କେଜ୍‌ କଲ୍‌ଚର ମତ୍ସ୍ୟଚାଷୀ ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହନ ସହ ନିଯୁକ୍ତି ସୃଷ୍ଟି କରିବ : ମୁଖ୍ୟମନ୍ତ୍ରୀ

ହୀରାକୁଦରେ ହେବ କେଜ୍ କଲଚର୍ ମାଛ ଚାଷ । ଏନେଇ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 15ଟି ଅନଲାଇନ ସେବାର ଶୁଭାରମ୍ଭ କରିଛନ୍ତି ।

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗର 15ଟି ଅନ୍‌ଲାଇନ ସେବାର ଶୁଭାରମ୍ଭ କରିଛନ୍ତି | ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ପଞ୍ଜୁରୀ ମାଛ ଚାଷ (Cage Culture) ପାଇଁ ବିଭିନ୍ନ ଉଦ୍ୟୋଗୀ ମାନଙ୍କ ସହିତ ଚୁକ୍ତିପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି |

ଏହି ସେବା ଦ୍ୱାରା ମାଛ ଚାଷୀ ଓ ଉଦ୍ୟୋଗୀ ମାନେ ଘରେ ରହି ଅନ୍‌ଲାଇନ ଜରିଆରେ ବିଭିନ୍ନ ସରକାରୀ ଯୋଜନାର ସୁବିଧା ପାଇପାରିବା ସହ ଡଙ୍ଗାର ପଞ୍ଜୀକରଣ ଓ ଲାଇସେନ୍‌ସ ପ୍ରାପ୍ତି, ଲବଣାକ୍ତ ଜଳର ମାଛ ଚାଷର ପଞ୍ଜୀକରଣ, ବିଭିନ୍ନ ଯୋଜନାରେ ରିହାତି ଲାଭ ଆଦି ଅନେକ କାର୍ଯ୍ୟ ସୁବିଧାରେ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି |

Naveen Patnaik

ବୃହତ ଓ ମଧ୍ୟମ ଧରଣର ହ୍ରଦରେ କେଜ୍‌ କଲ୍‌ଚର ଜରିଆରେ ମାଛ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ଚଳିତ ବର୍ଷ ମାର୍ଚ୍ଚ ମାସରେ ଏକ ନୂତନ ନୀତି ଗ୍ରହଣ କରିଥିଲେ । ଯାହାଫଳରେ ରାଜ୍ୟର ବାର୍ଷିକ ମତ୍ସ୍ୟ ଉତ୍ପାଦନ 1.24 ଟନ୍‌ ବଢିବା ସହିତ ରାଜ୍ୟରେ ମାଛର ସଂପୂର୍ଣ୍ଣ ଚାହିଦା ପୂରଣ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି | ଏହି ପ୍ରଣାଳୀରେ ମାଛ ଚାଷ ଦ୍ୱାରା ମତ୍ସ୍ୟ କ୍ଷେତ୍ରରେ ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହନ ମିଳିବା ସହିତ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ହେବ | ଜଳଭଣ୍ଡାର ଲିଜ୍‌ ରୟାଲଟିରୁ ପ୍ରାଥମିକ ମତ୍ସ୍ୟ ସମବାୟ ସମିତି ଗୁଡିକ ଲାଭବାନ ହୋଇପାରିବେ ବୋଲି ସେ କହିଛନ୍ତି |

ରାଜ୍ୟର କୃଷି ଉଦ୍ୟୋଗୀ ମାନଙ୍କୁ ରାଜ୍ୟ ସରକାର ବାର୍ଷିକ 50 ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେଉଛନ୍ତି, ତେଣୁ ରାଜ୍ୟର ଚାଷୀ ଓ ଯୁବକ ମାନଙ୍କୁ ବ୍ୟାପକ ଭାବରେ କୃଷି ଉଦ୍ୟୋଗ ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଛନ୍ତି |

