ତୃତୀୟ ଜାତୀୟ ଚିଲିକା ପକ୍ଷୀ ଉତ୍ସବ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ : କ୍ରମବର୍ଦ୍ଧିଷ୍ଣୁ ସଫଳତା ନେଇ ରଖିଲେ ଆଶା
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ତୃତୀୟ ଚିଲିକା ଜାତୀୟ ପକ୍ଷୀ ଉତ୍ସବକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍ଘାଟନ କରିଛନ୍ତି ।
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ତୃତୀୟ ଚିଲିକା ଜାତୀୟ ପକ୍ଷୀ ଉତ୍ସବକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ଏହି ଉତ୍ସବ ପାଳନର ମୁଖ୍ୟ ଲକ୍ଷ୍ୟ ହେଲା, ଭ୍ରମଣକାରୀ ପକ୍ଷୀମାନଙ୍କ ସୁରକ୍ଷା ଓ ସଂରକ୍ଷଣ ନେଇ ବ୍ୟାପକ ଜନସଚେତନତାର ପ୍ରସାର । ଜୈବ ବିବିଧତାରେ ପରିପୂର୍ଣ୍ଣ ଓ ସମୃଦ୍ଧ ଚିଲିକା ହ୍ରଦକୁ ପ୍ରତିବର୍ଷ ଶୀତଋତୁରେ ପ୍ରାୟ 12 ଲକ୍ଷରୁ ଅଧିକ ଭ୍ରମଣକାରୀ ବିଦେଶ ପକ୍ଷୀ ଆସିଥାନ୍ତି । ସେଥିପାଇଁ ଚିଲିକାର ମଙ୍ଗଳାଯୋଡ଼ି ଓ ନଳବଣ ଦ୍ୱୀପକୁ ଏସିଆର ପକ୍ଷୀ ଭୂସ୍ୱର୍ଗ କୁହାଯାଏ । ତେଣୁ ଏହି ଜାତୀୟ ଚିଲିକା ପକ୍ଷୀ ଉତ୍ସବ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ କ୍ରମବର୍ଦ୍ଧିଷ୍ଣୁ ସଫଳତା ହାସଲ କରୁ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ଏଥି ସହିତ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ପକ୍ଷୀ ବିଶେଷଜ୍ଞ, ପକ୍ଷୀପ୍ରେମୀ, ଫଟୋଗ୍ରାଫର ଓ ପର୍ଯ୍ୟଟକମାନେ ଏହି ତ୍ରିଦିବସୀୟ ଜାତୀୟ ଚିଲିକା ପକ୍ଷୀ ଉତ୍ସବରେ ସାମିଲ ହେବା ପାଇଁ ନାମ ପଞ୍ଜୀକରଣ କରି ମଙ୍ଗଳାଯୋଡ଼ି, ନଳବଣ ଭଳି ପକ୍ଷୀ ଭୂସ୍ୱର୍ଗକୁ ଦେଖିବାର ମଜା ଉଠାଇବା ସହ ଲକ୍ଷ ଲକ୍ଷ ପକ୍ଷୀଙ୍କ ସମାଗମକୁ ମନଭରି ଉପଭୋଗ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
ଲୋକସେବା ଭବନସ୍ଥିତ କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି, ଚିଲିକା ହ୍ରଦ ଓଡ଼ିଶା ପର୍ଯ୍ୟଟନର ଆତ୍ମା କହିଲେ ଅତ୍ୟୁକ୍ତି ହେବ ନାହିଁ । ବିଦେଶାଗତ ପକ୍ଷୀଙ୍କ ବୃହତମ ଆଶ୍ରୟସ୍ଥଳ ଭାବେ ଏସିଆ ଉପମହାଦେଶରେ ଚିଲିକା ହ୍ରଦ ସୁଖ୍ୟାତି ବହନ କରିଛି । ଚିଲିକା ହ୍ରଦ ୧୯୮୧ ମସିହାରେ ଦେଶର ପ୍ରଥମ ରାମସାରସ୍ଥଳୀ ଭାବେ ସ୍ୱୀକୃତି ପାଇଥିଲା । କେବଳ ଆମ ରାଜ୍ୟ କାହିଁକି, ସାରା ବିଶ୍ୱର ଆର୍ଦ୍ରଭୂମିଗୁଡ଼ିକ ମଧ୍ୟରେ ଚିଲିକାର ସ୍ଥାନ ସ୍ୱତନ୍ତ୍ର । ଶୀତ ଦିନରେ ସୁଦୂର ସାଇବେରିଆ ଠାରୁ ଆରମ୍ଭ କରି ସାରା ପୃଥିବୀର କୋଣ ଅନୁକୋଣରୁ ହଜାର ହଜାର କିଲୋମିଟର ଅତିକ୍ରମ କରି ପ୍ରାୟ 