ଚାଷୀ, ମିଶନ ଶକ୍ତି ଗୋଷ୍ଠୀଙ୍କୁ ନିଜ ଗୋଡରେ ଠିଆ କରିବାକୁ ଋଣ ହିଁ ପ୍ରଥମ ଆବଶ୍ୟକତା : ମୁଖ୍ୟମନ୍ତ୍ରୀ
ମିଶନ ଶକ୍ତି ଗୋଷ୍ଠୀ ମାନଙ୍କୁ ଋଣ ପ୍ରଦାନ ରାଜ୍ୟ ସରକାରଙ୍କ ପ୍ରାଥମିକତା | ସମ୍ବଲପୁର, କନ୍ଧମାଳ, ନୂଆପଡା ଓ ବାଲେଶ୍ୱର ଆଦି ଜିଲ୍ଲା ଏ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛନ୍ତି | ଯାଜପୁର, ମୟୁରଭଂଜ, ଗଞ୍ଜାମ ଓ ପୁରୀ ଜିଲ୍ଲାକୁ ଉନ୍ନତି ଆଣିବାକୁ ହେବ ।
ଭୁବନେଶ୍ୱର : ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା ଗୁଡିକ ରାଜ୍ୟ ଅର୍ଥନୀତିର ମେରୁଦଣ୍ଡ | ଏମାନଙ୍କୁ ଋଣ ପ୍ରଦାନର ଧାରା ସନ୍ତୋଷଜନକ ରହିଛି | ନୟାଗଡ, ଯାଜପୁର ଆଦି ଜିଲ୍ଲା ସେମାନଙ୍କର ଲକ୍ଷ୍ୟ ଠାରୁ ଅଧିକ ଉନ୍ନତ ପ୍ରଦର୍ଶନ କରିଛନ୍ତି | ଗଜପତି, ଦେବଗଡ ଓ ନୂଆପଡା ଆଦି ଜିଲ୍ଲା ଗୁଡିକର ପ୍ରଦର୍ଶନରେ ଉନ୍ନତିର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି | କୃଷକ, ମିଶନ ଶକ୍ତି ଓ MSMEକୁ ଋଣ ପ୍ରଦାନ ସଂପର୍କରେ ଜିଲ୍ଲାପାଳ ଓ ବ୍ୟାଙ୍କର ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଯୋଗଦେଇ ସେ କହିଛନ୍ତି ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ତାଙ୍କର ବାର୍ଷିକ ଋଣପ୍ରଦାନ ଲକ୍ଷ୍ୟ ଠାରୁ ଅଧିକ ଋଣ ପ୍ରଦାନ କରିଛନ୍ତି | ଏଥି ସହିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବର୍ତ୍ତମାନ ସୁଦ୍ଧା MSME କ୍ଷେତ୍ରକୁ ସର୍ବାଧିକ 7ହଜାର 250 କୋଟି ଟଙ୍କା ପ୍ରଦାନ କରିଛି | ବ୍ୟାଙ୍କ ଅଫ ବରୋଦା, ଇଣ୍ଡିଆନ ବ୍ୟାଙ୍କ ଓ ଆକ୍ସିସ ବ୍ୟାଙ୍କ ଏ କ୍ଷେତ୍ରରେ ଅଧିକ ଉନ୍ନତି କରିବାର ଆବଶ୍ୟକତା ରହିଛି ବୋଲି ସେ ମତ ପ୍ରକାଶ କରିଛନ୍ତି |
ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ମିଶନ ଶକ୍ତି ଗୋଷ୍ଠୀ ମାନଙ୍କୁ ଋଣ ପ୍ରଦାନ ରାଜ୍ୟ ସରକାରଙ୍କ ପ୍ରାଥମିକତା | ସମ୍ବଲପୁର, କନ୍ଧମାଳ, ନୂଆପଡା ଓ ବାଲେଶ୍ୱର ଆଦି ଜିଲ୍ଲା ଏ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛନ୍ତି | ଯାଜପୁର, ମୟୁରଭଂଜ, ଗଞ୍ଜାମ ଓ ପୁରୀ ଜିଲ୍ଲାକୁ ଉନ୍ନତି ଆଣିବା ପାଇଁ ସେ ପରାମର୍ଶ ଦେଇଛନ୍ତି |

ଚାଷୀମାନଙ୍କ ସମସ୍ୟା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତିବର୍ଷ ଅନିୟମିତ ପାଣିପାଗର କଷ୍ଟ ସହୁଥିବା ଚାଷୀମାନଙ୍କୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଋଣ ପ୍ରଦାନ କରି ସେମାନଙ୍କୁ ସାହାଯ୍ୟ କରିପାରିବ | ଅଧିକାଂଶ ଜିଲ୍ଲାରେ ଚାଷୀମାନଙ୍କୁ ଋଣପ୍ରଦାନ କ୍ଷେତ୍ରରେ ଭଲ ଅଗ୍ରଗତି ହୋଇଛି | ସୁନ୍ଦରଗଡ, ସୋନପୁର ଓ ବଲାଙ୍ଗୀର ଜିଲ୍ଲାରେ ଚାଷୀମାନଙ୍କୁ ଋଣପ୍ରଦାନ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଥିଲେ | ମାଲକାନଗିରି, ଢେଙ୍କାନାଳ ଓ କଳାହାଣ୍ଡି ଜିଲ୍ଲାକୁ ଏ କ୍ଷେତ୍ରରେ ଅଧିକ ଉନ୍ନତି ଆଣିବା ପାଇଁ ପରାମର୍ଶ ଦେଇଛନ୍ତି | ସେହିପରି ରାଜ୍ୟ ସମବାୟ ବ୍ୟାଙ୍କ, କାନାରା ବ୍ୟାଙ୍କ ଓ ବନ୍ଧନ ବ୍ୟାଙ୍କ ଋଣ ପ୍ରଦାନରେ ଭଲ ପ୍ରଦର୍ଶନ କରିଥିବାରୁ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ, ପଞ୍ଜାବ ନ୍ୟାସ୍ନାଲ ବ୍ୟାଙ୍କ ଓ ୟୁକୋ ବ୍ୟାଙ୍କକୁ ଏ କ୍ଷେତ୍ରରେ ଆହୁରି ଭଲ ପ୍ରଦର୍ଶନ ପାଇଁ ପରାମର୍ଶ ଦେଇଥିଲେ |
