା ମାଧ୍ୟମରେ ଖୋଲାଯାଇପାରିବ । ତେବେ ଏଥିଲାଗି ଗୃହବିଭାଗ ଏସଓପି, ୟୁଜିସି ଓ ଏଆଇସିଟିଇ ଗାଇଡଲାଇନ୍ ଅନୁସରଣ କରିବା ବାଧ୍ୟତାମୂଳକ ହେବ ।
ପୂର୍ବରୁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଏସଓପି ଅନୁଯାୟୀ ସିନେମା ହଲ ଓ ଥିଏଟର ଚାଲୁ ରହିବ । କୋଭିଡ କଟକଣାକୁ କଡ଼ାକଡି ଭାବେ ଲାଗୁ କରି ମୁକ୍ତାକାଶ ଥିଏଟରଗୁଡିକୁ ଖୋଲିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ (ଜିଲ୍ଲା ମାଜିଷ୍ଟ୍ରେଟ୍ / ମ୍ୟୁନିସିପାଲିଟି କମିଶନର କିମ୍ବା ସେମାନଙ୍କ ଦ୍ବାରା ଅନୁମୋଦିତ ଅଧିକାରୀ) ଅନୁମତି ଦେଇପାରିବେ । ସୁଇମିଂ ପୁଲ ଖୋଲିବା ଏବଂ ଏହାର ବ୍ୟବହାର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ଏସଓପି ଅନୁଯାୟୀ ହେବ । ଅନ୍ତଃ-ରାଜ୍ୟ ଏବଂ ଆନ୍ତଃ-ରାଜ୍ୟ ଯାତାୟତ ଉପରୁ କଟକଣା ହଟାଯାଇଛି । 65 ବର୍ଷରୁ ଅଧିକ, ଗର୍ଭବତୀ, ଅନ୍ୟ ଗମ୍ଭୀର ଶରୀରିକ ସମସ୍ୟାରେ ପୀଡ଼ିତ ଥିବା ବ୍ୟକ୍ତି ଓ 10 ବର୍ଷରୁ କମ୍ ଶିଶୁଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି ।
ଫେବୃଆରୀ 1 ତାରିଖରୁ ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର କାର୍ଯ୍ୟକ୍ଷମ କରିବା ନେଇ ଅନୁମତି ଦିଆଯାଇଛି । ଧର୍ମାନୁଷ୍ଠାନ ଖୋଲିବା ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ । ଏସଓପି ଅନୁସାରେ ପ୍ରେକ୍ଷାଳୟ ଚାଲିବ । ମୁକ୍ତାକାଶ ରଙ୍ଗମଞ୍ଚ, ଯାତ୍ରା ଆଦି ନେଇ ସ୍ଥାନୀୟ କର୍ତ୍ତୃପକ୍ଷ ଅନୁମତି ଦେବେ । ସବୁଠି କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।












Click it and Unblock the Notifications