ଭବାନୀପାଟଣାରେ 200 ଶଯ୍ୟାର କୋଭିଡ ହସ୍ପିଟାଲ : ମୁଖ୍ୟମନ୍ତ୍ରୀ କହିଲେ ଏକବିଂଶ ଶତାଦ୍ଦୀରେ କଳାହାଣ୍ଡିର ରୂପାନ୍ତର ଉଲ୍ଲେଖନୀୟ
ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କଳାହାଣ୍ଡିର ଭବାନୀପାଟଣା ଠାରେ ଏକ 200 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ୱର : ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କଳାହାଣ୍ଡିର ଭବାନୀପାଟଣା ଠାରେ ଏକ 200 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଏଥିରେ 16ଟି ICU ଓ 16ଟି HDU ଶଯ୍ୟା ସହିତ ଏକ ସ୍ବତନ୍ତ୍ର ଶିଶୁ ଚିକିତ୍ସା ୱାର୍ଡ ମଧ୍ୟ ରହିଛି । ଏଥିରେ ସମସ୍ତ ପ୍ରକାର ଆଧୁନିକ ଚିକିତ୍ସା ଉପକରଣ ରଖାଯାଇଛି । ଏହାଦ୍ବାରା କଳାହାଣ୍ଡି ଓ ଆଖପାଖ ଅଞ୍ଚଳର ଲୋକମାନେ ଉନ୍ନତମାନର କୋଭିଡ ଚିକିତ୍ସା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବେଦାନ୍ତ ଗ୍ରୁପ ସହଯୋଗରେ ଏହା ନିର୍ମାଣ କରାଯାଇଛି ।

ଏହି ହସ୍ପିଟାଲ ପାଇଁ ବେଦାନ୍ତ ଗ୍ରୁପ ତଥା ଏହାର ଅଧ୍ୟକ୍ଷ ଶ୍ରୀ ଅନିଲ ଅଗ୍ରୱାଲଙ୍କୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ହସ୍ପିଟାଲରେ ଚିକିତ୍ସା ଠାରୁ ଆରମ୍ଭ କରି ରୋଗ ନିରୂପଣ, ଔଷଧ, ଖାଦ୍ୟ ଆଦି ସବୁ ମାଗଣାରେ ଯୋଗାଇ ଦିଆଯିବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏକବିଂଶ ଶତାଦ୍ଦୀର କଳାହାଣ୍ଡି ବିଂଶ ଶତାଦ୍ଦୀର କଳାହାଣ୍ଡି ଠାରୁ ବହୁତ ଆଗକୁ ଯାଇପାରିଛି । ଗତ ଦୁଇ ଦଶକ ମଧ୍ୟରେ ବିକାଶର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି କରିଛି । ଏ ରୂପାନ୍ତର ବାସ୍ତବିକ ଉଲ୍ଲେଖନୀୟ । କଳାହାଣ୍ଡି ଆଜି ସାରା ଦେଶକୁ ଖାଦ୍ୟ ଯୋଗାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଳାହାଣ୍ଡିର ଏ ରୂପାନ୍ତର, କଳାହାଣ୍ଡି ଜିଲ୍ଲାର ଚାଷୀଭାଇ, ଯୁବସମାଜ ଓ ମା ମାନଙ୍କ ଉଦ୍ୟମ ଯୋଗୁ ସମ୍ଭବ ହୋଇପାରିଛି ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ତୃତୀୟ ଲହର ପାଇଁ ଏବେଠାରୁ ପ୍ରସ୍ତୁତ ରହିବାକୁ ପୁଣି ଥରେ ପରାମର୍ଶ ଦେଇ ଜନସାଧାରଣଙ୍କୁ ସମସ୍ତଙ୍କୁ ଡବଲ ମାସ୍କ ପିନ୍ଧିବା ସହିତ ଟିକା ନିଶ୍ଚୟ ନେବା ପାଇଁ ନିବେଦନ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାମାରୀ ହେଉ, ବା ପ୍ରାକୃତିକ ବିପର୍ଯ୍ୟୟ, ଆମେ ଯଦି ଠିକ୍ ଭାବରେ ଆଗରୁ ପ୍ରସ୍ତୁତ ହୋଇ ରହିବା, ତେବେ ଆମେ ନିଶ୍ଚୟ ବିଜୟ ଲାଭ କରିବା ।
ଏହି କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଯୋଗ ଦେଇ ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଶ୍ରୀ ଅନିଲ ଅଗ୍ରୱାଲ କଳାହାଣ୍ଡିର ବିକାଶ ଓ ଓଡିଶାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚପ୍ରଶଂସା କରିଥିଲେ । ସେ କହିଥିଲେ ଯେ କଳାହାଣ୍ଡି ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ରହିଛି । ମୁଁ ତାଙ୍କୁ ଯେତେବେଳେ ଭେଟିଛି, ସେ ସବୁବେଳେ କଳାହାଣ୍ଡିର ବିକାଶ ସଂପର୍କରେ ମୋ ସହିତ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ସବୁବେଳେ ଲୋକଙ୍କ ଉନ୍ନତି ଓ ରାଜ୍ୟର ବିକାଶ କଥା ଚିନ୍ତା କରନ୍ତି । ବାତ୍ୟା ସମୟରେ ମୁଖ୍ୟମନ୍ତ୍ରୀ ଯେଉଁଭଳି ଭାବରେ ନେତୃତ୍ବ ନେଇ ମୁକାବିଲା କଲେ ଓ ଲୋକଙ୍କ ଜୀବନର ସୁରକ୍ଷା କଲେ, ତାହା ଆଜି ସମଗ୍ର ବିଶ୍ବରେ ଚର୍ଚ୍ଚାର ବିଷୟ ହୋଇଛି । ଆମେ ଅନେକ ରାଜ୍ୟରେ କାମ କରୁଛୁ, କିନ୍ତୁ ଓଡିଶାରେ କାମ କରିବାର ଅଭିଜ୍ଞତା ମୋତେ ସବୁଠାରୁ ଭଲ ଅନୁଭବ ଦେଇଛି ବୋଲି ସେ କହିଥିଲେ ।












Click it and Unblock the Notifications