ପାନୀୟ ଜଳ ସମସ୍ୟା ଥିବା ହଟ୍ସ୍ପଟ୍ ଅଞ୍ଚଳ ଚିହ୍ନଟ କରି ପ୍ରତିକାରମୂଳକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଲୋକଙ୍କ ଅଭିଯୋଗର ଶୁଣାଣି ପାଇଁ ଏକ ତ୍ରୁଟିଶୂନ୍ୟ ଅଭିଯୋଗ ଶୁଣାଣି ବ୍ୟବସ୍ଥା ସହିତ ବୈଷୟିକ ଜ୍ଞାନସଂପନ୍ନ ତଦାରଖ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ମଧ୍ୟ ଶ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି(ବୁଧବାର) ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ପାନୀୟ ଜଳ ଯୋଗାଣ ସଂପର୍କରେ ସମୀକ୍ଷା କରି ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତ ଓ ପୌରାଞ୍ଚଳ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଶତପ୍ରତିଶତ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରମାଣ ପତ୍ର ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ଖୁବ ଶୀଘ୍ର ଗ୍ରୀଷ୍ମ ଋତୂ ଆସିଥିବାରୁ ଏବଂ ଏବର୍ଷ ପୂର୍ବାପେକ୍ଷା ଅଧିକ ଗରମ ହେବାର ସମ୍ଭାବନା ଥିବାରୁ ଆମକୁ ପୂର୍ବ ବର୍ଷ ଗୁଡିକ ଅପେକ୍ଷା ଅଧିକ ପ୍ରସ୍ତୁତି କରିବାକୁ ପଡିବ ।
ଏଥିସହିତ ନିୟମିତ ପାନୀୟ ଜଳ ସମସ୍ୟା ଥିବା ହଟ୍ସ୍ପଟ୍ ଅଂଚଳ ଗୁଡିକୁ ଚିହ୍ନଟ କରି ତୁରନ୍ତ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଲୋକଙ୍କ ଅଭିଯୋଗର ଶୁଣାଣି ପାଇଁ ଏକ ତ୍ରୁଟିଶୂନ୍ୟ ଅଭିଯୋଗ ଶୁଣାଣି ବ୍ୟବସ୍ଥା ସହିତ ବୈଷୟିକ ଜ୍ଞାନସଂପନ୍ନ ତଦାରଖ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ମଧ୍ୟ ଶ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।

ଏହା ବ୍ୟତୀତ ବରିଷ୍ଠ ଅଧିକାରୀମାନେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଉତ୍ତମ ରୂପେ ତଦାରଖ କରି ଅବହେଳା କରୁଥିବା ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲାପାଳମାନେ ନିୟମିତ ସମୀକ୍ଷା କରି ସମସ୍ୟାର ସମାଧାନ କରିବାକୁ କହିଛନ୍ତି ।
ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପାନୀୟ ଜଳର ସୁବିଧା ପାଇଁ ବ୍ୟାପକ ଅର୍ଥ ବିନିଯୋଗ କରୁଛନ୍ତି ।
ଗ୍ରାମାଞ୍ଚଳରେ 17 ହଜାର କୋଟି ଟଙ୍କାର 89ଟି ବୃହତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ 2024 ସୁଦ୍ଧା ସବୁ ଗାଁର ପରିବାରକୁ ଶତପ୍ରତିଶତ ପାଇପ ଜଳ ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ସେହିପରି ସହରାଞ୍ଚଳରେ ମଧ୍ୟ ଗତ 3 ବର୍ଷ ମଧ୍ୟରେ ପାନୀୟ ଜଳ ପାଇଁ 3ହଜାର 800 କୋଟି ଟଙ୍କା ବିନିଯୋଗ କରାଯାଇଛି ଏବଂ 2022 ସୁଦ୍ଧା ସହରାଞ୍ଚଳର ସବୁ ପରିବାରକୁ ପାଇପ ଜଳ ଯୋଗାଣର ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଇଛନ୍ତି । ଲୋକଙ୍କୁ ଉତ୍ତମ ମାନର ପାନୀୟ ଜଳ ଯୋଗାଇ ଦେବା ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକତା