ଯୁକ୍ତ ଦୁଇ ପ୍ରାକ୍ଟିକାଲ ମୂଲ୍ୟାୟନ ମାର୍ଗଦର୍ଶିକା ଜାରି କଲା ସିଏଚଏସ୍ଇ, ମୂଲ୍ୟାୟନରେ ସ୍ୱଚ୍ଛତା ରଖିବା ନେଇ ନିର୍ଦ୍ଦେଶ
ଯୁକ୍ତ ୨ ପ୍ରାକ୍ଟିକାଲ ମୂଲ୍ୟାୟନ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ଜାରି କରାଯାଇଛି । ମୂଲ୍ୟାୟନରେ ସ୍ବଚ୍ଛତା ଅବଲମ୍ବନ କରିବାକୁ ସମସ୍ତ ଯୁକ୍ତ 2 କଲେଜ ଅଧ୍ୟକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ବର : ଯୁକ୍ତ ୨ ପ୍ରାକ୍ଟିକାଲ ମୂଲ୍ୟାୟନ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ଜାରି କରାଯାଇଛି । ମୂଲ୍ୟାୟନରେ ସ୍ବଚ୍ଛତା ଅବଲମ୍ବନ କରିବାକୁ ସମସ୍ତ ଯୁକ୍ତ 2 କଲେଜ ଅଧ୍ୟକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷର ପିଲାଙ୍କ ପ୍ରାକ୍ଟିକାଲ୍ ମୂଲ୍ୟାୟନ ରେକର୍ଡ ସହ ଗତ ତିନି ବର୍ଷର କଲେଜ ରେକର୍ଡକୁ ମଧ୍ୟ ଯାଞ୍ଚ କରିବାକୁ ନିର୍ଦ୍ଦେଶରେ କୁହାଯାଇଛି ।

ପ୍ରାକ୍ଟିକାଲରେ ପିଲା ରଖିଥିବା ମାର୍କକୁ ପ୍ରତିଶତ ଅନୁଯାୟୀ ବିଭକ୍ତ କରାଯାଇ ଛାତ୍ରଛାତ୍ରୀଙ୍କ ହାରାହାରି ତାଲିକା ପ୍ରସ୍ତୁତ କରାଯିବ । ପିଲାଙ୍କ ତାଲିକାକୁ ପୂର୍ବ ତିନି ବର୍ଷରେ ଶିକ୍ଷାନୁଷ୍ଠାନ ହାସଲ କରିଥିବା ରେଜଲ୍ଟ ରେକର୍ଡ଼ ସହିତ ମେଳ କରାଯିବ । ଏଥିରେ କୌଣସି ପ୍ରକାର ତ୍ରୁଟି ପରିଲକ୍ଷିତ ହେଲେ, ସମ୍ପୃକ୍ତ କଲେଜଗୁଡ଼ିକୁ କାରଣଦର୍ଶାଅ ନୋଟିସ୍ ଜାରି କରାଯିବ ବୋଲି ପରିଷଦ ପରୀକ୍ଷା ନିୟନ୍ତ୍ରକ କହିଛନ୍ତି ।
ବିଶେଷ କରି ଘରୋଇ କଲେଜ କ୍ଷେତ୍ରରେ ଯାଞ୍ଚ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି ହେବ । ଚଳିତବର୍ଷର ମୂଲ୍ୟାୟନ ସହିତ ବିଗତ ତିନି ବର୍ଷର ରେକର୍ଡକୁ ଏଥିସହ ଦାଖଲ କରିବା ପାଇଁ ପରିଷଦ କହିଛି । ଶିକ୍ଷାନୁଷ୍ଠାନଗୁଡ଼ିକରେ ପ୍ରାକ୍ଟିକାଲ ମୂଲ୍ୟାୟନ ପ୍ରକ୍ରିୟା କଲେଜ ଅଧ୍ୟକ୍ଷଙ୍କ ତତ୍ତ୍ବାବଧାନରେ ତ୍ବରାନ୍ବିତ ହେବ । ଶିକ୍ଷାନୁଷ୍ଠାନର ପ୍ରାକ୍ଟିକାଲ୍ ବିଷୟ ସହିତ ଜଡ଼ିତ ଥିବା ଶିକ୍ଷକମାନେ ହିଁ ପ୍ରାକ୍ଟିକାଲ୍ ମାର୍କ ଦେବେ । ତେବେ ଟାବୁଲେସନ୍ ପ୍ରକ୍ରିୟା ଓ ପିଲାଙ୍କୁ ମାର୍କ ପ୍ରଦାନ କରିବା ସମୟରେ 2018, 2019 ଓ 2020 ଶିକ୍ଷାବର୍ଷର ଶିକ୍ଷାନୁଷ୍ଠାନ ରେଜଲ୍ଟ ହାରାହାରିକୁ ଭିତ୍ତି କରି ମାର୍କ ପ୍ରଦାନ କରିବା ଲାଗି ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ପରାମର୍ଶ ଦେଇଛନ୍ତି ।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଆମେ ଅଗଷ୍ଟ ଦ୍ବିତୀୟ ସପ୍ତାହରେ ଯୁକ୍ତ 2 ଫଳ ପ୍ରକାଶ କରିବାକୁ ଯୋଜନା କରିଥିଲୁ । ତେବେ ସୁପ୍ରିମକୋର୍ଟଙ୍କ ରାୟ ପରେ ଜୁଲାଇ 31 ସୁଦ୍ଧା ଫଳ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଛୁ । ଯଦି କିଛି ଅସୁବିଧା ହୁଏ, ତେବେ ଦିନେ ଦୁଇ ଦିନ ବିଳମ୍ବ ହୋଇପାରେ ।












Click it and Unblock the Notifications