ସ୍ୱାଭିମାନ ଅଞ୍ଚଳ ସବୁବେଳେ ମୋ ହୃଦୟରେ ରହିଛି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଭିମାନ ଅଞ୍ଚଳର ଲୋକମାନଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି | ଏହି ଅବସରରେ ସେ 4-G ମୋବାଇଲ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି |
ଭୁବନେଶ୍ୱର: ସ୍ୱାଭିମାନ ଅଞ୍ଚଳ ସବୁବେଳେ ମୋ ହୃଦୟରେ ରହିଛି | ଏ ଅଞ୍ଚଳକୁ ରାଜ୍ୟର ଏକ ଆଗୁଆ ଅଞ୍ଚଳ ଭାବରେ ଗଢି ତୋଳିବା ପାଇଁ ମୋ ଉଦ୍ୟମ ଜାରି ରହିବ ବୋଲି ସ୍ୱାଭିମାନ ଅଞ୍ଚଳର ଲୋକଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି |
ଏହି ଅବସରରେ ସେ 4ଜି ମୋବାଇଲ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି | ଏହି ଯୋଜନାରେ ସ୍ୱାଭିମାନ ଅଞ୍ଚଳର ସମସ୍ତ ପରିବାରକୁ ଗୋଟିଏ ଲେଖାଏଁ 4ଜି ମୋବାଇଲ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି | ଯାହା ସ୍ୱାଭିମାନ ଅଞ୍ଚଳର ଲୋକମାନଙ୍କୁ ଅନ୍ୟ ଲୋକମାନଙ୍କ ସହ ଭଲ ଭାବେ ଯୋଡ଼ି ହେବା ସହ ପିଲାମାନଙ୍କର ପାଠପଢାରେ ସହାୟକ ହେବ ବୋଲି ସେ କହିଛନ୍ତି | ସ୍ୱାଭିମାନ ଅଞ୍ଚଳରେ 4-ଜି ସୁବିଧା ସହ ଆଉ ତିନୋଟି ଟାଓ୍ୱାର କରିବାକୁ ଆମର ଯୋଜନା ରହିଛି । ଏଥିରେ ନିୟୋଜିତ ଭାରତ ଇନଫ୍ରାରେଡ୍ ପ୍ରାଇଭେଟ୍ ଲିମିଟେଡକୁ ଧନ୍ୟବାଦ ଦେଇଛନ୍ତି |

2018 ମସିହା ଜୁଲାଇ ମାସରେ ସ୍ୱାଭିମାନ ଅଞ୍ଚଳ ଗସ୍ତ କରି ସେ ଗୁରୁପ୍ରିୟା ସେତୁ ଉଦଘାଟନକୁ ମନେପକାଇବା ସହ 'ସେତୁ' କାର୍ଯ୍ୟକ୍ରମରେ ଘୋଷଣା କରାଯାଇଥିବା 100 କୋଟି ଟଙ୍କାର ପ୍ୟାକେଜକୁ 215 କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିବା ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି | ଏହି ଯୋଜନାରେ ଶିକ୍ଷା, ଜୀବିକା ସ୍ୱାସ୍ଥ୍ୟ ସେବା, ଯୋାଗାଯୋଗ, ପିଇବା ପାଣି, ଜଳସେଚନ, ଘର, ବ୍ୟାଙ୍କ ସେବା ଆଦି ଉପରେ ଗୁରୁତ୍ୱ ଦିଆଯାଇଛି | ଏଥି ସହିତ ମିଶନ ଶକ୍ତିର ମା' ମାନଙ୍କ ପାଇଁ କ୍ଷେତ୍ର ପରିଦର୍ଶନର ବ୍ୟବସ୍ଥା ମଧ୍ୟ କରାଯାଇଛି |
CM @Naveen_Odisha interacts with people of Swabhiman Anchala & launches mobile phone distribution programme. https://t.co/pOsuL7JStm
— CMO Odisha (@CMO_Odisha) November 17, 2020
ଏହା ସହିତ ସ୍ୱାଭିମାନ ଅଞ୍ଚଲରେ ଚାଷ ହେଉଥିବା ହଳଦୀର ବହୁ ଆଦର ଥିବା କହି, ଅଧିକ ହଳଦୀ ଚାଷ ସହିତ ଏହାର ପ୍ରକ୍ରିୟାକରଣ ଏବଂ ବ୍ରାଣ୍ଡିଂ ପାଇଁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି | ବିଜୁଳି ସେବା ପାଇଁ 33 x 11 କେଭି ସବଷ୍ଟେସନ କାମ ଖୁବ ଶୀଘ୍ର ଶେଷ ହେବ ଏବଂ 11 କେଭି 3ଫେଜ୍ ଲାଇନ୍ ଦିଆଯିବ | ଗାଁ ଗାଁ ରେ କଂକ୍ରିଟ ରାସ୍ତାଠାରୁ ଆରମ୍ଭ କରି 78 କିଲୋମିଟର ପିଚୁ ରାସ୍ତା ଓ 7ଟି ସେତୁ ପାଇଁ 100 କୋଟି ଟଙ୍କା ଖର୍ଚ୍ଚ କରାଯିବ | ଭଲ ପିଇବା ପାଣି ପାଇଁ 20 କୋଟି ଟଙ୍କାରେ ଗୋଟିଏ ମେଗା ପାଇପ ଓ୍ୱାଟର ସପ୍ଲାଏ ପ୍ରକଳ୍ପ ଆରମ୍ଭ ହୋଇଛି ଏବଂ 250ଟି ନଳକୂପ କାମ ଶେଷ ହୋଇଛି | 32 କୋଟି ଟଙ୍କା ଖର୍ଚ୍ଚରେ ଜଳସେଚନ ପାଇଁ 43ଟି ଉଠା ଜଳସେଚନ ପ୍ରକଳ୍ପ ଏବଂ 419ଟି କ୍ଲଷ୍ଟର ଗଭୀର ନଳକୂପ କରାଯିବ | ଫଳରେ 1700 ହେକ୍ଟର ଜମିକୁ ପାଣି ମିଳିପାରିବ | ସ୍ୱାଭିମାନ ଅଞ୍ଚଳର 82ଟି ଅଙ୍ଗନବାଡି କେନ୍ଦ୍ର ଓ ସ୍ୱାସ୍ଥ୍ୟ ଉପକେନ୍ଦ୍ର କାମ ଚାଲିଛି ଏବଂ ଖୁବ ଶୀଘ୍ର ଏହା ଶେଷ ହେବ ବୋଲି ସେ କହିଛନ୍ତି |
ଏହି ଅବସରରେ ମାଓବାଦୀମାନଙ୍କୁ ହିଂସା ଛାଡି ମୁଖ୍ୟଧାରାକୁ ଫେରି ଆସିବା ସହ ବିକାଶ କାମକୁ ଆଗେଇ ନେବାରେ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।












Click it and Unblock the Notifications