ଲିଙ୍ଗରାଜ ମନ୍ଦିର ପାଇଁ ପ୍ରଣୟନ ହେବ ସ୍ୱତନ୍ତ୍ର ଆଇନ୍ : ମୁଖ୍ୟମନ୍ତ୍ରୀ
ଶ୍ରୀ ମନ୍ଦିର ଢାଞ୍ଚାରେ ଲିଙ୍ଗରାଜ ମନ୍ଦିର ପାଇଁ ପ୍ରଣୟନ ହେବ ସ୍ୱତନ୍ତ୍ର ନୂଆ ଆଇନ୍ । ଏଥି ସହିତ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏହି ଯୋଜନା ଏକ ସଫଳ ଉଦ୍ୟମ ହେବ ବୋଲି ଏକାମ୍ର କ୍ଷେତ୍ର ପରିଦର୍ଶନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ଆଇନ ଢାଞ୍ଚାରେ ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଖୁବ ଶୀଘ୍ର ପ୍ରଣୟନ କରାଯିବ ଏକ ସ୍ୱତନ୍ତ୍ର ଆଇନ | ବୁଧବାର ଅପରାହ୍ନରେ ଏକାମ୍ରକ୍ଷେତ୍ର ବିକାଶ ପ୍ରକଳ୍ପ ବୁଲି ଦେଖିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି | ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରକୁ ଯାଇ ସେଠାରୁ ମହାପଭୁଙ୍କୁ ପ୍ରଣାମ ଜଣାଇବା ସହ ସେବାୟତ ମାନଙ୍କ ସହିତ ଆଲୋଚନା କରିଛନ୍ତି | ପରେ ମୁଖ୍ୟମନ୍ତ୍ରୀ ଦେବୀ ପାଦହରା ପୁଷ୍କରଣୀ ବୁଲି ଦେଖିବା ସହ ବିନ୍ଦୁସାଗର ମଠଘାଟ ଠାରେ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି | ଏକାମ୍ରକ୍ଷେତ୍ର ପ୍ରକଳ୍ପ ପାଇଁ ଜମି ଦାନ କରିଥିବା ବ୍ୟକ୍ତି ମାନଙ୍କୁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇବା ସହ ପ୍ରକଳ୍ପ କାର୍ଯ୍ୟ ଆଗକୁ ନେବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ | ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହିତ ଅଧିକ ପର୍ଯ୍ୟଟକଙ୍କୁ ସେଠାକୁ ଆକର୍ଷିତ କରିବାରେ ଏହି ଯୋଜନା ଏକ ସଫଳ ଉଦ୍ୟମ ହେବ ବୋଲି ମୁଖ୍ୟମନ୍ତ୍ରୀ ମତପ୍ରକାଶ କରିଛନ୍ତି |

ବର୍ତ୍ତମାନ ସରକାର ଅମଳରେ ବିନ୍ଦୁସାଗର ଠାରୁ ଆରମ୍ଭ କରି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଅନେକ ବିକାଶ କାର୍ଯ୍ୟ ହୋଇଥିବାରୁ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ ।
ସୂଚନାଯୋଗ୍ୟ, ଐତିହ୍ୟ ନଗରୀ ଭୁବନେଶ୍ୱରର ଗରିମାକୁ ଆହୁରି ବୃଦ୍ଧି କରିବା ସହିତ ଏହାକୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଭାବରେ ବିକଶିତ କରିବା ଏବଂ ଭକ୍ତ ଓ ପର୍ଯ୍ୟଟକ ମାନଙ୍କ ପାଇଁ ଏକ ଅନନ୍ୟ ଆଧ୍ୟାତ୍ମିକ ଅନୁଭବ ପ୍ରଦାନ କରିବା ଭଳି ମୁଖ୍ୟ ଉଦ୍ଦେଶ୍ୟ ରଖି ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି |
ମୁଖ୍ୟମନ୍ତ୍ରୀଙ୍କ ଏହି ପରିଦର୍ଶନ ସମୟରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଧାୟକ ଶ୍ରୀ ସୁଷାନ୍ତ ରାଉତ, ଉନ୍ନୟନ କମିଶନର ଶ୍ରୀ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ, ପୋଲିସ କମିଶନର ଶ୍ରୀ ସୁଧାଂଶୁ ଷଡଙ୍ଗୀ, ପୂର୍ତ୍ତ ସଚିବ ଶ୍ରୀ କିଷନ କୁମାର, ବି.ଏମ୍.ସି କମିଶନର ଶ୍ରୀ ପ୍ରେମଚାନ୍ଦ ଚୌଧୁରୀ ଏବଂ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ |












Click it and Unblock the Notifications