ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ସରପଞ୍ଚଙ୍କୁ ପୁଣି ଜିଲ୍ଲାପାଳ କ୍ଷମତା, ଗାଁ ରେ ଲକ୍ଡାଉନ ଓ TMC ସଂପର୍କରେ ସରପଞ୍ଚ ନେବେ ନିଷ୍ପତ୍ତି
ଲକ୍ଡାଉନ କାର୍ଯ୍ୟକାରୀ କରିବା ଏବଂ ଗାଁର ଆବଶ୍ୟକତାକୁ ଦେଖି ଗାଁରେ TMC ଖୋଲିବା ବିଷୟ ନେଇ ସରପଞ୍ଚମାନେ ସେମାନଙ୍କର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିପାରିବେ ।
ଭୁବନେଶ୍ବର : ସମଗ୍ର ଦେଶ ଗତ ଏକ ବର୍ଷରୁ ଅଧିକ ସମୟ ଧରି କରୋନା ସହ ଲଢୁଛି । କରୋନାର ଏହି ଦ୍ବିତୀୟ ଲହରୀ ସାରା ଦେଶରେ ଗୁରୁତର ଜନସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ବିପୁଳ କ୍ଷତି କରିଚାଲିଛି । ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ସହଯୋଗରେ କରୋନା ବିରୋଧରେ ଆମର ଲଢେଇକୁ ଆହୁରି ମଜବୁତ କରିବା ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗତ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ଓଡିଶାରେ ସଂକ୍ରମଣ ବଢୁଛି । ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ପରିସ୍ଥିତିକୁ ମୋଟାମୋଟି ଭାବରେ ନିୟନ୍ତ୍ରଣରେ ରଖିବା ସହ ରୋଗୀକୁ ସେବା ଯୋଗାଇ ଦେବା ଦିଗରେ କାମ କରିଚାଲିଛୁ । ଆମ ପ୍ରଶାସନ ଓ ସ୍ବାସ୍ଥ୍ୟକର୍ମୀ ମାନେ ଯେପରି ଦିନରାତି କାମ କରିଚାଲିଛନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ସେମାନଙ୍କର ଉଚ୍ଚପ୍ରଶଂସା କରିଥିଲେ ।

ଅନ୍ୟ ରାଜ୍ୟକୁ ଅକ୍ସିଜେନ ଯୋଗାଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନିଜ ରାଜ୍ୟର ଚାହିଦା ପୂରଣ ସହିତ ଆଜି ଓଡିଶା ଅନ୍ୟ ରାଜ୍ୟକୁ ମଧ୍ୟ ଅକ୍ସିଜେନ ଯୋଗାଇ ବହୁ ମୂଲ୍ୟବାନ ଜୀବନ ରକ୍ଷା କରିପାରୁଛି । ଏହା ଓଡିଶା ପାଇଁ ନିଶ୍ଚିତ ଭାବରେ ଗୌରବର କଥା । ରାଜ୍ୟରେ ଅକ୍ସିଜେନ ପରିଚାଳନା ବ୍ୟବସ୍ଥା ସୁଦୃଢ କରିବା ଏବଂ ଏଥିପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ପାଇଁ ଏକ ଟାକ୍ସଫୋର୍ସ ଗଠନ ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହି ଲଢେଇରେ ସ୍ବାସ୍ଥ୍ୟ କର୍ମୀ ଓ ଡାକ୍ତରମାନଙ୍କ ସବୁଠାରୁ ଗୁରୁ ଦାୟିତ୍ବ ଥିବାରୁ ଏ କ୍ଷେତ୍ରରେ ମାନବ ସମ୍ବଳ ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଇଛି ଏବଂ 7876 ଡାକ୍ତର ଓ 5137 ପାରାମେଡିକାଲ ଷ୍ଟାଫଙ୍କୁ ଇତି ମଧ୍ୟରେ ନିଯୁକ୍ତି ଦିଆଯାଇଛି । ଏହାସହିତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦେବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଓଡିଶାରେ ଲୋକଙ୍କୁ ମାଗଣା ପରୀକ୍ଷା ଓ ରୋଗୀଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଆଉଛି । ଘରୋଇ ଡାକ୍ତରଖାନା ମାନଙ୍କୁ ସାଥିରେ ନେଇ କୋଭିଡ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଉଛି । ଏହାଦ୍ବାରା ରୋଗୀ ଶୀଘ୍ର ଚିକିତ୍ସା ସେବା ପାଉଛନ୍ତି ଓ ସାରା ଦେଶରେ ଓଡିଶାର ମୃତ୍ୟୁ ହାର ସେଥିପାଇଁ କମ୍ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଲୋକଙ୍କୁ ସତର୍କ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହୁଏତ ଆଗକୁ କୋଭିଡର ଅନେକ ଲହର ଆସିପାରେ । ତେଣୁ ଆମକୁ ଦୀର୍ଘ ଲଢେଇ ପାଇଁ ପ୍ରସ୍ତୁତ ରହିବାକୁ ହେବ । କରୋନା ବିରୁଦ୍ଧରେ ସଫଳ ଲଢେଇ ପାଇଁ ଟୀକାକରଣ ଆମର ମୁଖ୍ୟ ରଣକୌଶଳ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆମର ଲୋକମାନେ ଯେପରି ଶୀଘ୍ର ଟିକା ପାଇପାରିବେ, ସେଥିପାଇଁ ଆମେ ବିଶ୍ବ ବଜାରରୁ ଟିକା କିଣିବା ପ୍ରକ୍ରିୟା ଆରମ୍ଭ କରିଛୁ ଏବଂ କରୋନା ବିରୁଦ୍ଧରେ ଏହି ଲଢେଇରେ ଆମକୁ ମାର୍ଗ ଦେଖାଇବା ପାଇଁ ଏକ ଉଚ୍ଚସ୍ତରୀୟ ବୈଷୟିକ କମିଟି ଗଠନ ସଂପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।
କୋଭିଡ ପରିଚାଳନାରେ ଗୋଷ୍ଠୀକୁ (community) ମୁଖ୍ୟ ସ୍ତମ୍ଭ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆରମ୍ଭରୁ ହିଁ ଗ୍ରାମ ପଞ୍ଚାୟତ ଓ ଗାଁ କଲ୍ୟାଣ ସମିତି ଏଥିରେ ସାମିଲ ଅଛନ୍ତି । ଲୋକଙ୍କୁ ସେବା ଯୋଗାଇବା ପାଇଁ ANM, ଆଶା, ଅଙ୍ଗନବାଡି କର୍ମୀ ଓ ମିଶନ ଶକ୍ତି ଗୋଷ୍ଠୀ ଆଦି ସମସ୍ତଙ୍କୁ ସାଥିରେ ନେଇ କୋଭିଡ ପରିଚାଳନା କାମ ଜାରି ରହିଛି ବୋଲି ସେ କହିଥିଲେ ।