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାର କୃଷିର ଆନୁଷଙ୍ଗିକ କ୍ଷେତ୍ର ଗୁଡିକୁ ରାଜ୍ୟର ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉଦ୍ୟୋଗୀ ମାନଙ୍କ ପାଇଁ ଅଭିବୃଦ୍ଧିର ଇଞ୍ଜିନ ଭାବେ ଗ୍ରହଣ କରିଛନ୍ତି ଏବଂ ଏଥିପାଇଁ ଚଳିତ ବର୍ଷ ଏହି କ୍ଷେତ୍ରରେ ବଜେଟ ପରିମାଣ ଦୁଇଗୁଣ ବୃଦ୍ଧି କରାଯାଇଛି | ୨୦୧୯-୨୦ରେ ରାଜ୍ୟର ମତ୍ସ୍ୟ ଓ ପଶୁସଂପଦ କ୍ଷେତ୍ରରେ ଅଭିବୃଦ୍ଧି ହାର 19 ପ୍ରତିଶତ ରହିଥିଲା ଯାହାକି ଅନ୍ୟ ପ୍ରାଥମିକ କ୍ଷେତ୍ର ଗୁଡିକ ଠାରୁ ଯଥେଷ୍ଟ ଅଧିକ | ଏଥିସହିତ କୋଭିଡ ସମୟରେ ଅନୁଷଙ୍ଗିକ କ୍ଷେତ୍ର ଗୁଡିକ ପାଇଁ ରାଜ୍ୟ ସରକାର 173 କୋଟି ଟଙ୍କାର କୋଭିଡ ପ୍ୟାକେଜ କାର୍ଯ୍ୟକାରୀ କରିଛନ୍ତି, ଯାହା ଦ୍ୱାରା ୪୪ ହଜାରରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି |

ସୂଚନାଯୋଗ୍ୟ ଯେ ରାଜ୍ୟର ବୃହତ ଓ ମଧ୍ୟମ ଜଳଭଣ୍ଡାରର ଏକ ପ୍ରତିଶତ ଜଳଭାଗରେ ବ୍ୟବସାୟିକ ଭାବରେ ପଞ୍ଜୁରୀ ମାଛ ଚାଷ ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି | ଏହାର ପ୍ରଥମ ପଦକ୍ଷେପ ସ୍ୱରୂପ ହୀରାକୁଦ ଜଳଭଣ୍ଡାର ମଧ୍ୟରେ 600ଟି ସବ୍‌ ଜୋନ୍‌ ମଧ୍ୟରୁ 100ଟି ସବ୍‌ ଜୋନରେ ଉଦ୍ୟୋଗୀ ମାନଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରାଯାଇଥିଲା | ଆଜି ପ୍ରଥମ ପର୍ଯ୍ୟାୟରେ 20 ଜଣ ଉଦ୍ୟୋଗୀଙ୍କ ସହିତ ହୀରାକୁଦ ଜଳଭଣ୍ଡାରରେ ପଞ୍ଜୁରୀ ମାଛ ଚାଷ ନିମନ୍ତେ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି |
ବିଭାଗୀୟ ମନ୍ତ୍ରୀ ଶ୍ରୀ ଅରୁଣ ସାହୁ ମତ୍ସ୍ୟ ଓ ପଶୁସଂପଦ ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ସଂପର୍କରେ ବର୍ଣ୍ଣନା କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କର ଦୃଢ ନେତୃତ୍ୱରେ ବିଭାଗ ରାଜ୍ୟର କୃଷକ ଓ ଆନୁଷଙ୍ଗିକ କ୍ଷେତ୍ରରେ ବିକାଶ ଉପରେ ଗୁରୁତ୍ୱ ଦେବା ସହ ଏ କ୍ଷେତ୍ରରେ ଅଧିକ ଉଦ୍ୟୋଗୀ ସୃଷ୍ଟି ପାଇଁ ପ୍ରୋତ୍ସାହିତ କରାଯାଉଛି |

ଏହି ଅବସରରେ କେଜ୍‌ କଲ୍‌ଚର ମାଛ ଚାଷ ସଂପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା ଏବଂ ଦୁଇ ଜଣ କେଜ୍‌ କଲ୍‌ଚର ଚାଷୀ ମାନଙ୍କ ମତାମତ ନିଆଯାଇଥିଲା | ବିଭାଗୀୟ ସଚିବ ଶ୍ରୀ ଆର୍‌ ରଘୁ ପ୍ରସାଦ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପଶୁସଂପଦ ବିଭାଗ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ଶ୍ରୀ ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିଶନର ଶ୍ରୀ ଆର୍‌. କେ ଶର୍ମା, କୃଷି ବିଭାଗ ପ୍ରମୁଖ ସଚିବ ଶ୍ରୀ ସୌରଭ ଗର୍ଗ, ଜଳସଂପଦ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (5-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+