ରାଜ୍ୟ ସରକାରଙ୍କ ଶିକ୍ଷାମାରଣ ନୀତି, ବନ୍ଦ ହୋଇପାରେ 5 ହଜାରରୁ ଅଧିକ ସ୍କୁଲ୍
ପିଲାସଂଖ୍ୟା, ପରୀକ୍ଷା ଫଳ, ଭିତ୍ତିଭୂମି ଆଦିକୁ ଭିତ୍ତିକରି ଅନୁଦାନଭୁକ୍ତ ବିଦ୍ୟାଳୟଗୁଡ଼ିକୁ ବନ୍ଦ ଓ ମିଶ୍ରଣ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ ଏକ ଚିଠା ପ୍ରସ୍ତାବ ରାଜ୍ୟ ସରକାରଙ୍କ ଅନୁମୋଦନ ଲାଗି ପଠାଯାଇଛି ।
ଭୁବନେଶ୍ୱର : ପିଲାସଂଖ୍ୟା, ପରୀକ୍ଷା ଫଳ, ଭିତ୍ତିଭୂମି ଆଦିକୁ ଭିତ୍ତିକରି ଅନୁଦାନଭୁକ୍ତ ବିଦ୍ୟାଳୟଗୁଡ଼ିକୁ ବନ୍ଦ ଓ ମିଶ୍ରଣ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ ଏକ ଚିଠା ପ୍ରସ୍ତାବ ରାଜ୍ୟ ସରକାରଙ୍କ ଅନୁମୋଦନ ଲାଗି ପଠାଯାଇଛି । ଉକ୍ତ ପ୍ରସ୍ତାବକୁ କାର୍ଯ୍ୟକାରୀ କରାଗଲେ ରାଜ୍ୟର ପ୍ରାୟ 5ହଜାର 45 ସ୍କୁଲ୍ ବନ୍ଦ ହୋଇପାରେ । ଏଥିରେ ରହିଛି ପ୍ରାୟ 1 ହଜାର 3ଶହ 50 ପୂର୍ଣ୍ଣ ଅନୁଦାନପ୍ରାପ୍ତ ଏବଂ 3 ହଜାର 6ଶହ 95 ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ । ଏହାବ୍ୟତୀତ ଏକ ହଜାରରୁ ଅଧିକ ହାଇସ୍କୁଲ ବନ୍ଦ ହେବାର ଆଶଙ୍କା ରହିଛି । ପ୍ରାଥମିକ ବିଦ୍ୟାଳୟ ପରେ ପୂର୍ଣ୍ଣ ଅନୁଦାନପ୍ରାପ୍ତ, ନୂତନ ଅନୁଦାନପ୍ରାପ୍ତ ମାଧ୍ୟମିକ, ଉଚ୍ଚ ପ୍ରାଥମିକ, ମଦ୍ରାସା ଓ ସଂସ୍କୃତ ଟୋଲ୍ଗୁଡ଼ିକୁ କ୍ଲୋଜର (ବନ୍ଦ), ମର୍ଜର (ମିଶ୍ରଣ) ଓ ପୁନର୍ଗଠନ(ରେସ୍ନାଲାଇଜେସନ୍) କରିବାକୁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଉକ୍ତ ଡ୍ରାଫ୍ଟ ରିପୋର୍ଟ ଆଧାରରେ ସ୍କୁଲ ସଂଖ୍ୟା କମାଇବା ପାଇଁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିବାକୁ ଯାଉଛନ୍ତି । ଯଦି ଏପରି ହୁଏ ତେବେ ଶିକ୍ଷା ବ୍ୟବସ୍ଥା ସହିତ ଶିକ୍ଷକ ଏବଂ କର୍ମଚାରୀଙ୍କ ଭବିଷ୍ୟତ କଣ ହେବ ସେ ନେଇ ଏବେ ଚର୍ଚ୍ଚା ହେଉଛି । ପିଲା ସଂଖ୍ୟା ଓ ପରୀକ୍ଷା ଫଳ ଆଧାରରେ ସ୍କୁଲ ବନ୍ଦ କଲା ବେଳେ ଏକାଧାରରେ ତିନିବର୍ଷର ଖରାପ ପ୍ରଦର୍ଶନ କିମ୍ବା ପିଲାସଂଖ୍ୟା ହ୍ରାସକୁ ଗୁରୁତ୍ୱ ନ ଦେଇ ଗୋଟିଏ ବର୍ଷ ପରୀକ୍ଷାଫଳ ଖରାପ ହେଲେ କିମ୍ବା ପିଲାସଂଖ୍ୟା ହ୍ରାସ ପାଇଲେ ସ୍କୁଲ ବନ୍ଦ କରିଦେବା ପାଇଁ ପ୍ରସ୍ତାବ ଦିଆଯାଇଛି । ବନ୍ଦ ହୋଇଥିବା ବିଦ୍ୟାଳୟର ଶିକ୍ଷକ, କର୍ମଚାରୀଙ୍କୁ କେବଳ ସେହି ବର୍ଗରେ ଖାଲିଥିବା ସ୍ଥାନରେ ଅବସ୍ଥାପିତ କରିବା ପାଇଁ ଯେଉଁ ପ୍ରସ୍ତାବ ଦିଆଯାଇଛି, ତାହା ମଧ୍ୟ ଏକ ସଂକୁଚିତ ପ୍ରସ୍ତାବ । ବାଳିକା, ଶିକ୍ଷାରେ ଅନଗ୍ରସର ଜିଲ୍ଲା ଓ ସୀମାନ୍ତ ଅଞ୍ଚଳରେ ପ୍ରତିଷ୍ଠିତ ବିଦ୍ୟାଳୟ ପାଇଁ କୌଣସି କୋହଳ ନୀତି ଗ୍ରହଣ କରାଯାଇନାହିଁ ବୋଲି ଓଷ୍ଟାର ସାଧାରଣ ସମ୍ପାଦକ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ଗତ କିଛି ଦିନ ଧରି ରାଜ୍ୟ ସରକାର ଶିକ୍ଷାମାରଣ ନୀତି ଆପଣାଇଛନ୍ତି । ପିଲା ସଂଖ୍ୟାକୁ ଆଧାର କରି ପ୍ରାୟ 15ହଜାର ପ୍ରାଥମିକ ବିଦ୍ୟାଳୟକୁ ଭାଙ୍ଗିବା ପାଇଁ ଚକ୍ରାନ୍ତ କରୁଥିଲେ । କିନ୍ତୁ ରାଜ୍ୟର ଅଗଣିତ ଶିକ୍ଷାପ୍ରେମୀ ତଥା ବିଭିନ୍ନ ରାଜନୈତିକ ଦଳ, ଅଭିଭାବକ ଓ ଶିକ୍ଷକ ସଙ୍ଗଠନଙ୍କ ପ୍ରବଳ ଚାପ ପରେ ପିଲା ସଂଖ୍ୟାକୁ ସଂଶୋଧନ କରାଯାଇଛି । ତଥାପି ପ୍ରାୟ 7 ହଜାର ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଗଲାଣି । ଏବେ ଅନୁଦାନପ୍ରାପ୍ତ ମାଧ୍ୟମିକ, ଉଚ୍ଚ ପ୍ରାଥମିକ, ସଂସ୍କୃତ ଓ ମଦ୍ରାସା ବିଦ୍ୟାଳୟଗୁଡ଼ିକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ସରକାରଙ୍କର ଏହି ଲକ୍ଷ୍ୟ କେବଳ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସଙ୍କୁଚିତ କରିବ ନାହିଁ, ବରଂ ବିଜୁବାବୁଙ୍କ ଦ୍ୱାରା ପ୍ରଣୀତ ଅନୁଦାନ ନୀତିକୁ ସମ୍ପୂର୍ଣ୍ଣ ରୂପେ କବର ଦେବ ବୋଲି ସେ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ଏଥିରୁ ନିବୃତ୍ତ ରୁହନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ଓଷ୍ଟାର ବିନୋଦ ବିହାରୀ ପାଣିଗ୍ରାହୀ, ଭିକାରୀ ଚରଣ ସାହୁ, ରଞ୍ଜନ କୁମାର ଦାଶ, ଅଶୋକ କୁମାର ମହାପାତ୍ର ଓ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ କହିଛନ୍ତି ଯେ ରେସନାଲାଇଜେସନ୍ ପୂର୍ବରୁ ସବୁ ସ୍କୁଲକୁ ସରକାରୀକରଣ କରାଯାଉ । ଚାକିରି ସର୍ତ୍ତାବଳୀ, ଅବସରକାଳୀନ ସୁବିଧା ପ୍ରଦାନ, ପଞ୍ଚାୟତର ପ୍ରଥମ ଓ ଏକମାତ୍ର ବିଦ୍ୟାଳୟକୁ ମିଶ୍ରଣ ପ୍ରକ୍ରିୟାରୁ ବାଦ୍ ଦିଆଯାଉ । ଶିକ୍ଷା ଅନଗ୍ରସର, ବାଳିକା ଓ ସୀମାନ୍ତବର୍ତ୍ତୀ ବିଦ୍ୟାଳୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ । ମିଶ୍ରଣ ପରେ ଶିକ୍ଷକ କର୍ମଚାରୀମାନଙ୍କୁ ଭିନ୍ନଭିନ୍ନ ବର୍ଗ ନିର୍ବିଶେଷରେ ନିକଟସ୍ଥ ଯେକୌଣସି ବର୍ଗର ବିଦ୍ୟାଳୟରେ ଅବସ୍ଥାପିତ କରାଯାଉ । ବିଦ୍ୟାଳୟ ନିକଟରେ ଘରୋଇ ବିଦ୍ୟାଳୟ ଖୋଲିବାକୁ ଅନୁମତି ଦିଆ ନଯାଉ । ବିଦ୍ୟାଳୟ ଥିବା ପଞ୍ଚାୟତରେ ଉନ୍ନୀତ ବିଦ୍ୟାଳୟ ଖୋଲା ନଯାଉ । ଏହା କରାଗଲେ ବିଜୁବାବୁଙ୍କ ସ୍ବପ୍ନକୁ ସାକାର କରାଯାଇପାରିବ ବୋଲି ସେମାନେ ଦାବି କରିଛନ୍ତି ।












Click it and Unblock the Notifications