190 ପ୍ରଜାତିର 12 ଲକ୍ଷରୁ ଅଧିକ ପକ୍ଷୀ ମଙ୍ଗଳାଯୋଡ଼ିକୁ ଆସିଥାନ୍ତି । ପକ୍ଷୀ ପର୍ଯ୍ୟଟନକୁ ଅଗ୍ରାଧିକାର ଦେଉଥିବା ଚିଲିକାର ଏହି ଜାତୀୟ ଚିଲିକା ପକ୍ଷୀ ଉତ୍ସବରେ ପକ୍ଷୀ ବିଶେଷଜ୍ଞମାନେ ଯୋଗଦେଇ ପକ୍ଷୀ ଶିକାର ନିରୋଧ ସମ୍ବନ୍ଧୀୟ ସଚେତନତା, ଚିଲିକାକୁ ଆସୁଥିବା ଭ୍ରମଣକାରୀ ପକ୍ଷୀମାନଙ୍କ ବିଷୟରେ ବିଭିନ୍ନ ତଥ୍ୟ ଓ ପକ୍ଷୀ ସଂରକ୍ଷଣ ସଂକ୍ରାନ୍ତୀୟ ବିଭିନ୍ନ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥାନ୍ତି ବୋଲି ଶ୍ରୀ ଆରୁଖ କହିଛନ୍ତି ।
Welcome all to spend time amongst largest congregation of avian guests from all over the world during #3rdNationalChilikaBirdFestival from 8th Jan to 10th Jan. It is an experience of a lifetime to be with the winged guests in this birds’ paradise during winter.@odisha_tourism pic.twitter.com/WwCVkTvGXh
— Naveen Patnaik (@Naveen_Odisha) January 8, 2021
ଏହି ଫଦଘାଟନୀ ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଥିଲେ, ଜାତୀୟ ଚିଲିକା ପକ୍ଷୀ ଉତ୍ସବକୁ ପକ୍ଷୀପ୍ରେମୀ ପର୍ଯ୍ୟଟକମାନେ ଅଧିକରୁ ଅଧିକ ସଂଖ୍ୟାରେ ଆସିଲେ ସେମାନେ ରାଜ୍ୟ ପାଇଁ ପର୍ଯ୍ୟଟନ ରାଷ୍ଟ୍ରଦୂତ ରୂପେ ସାବ୍ୟସ୍ତ ହେବେ । ଏଥିସହିତ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର କହିଥିଲେ, କୋଭିଡ୍ କଟକଣା ସତ୍ତ୍ୱେ ରାଜ୍ୟ ତଥା ରାଜ୍ୟ ବାହାରୁ 55 ଜଣ ପକ୍ଷୀପ୍ରେମୀ ଏହି ଉତ୍ସବକୁ ଉପଭୋଗ କରିବା ପାଇଁ ନାମ ପଞ୍ଜିକରଣ କରିବା ବେଶ୍ ମହତ୍ତ୍ୱପୂର୍ଣ୍ଣ । ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା ପରିବେଶ ପର୍ଯ୍ୟଟନ ଦୃଷ୍ଟିରୁ ଓଡ଼ିଶା ବାସ୍ତବରେ ଭାରତର ସ୍ୱର୍ଗ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଚିଲିକା ଉପରେ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରଦର୍ଶିତ ହୋଇଥିଲା ।
ଆଜିର ଏହି କାର୍ଯ୍ୟକ୍ରମରେ ପ୍ରକୃତି ଓ ପରିବେଶ ପର୍ଯ୍ୟଟନର ଉତ୍କର୍ଷ ସାଧନ ଉଦ୍ଦେଶ୍ୟରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ହରିଶଙ୍କର ଉପାଧ୍ୟାୟ ଓ ପର୍ଯ୍ୟଟନ ବିଭାଗ ତରଫରୁ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ୍ ରାମଚନ୍ଦ୍ର ଯାଦବଙ୍କ ଦ୍ୱାରା ଏକ ବୁଝାମଣା ପତ୍ର ସ୍ୱାକ୍ଷରହୋଇଛି ।












Click it and Unblock the Notifications