ଓଡିଶା ଆଜି ସଫଳତାର ସହ କୋଭିଡ ପରିଚାଳନା କରି ସାରା ଦେଶରେ ଉଦାରହଣ ସୃଷ୍ଟି କରିପାରିଛି | ଟୀକା ଆସିବାର ସମ୍ଭାବନା ସହିତ ନୂଆବର୍ଷକୁ ଆମେ ନୂଆ ଆଶା ସହିତ ସ୍ୱାଗତ କରୁଛୁ | ଏଭଳି ସମୟରେ ଅର୍ଥନୀତିର ପୁନରୁଦ୍ଧାରର ଆଶାକୁ ଆମେ ରାଜ୍ୟର ପ୍ରତ୍ୟେକ ପରିବାର ନିକଟରେ ପହଞ୍ଚାଇବାକୁ ଚାହୁଁଛୁ | କିନ୍ତୁ ଯଦି ସେମାନଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଆମେ ପୂରଣ ନ କରି ପାରୁ, ତେବେ ଆମ ବ୍ୟବସ୍ଥା, ଆମର ସଂସ୍ଥା ମାନଙ୍କର କୌଣସି ମୂଲ୍ୟ ରହିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି |
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ କିଛି ସପ୍ତାହ ମଧ୍ୟରେ ଋଣ ପ୍ରଦାନ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଥିଲେ ମଧ୍ୟ ଋଣ ଚାହୁଁଥିବା ପ୍ରତ୍ୟେକ ନାଗରିକର ଆବଶ୍ୟକତା ପୂରଣ ହେବା ପର୍ଯ୍ୟନ୍ତ ଏହି ଧାରା ଅବ୍ୟାହତ ରହିବା ଜରୁରୀ |
ଚଳିତ ଆର୍ଥକ ବର୍ଷର ଶେଷ ତିନିମାସ ମଧ୍ୟରେ ସବୁ ଜିଲ୍ଲା ଓ ବ୍ୟାଙ୍କ ମାନେ ବର୍ଷ ଶେଷ ସୁଦ୍ଧା ସେମାନଙ୍କର ଋଣ ପ୍ରଦାନର ଲକ୍ଷ୍ୟ ପୂରଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି | ଆଗାମୀ ଫେବୃଆରୀ ୨୬ ତାରିଖରେ ଏ ସଂପର୍କରେ ସେ ଆଉ ଥରେ ସମୀକ୍ଷା ହେବ ବୋଲି ସେ କହିଛନ୍ତି | ଏଥିସହିତ ଭଲ ପ୍ରଦର୍ଶନ କରୁଥିବା ବ୍ୟାଙ୍କ ମାନଙ୍କ ସଂପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅବଗତ କରାଯିବ ବୋଲି ପ୍ରକାଶ କରି ସେମାନଙ୍କୁ ଚଳିତ ଆର୍ଥିକ ବର୍ଷ ଶେଷରେ ପୁରସ୍କୃତ ମଧ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି |
କୃଷି ବିଭାଗ ପ୍ରମୁଖ ସଚିବ ଶ୍ରୀ ସୌରଭ ଗର୍ଗ ଏବଂ ମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗର ସଚିବ ଶ୍ରୀ ଆର୍. ରଘୁପ୍ରସାଦ ଋଣପ୍ରଦାନ କ୍ଷେତ୍ରରେ ଅଧିକ ଉନ୍ନତିର ଆବଶ୍ୟକତା ରହିଛି ବୋଲି କହିଛନ୍ତି | ଏଥିସହିତ କୃଷି ଓ ପଶୁପାଳନରେ କିଶାନ କ୍ରେଡିଟ କାର୍ଡ ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟାଗ ଯୋଜନାକୁ ଋଣପ୍ରଦାନ କ୍ଷେତ୍ରରେ ବ୍ୟାଙ୍କ ମାନେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ବୈଠକରେ ମତପ୍ରକାଶ ପାଇଥିଲା |
ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ, ମିଶନ ଶକ୍ତି କମିଶନର ତଥା ନିର୍ଦ୍ଦେଶକ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍, MSME ବିଭାଗର ପ୍ରମୁଖ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିଶନର ଶ୍ରୀ ରାଜକୁମାର ଶର୍ମା, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ବ୍ୟାଙ୍କମାନଙ୍କ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ |












Click it and Unblock the Notifications