ଆସନ୍ତା ମେ 24 ତାରିଖରୁ 3 ମାସ ପାଇଁ ସାରା ରାଜ୍ୟରେ ଆଶା ଓ ANM ମାନେ ଘରକୁ ଘର ବୁଲି କୋଭିଡ ଲକ୍ଷଣ ଓ ଜଟିଳ ରୋଗ ସଂପର୍କରେ ସର୍ଭେ କରିବେ । ଏଥିପାଇଁ ସେମାନଙ୍କୁ 3 ମାସ ପାଇଁ ମାସିକ 1000 ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ପ୍ରତି ଗାରେ ଥିବା ଗାଁ କଲ୍ୟାଣ ସମିତି ମାନଙ୍କୁ ମଧ୍ୟ କୋଭିଡ ନିୟନ୍ତ୍ରଣ ପାଇଁ ବିଭିନ୍ନ କାର୍ଯ୍ୟ ନିମନ୍ତେ 10 ହଜାର ଟଙ୍କା ସହାୟତା ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି । ସେହିପରି ଗୃହ ସଂଗରୋଧ ତଦାରଖ ଦାୟିତ୍ବରେ ଥିବା ଆଶାକର୍ମୀ ମାନଙ୍କୁ ମଧ୍ୟ ବାଇସାଇକେଲ, ଚପଲ, ଛତା, ଟର୍ଚ୍ଚ ଓ କପ୍ବୋର୍ଡ ଆଦି ପାଇଁ ଏକକାଳୀନ 10 ହଜାର ଟଙ୍କା ସହାୟତା ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଡାଉନ କାର୍ଯ୍ୟକାରୀ କରିବା ଏବଂ ଗାଁର ଆବଶ୍ୟକତାକୁ ଦେଖି ଗାଁରେ TMC ଖୋଲିବା ବିଷୟ ନେଇ ସରପଞ୍ଚମାନେ ସେମାନଙ୍କର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିପାରିବେ । ଗତବର୍ଷ ତୁଳନାରେ ଏ ବର୍ଷ ଅନ୍ୟ ରାଜ୍ୟକୁ ଫେରୁଥିବା ଲୋକଙ୍କ ସଂଖ୍ୟା କମ୍ ଥିଲେ ମଧ୍ୟ ସରକାର ଜୋନାଲ TMC ଆରମ୍ଭ କରି ସାରିଛନ୍ତି । କୋଭିଡ ଯୋଗୁଁ ଅନେକ ପରିବାରର ଆତ୍ମୀୟସ୍ବଜନଙ୍କ ଅସମୟରେ ବିୟୋଗ ଘଟିଥିବାରୁ ମୁଖ୍ୟମନ୍ତ୍ରୀ ଗଭୀର ଉଦ୍ବେଗ ପ୍ରକାଶ କରିବା ସହିତ ସେମାନଙ୍କ ପରିବାରର ଏହି ଦୁଃଖ ସମୟରେ ସରକାର ସେମାନଙ୍କ ସହିତ ରହିଛନ୍ତି ବୋଲି ସାହସ ଦେଇଥିଲେ ।
କୋଭିଡ ମୃତକଙ୍କ ପରିବାରର ବିଧବା ଓ ବାପା ମା ଙ୍କୁ ହରାଇ ଥିବା ପିଲା ମାନଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ସହିତ ପିଲାମାନଙ୍କ ପାଇଁ ମାଗଣା ଶିକ୍ଷା ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ସଚେତନତାର ବାର୍ତ୍ତା ଲୋକଙ୍କୁ ପାଖରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ବିଧାୟକ ମାନଙ୍କୁ ପରାମର୍ଶ ଦେବା ସହିତ କୋଭିଡ ପରିଚାଳନା କାର୍ଯ୍ୟ ବିଶେଷତଃ, ମିଶନ ଶକ୍ତି ଗ୍ରୁପ ଠାରୁ କିଣି ଗରିବ ଲୋକଙ୍କୁ ମାସ୍କ ବାଣ୍ଟିବା ପାଇଁ ବିଧାୟକ ପାଣ୍ଠିରୁ 50 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି ଅବସରରେ ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ବିଧାୟକ ମାନଙ୍କୁ କୋଭିଡ଼ ସକ୍ରମଣ ରୋକିବା ଦିଗରେ କାମ କରିବା ପାଇଁ ବିଧାୟକ ମାନଙ୍କୁ ଶପଥ ପାଠ କରାଇଥିଲେ । ବୈଠକରେ ଵିଧାୟକ ମାନେ ସେମାନଙ୍କ ସୁଚିନ୍ତିତ ମତାମତ ଦେଇ ଥିଲେ ।












Click it and Unblock the Notifications