ଏବଂ ବିଶେଷକରି ଖରାଦିନରେ ଏହାର ଗୁରୁତ୍ବ ବହୁତ ଅଧିକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଆଲୋଚନାରୁ ଜଣାଯାଇଛି ଯେ ସହରାଞ୍ଚଳରେ 2021 ରେ ପାନୀୟ ଜଳର ଆବଶ୍ୟକତା ଦୈନିକ 1088 ମିଲିଅନ ଲିଟର ଥିବାବେଳେ, ଦୈନିକ 1093 ମିଲିଅନ ଲିଟର ପାନୀୟ ଜଳ ଯୋଗାଣ କରାଯାଉଛି । ଏହାସହିତ 2016 ରେ ତିନି ଲକ୍ଷ ଘରକୁ ପାଇପ ପାଣି ସଂଯୋଗ ହୋଇଥିବା ବେଳେ ଏବେ 8ଲକ୍ଷ 30 ହଜାର ଘରକୁ ପାଇପ ପାଣି ସଂଯୋଗ ଦିଆଯାଇଛି ବୋଲି ସେ କହିଛନ୍ତି । ତେଣୁ ବର୍ତ୍ତମାନ ପାନୀୟ ଜଳ ଯୋଗାଣର କ୍ଷମତା ବେଶ୍ ଭଲ ରହିଛି । 2016-17 ରୁ 2020-21 ମଧ୍ୟରେ ବାସଗୃହ ଗୁଡିକୁ ପାନୀୟ ଜଳ ସଂଯୋଗ କ୍ଷେତ୍ରରେ 168 ପ୍ରତିଶତ ଉନ୍ନତି ଆସିଛି ବୋଲି ଏହି ସମୀକ୍ଷା ବୈଠକରେ ସୂଚନା ଦିଆଯାଇଥିଲା।
ରାଜ୍ୟର 65 ପୌରାଞ୍ଚଳର 335 ଟି ସ୍ଥାନରେ ପାନୀୟ ଜଳର ସମସ୍ୟା ଥିବା ବେଳେ ଏଗୁଡିକୁ 117ଟି ଟ୍ୟାଙ୍କର ଓ 1380 ଟି PVC ଟ୍ୟାଙ୍କ ଜରିଆରେ ପାଣି ଯୋଗାଇ ଦିଆଯାଉଛି । ସମସ୍ତ ଅଭିଯୋଗର ପ୍ରତିକାର 24 ଘଣ୍ଟା ମଧ୍ୟରେ କରାଯାଉଛି । ଏହାଛଡା ପାନୀୟ ଜଳର ସମସ୍ୟା ଥିବା 11ଟି ପୌରାଞ୍ଚଳ ଉପରେ ସ୍ବତନ୍ତ୍ର ଧ୍ୟାନ ରଖାଯାଇଛି । ସମସ୍ତ ପୌରାଞ୍ଚଳରେ ମୋ ସରକାର ସେଲ୍ ଜରିଆରେ ଅଭିଯୋଗର ଶୁଣାଣି କରାଯାଉଛି ବୋଲି ବୈଠକରେ କୁହାଯାଇଛି ।
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଶ୍ରୀ ଦେଓରଂଜନ କୁମାର ସିଂହ କହିଥିଲେ, ସାରା ଦେଶରେ ପାନୀୟ ଜଳ କ୍ଷେତ୍ରରେ 81 ପ୍ରତିଶତ ଲୋକଙ୍କୁ ଦୈନିକ ବ୍ୟକ୍ତି ପିଛା 40 ଲିଟର ପାଣି ଦିଆଯାଉଥିବା ବେଳେ, ଓଡିଶାରେ ଶତପ୍ରତିଶତ ଲୋକଙ୍କୁ ବ୍ୟକ୍ତି ପିଛା ଦୈନିକ 40 ଲିଟର ପାଣି ଦିଆଯାଇପାରୁଛି । ଏହା ବ୍ୟତୀତ ଗ୍ରାମାଞ୍ଚଳ ଜନସଂଖ୍ୟାର 47. 65 ପ୍ରତିଶତ ଲୋକ, 54 ପ୍ରତିଶତ ଗାଁ ଓ 27 ପ୍ରତିଶତ ଜନବସତିକୁ ପାଇପ ପାଣିର ସୁବିଧା ଦିଆଯାଇପାରିଛି ବୋଲି ଶ୍ରୀ ସିଂହ କହିଛନ୍ତି । ଖରାଦିନ ପାଇଁ ସବୁ ପାଇପ ପାଣି ଓ ଟ୍ୟୁବୱେଲ ଗୁଡିକୁ ଯାଂଚ କରାଯାଉଛି ଏବଂ ପ୍ରତିକାର ବ୍ୟବସ୍ଥା କରାଯାଉଛି । ଏଥିସହିତ ମୋବାଇଲ ଭ୍ୟାନ ଓ ଟିମ୍ ପ୍ରସ୍ତୁତ କରାଯାଇ ପାନୀୟ ଜଳ ଯୋଗାଣ କରାଯାଉଛି । ଜଳକଷ୍ଟ ଅଞ୍ଚଳରେ ଟ୍ୟାଙ୍କର ଜରିଆରେ ପାଣି ଯୋଗାଇ ଦିଆଯାଉଛି ବୋଲି ମଧ୍ୟ ବୈଠକରେ ସୂଚନା ଦିଆଯାଇଛି ।
ଏହି ବାଠକରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପାନୀୟ ଜଳ ଯୋଗାଣ ସଂପର୍କରେ ନିୟମିତ ସମୀକ୍ଷା କରାଯିବ । ଏହି ବୈଠକକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ସଂଞ୍ଚାଳନ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର, ଜଂଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ -
ହର୍ମୁଜ ପ୍ରଣାଳୀ ବନ୍ଦ ରହିବା ଉଚିତ୍- ମୋଜତାବା












Click it and Unblock the Notifications