ଉଦଘାଟିତ ହେଲା ଟିଟଲାଗଡ଼ର ରେଲୱେ ଓଭରବ୍ରିଜ୍, 1042 ମିଟର ବ୍ରିଜ୍ ପାଇଁ ଖର୍ଚ୍ଚ ହୋଇଛି 71.59 କୋଟି
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ଟିଟିଲାଗଡରେ 1042 ମିଟର ଦୀର୍ଘ ଏକ ରେଲୱେ ଓଭରବ୍ରିଜର ଉଦ୍ଘାଟନ କରିଛନ୍ତି । ଏଥିପାଇଁ 71 କୋଟି 89 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ଟିଟିଲାଗଡରେ 1042 ମିଟର ଦୀର୍ଘ ଏକ ରେଲୱେ ଓଭରବ୍ରିଜର ଉଦ୍ଘାଟନ କରିଛନ୍ତି । ଏଥିପାଇଁ 71 କୋଟି 89 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏହି ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଟିଟିଲାଗଡ ଏକ ଗୁରୁତ୍ବପୂର୍ଣ୍ଣ ରେଳ ଜଙ୍କସନ୍ । ଓଭରବ୍ରିଜ ନିର୍ମାଣ ହେବା ଦ୍ବାରା ଲୋକଙ୍କ ଗମନାଗମନରେ ଅନେକ ସୁବିଧା ଆସିବ। ଟିଟିଲାଗଡ ସହିତ ଭବାନୀପାଟଣା, କେସିଙ୍ଗା ଓ ନୂଆପଡା ଅଞ୍ଚଳର ଜନସାଧାରଣ ଉପକୃତ ହେବେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଟିଟିଲାଗଡ ସହରର ବ୍ୟାପକ ଉନ୍ନତି ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏହି ROB ସହିତ ଟିଟିଲାଗଡରେ ଆଧୁନିକ ବସ୍ଷ୍ଟାଣ୍ଡ, ସୁଇମିଂ ପୁଲ୍, ମହାରାଜା ସାଗରର ପୁନରୁଦ୍ଧାର, ବର୍ଜ୍ୟ ଜଳ ବିଶୋଧନ ପ୍ଲାଣ୍ଟ ଏବଂ ଆହୁରି ଅନେକ ଉନ୍ନତିମୂଳକ କାର୍ଯ୍ୟ ଜାରି ରହିଛି । ଏହିସବୁ ଗୁଡିକ ଠିକ୍ ସମୟରେ ସଂପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।

ଭିତ୍ତିଭୂମି ବିକାଶର ଆଧାର ବୋଲି ମତପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଭିତ୍ତିଭୂମିର ବିକାଶ ଉପରେ ସେ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି । ଓଡିଶା ଆଜି ଭିତ୍ତିଭୂମି କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି । ରାଜ୍ୟରେ ସଡକ, ସେତୁ, ବନ୍ଦର ଆଦି ଭିତ୍ତିଭୂମିର ବିକାଶ ଯୋଗୁ ଯୋଗାଯୋଗ କ୍ଷେତ୍ରରେ ବହୁତ ଉନ୍ନତି ଆସିଛି । ଭିତ୍ତିଭୂମି ସମସ୍ତଙ୍କର ସଂପତ୍ତି ବୋଲି ପ୍ରକାଶ କରି, ସମସ୍ତେ ଏହାର ଯତ୍ନ ନେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ ।
କରୋନାର ଦ୍ବିତୀୟ ଲହରୀକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଜନସାଧାରଣ ସହଯୋଗ କରିବାକୁ ନିବେଦନ କରି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ଅନୁରୋଧ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଯୋଗ ଦେଇ ପୂର୍ତ୍ତମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଥିଲେ ଯେ ବିକାଶ ପାଇଁ ଗମନାଗମନ ବ୍ୟବସ୍ଥାର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ରାଜ୍ୟରେ ସଡକ ବିକାଶ କାର୍ଯ୍ୟକ୍ରମରେ ଅନେକ ଉନ୍ନତି ଆସିଛି ବୋଲି ସେ କହିଥିଲେ ।
ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଟିଟିଲାଗଡ ଜନସାଧାରଣଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ରେଲ ଓଭରବ୍ରିଜ ସହିତ ଟିଟିଲାଗଡ ପାଇଁ ଚାଲିଥିବା ଅନେକ ବିକାଶମୂଳକ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ ।
ସେହିପରି ବଲାଙ୍ଗୀର ସାଂସଦ ଶ୍ରୀମତୀ ସଙ୍ଗୀତା ସିଂହଦେଓ କହିଥିଲେ ଯେ ଏହାଦ୍ବାରା ଟିଟିଲାଗଡ ଜନସାଧାରଣଙ୍କର ଏକ ଦୀର୍ଘ ଦିନର ସ୍ବପ୍ନ ପୂରଣ ହେଲା । ପଶ୍ଚିମ ଓଡିଶାରେ ହେଉଥିବା ବିକାଶ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ ସେ କହିଥିଲେ ଯେ ପଶ୍ଚିମ ଓଡିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କର ଆବେଗ ରହିଛି । ଏହାସହିତ ମିଶନ ଶକ୍ତିକୁ ଏକ ସ୍ବତନ୍ତ୍ର ବିଭାଗ କରିଥିବାରୁ ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।
ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ ଆଜି ଟିଟିଲାଗଡର ସବୁ ଲୋକଙ୍କ ପାଇଁ ବହୁତ ଅନନ୍ଦର ଦିନ । ପଶ୍ଚିମ ଓଡିଶା ପାଇଁ ଅନେକ ବିକାଶମୂଳକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶାକୁ କେତେ ପ୍ରାଥମିକତା ଦେଉଛନ୍ତି, ଏଥିରୁ ଏହା ସହଜରେ ଅନୁମେୟ ।
କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲାର ବିକାଶ କାର୍ଯ୍ୟକ୍ରମ ସଂପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶିତ କରାଯାଇଥିଲା ମୁଖ୍ୟମନ୍ତ୍ରୀଙ୍କ ସଚିବ (5-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, ମୁଖ୍ୟଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିଶନର ଶ୍ରୀ ଆର୍.କେ. ଶର୍ମା, ପୂର୍ତ୍ତ ବିଭାଗ ସଚିବ ଶ୍ରୀ କିଶନ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।












Click it and Unblock the Notifications