CBSE ପରେ ମଧ୍ୟପ୍ରଦେଶ ବୋର୍ଡ ବାତିଲ କଲା ଦ୍ୱାଦଶ ପରୀକ୍ଷା
କରୋନା ମହାମାରୀ ହେତୁ ସିବିଏସ୍ଇ ପରେ ମଧ୍ୟପ୍ରଦେଶ ବୋର୍ଡ ମଧ୍ୟ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ବୁଧବାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ପରୀକ୍ଷା ବାତିଲ ଘୋଷଣା କରିଛନ୍ତି ।
ଭୋପାଳ : କରୋନା ମହାମାରୀ ହେତୁ ସିବିଏସ୍ଇ ପରେ ମଧ୍ୟପ୍ରଦେଶ ବୋର୍ଡ ମଧ୍ୟ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ବୁଧବାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ପରୀକ୍ଷା ବାତିଲ ଘୋଷଣା କରିଛନ୍ତି । ଏହାପୂର୍ବରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ବୋର୍ଡ ଦଶମ ପରୀକ୍ଷାକୁ ବାତିଲ କରି ଦେଇଥିଲା ।

ଶିବରାଜ ସରକାର ପକ୍ଷରୁ ଏବେ ଏହି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ କହିଛନ୍ତି, 'ଚଳିତ ବର୍ଷ ମଧ୍ୟପ୍ରଦେଶରେ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା କରାଯିବ ନାହିଁ । ପିଲାମାନଙ୍କର ଜୀବନ ଆମ ପାଇଁ ମୂଲ୍ୟବାନ । ପରେ ଆମେ କ୍ୟାରିୟର ବିଷୟରେ ଚିନ୍ତା କରିବୁ । ଯେତେବେଳେ ପିଲାମାନଙ୍କ ଉପରେ କରୋନା ଭାର ରହିଛି, ସେହି ସମୟରେ ଆମେ ସେମାନଙ୍କ ଉପରେ ପରୀକ୍ଷାର ମାନସିକ ଭାର ଲଦି ପାରିବୁ ନାହିଁ ।'
ସେ ଆହୁରି ମଧ୍ୟ କହିଛନ୍ତି, 'ଦ୍ୱାଦଶ ବୋର୍ଡ ଫଳାଫଳ କେଉଁ ଆଧାରରେ ପ୍ରସ୍ତୁତ ହେବ ସେନେଇ ନିଷ୍ପତ୍ତି ନେବାକୁ ଏକ ମନ୍ତ୍ରୀ ଦଳ ଗଠନ କରାଯାଇଛି । ବିଶେଷଜ୍ଞଙ୍କ ସହ ଆଲୋଚନା କରିବା ପରେ, ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ କିମ୍ବା ଅନ୍ୟାନ୍ୟ କାରଣ ବିଷୟରେ ବିଚାର କରିବେ ଏବଂ ଫଳାଫଳର ପଦ୍ଧତି ସ୍ଥିର କରାଯିବ ।' ଶିବରାଜ କହିଛନ୍ତି, 'ଆମେ ଦଶମ ବୋର୍ଡ ପରୀକ୍ଷା ନକରିବାକୁ ନିଷ୍ପତ୍ତି ନେଇଥିଲୁ । ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ଆଧାରରେ ଦଶମ ଶ୍ରେଣୀର ଫଳାଫଳ ଘୋଷଣା କରାଯିବ ।'












Click it and Unblock the Notifications