ପରୀକ୍ଷାରେ ଫେଲ୍ କରିବାକୁ ଧମକ ଦେଇ ଯୌନ ନିର୍ଯ୍ୟାତନା, ଥାନାର ଦ୍ୱାରସ୍ଥ ହେଲେ ନାବାଳିକା ଛାତ୍ରୀ
ଜୟପୁର: ଶିକ୍ଷାର ମନ୍ଦିରରେ ଯୌନ ପିପାସୁ ପ୍ରିନ୍ସିପାଲ । ପରୀକ୍ଷାରେ ଫେଲ୍ କରାଇଦେବା ଧମକ ଦେଇ କରୁଥିଲା ଯୌନ ଶୋଷଣ । ପ୍ରିନ୍ସିପାଲର ଲୋଲୁପ ଦୃଷ୍ଟିରେ ଥିଲେ ନାବାଳିକା ଛାତ୍ରୀ । ଏମିତି ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ଜୟପୁରର ଏକ ଘରୋଇ କଲେଜରେ ।
ଜୟପୁରରେ ଘରୋଇ କଲେଜର ପ୍ରିନ୍ସପାଲଙ୍କ ବିରୋଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ପରୀକ୍ଷାରେ ଫେଲ୍ କରିବା ଧମକ ଦେଇ ନାବାଳିକା ଛାତ୍ରୀଙ୍କୁ ଦୁର୍ଷ୍କମ କରୁଥିଲା ପ୍ରିନ୍ସିପାଲ । ଏପରିକି ନାବାଳିକା ଛାତ୍ରୀଙ୍କ ମାଙ୍କୁ ମଧ୍ୟ ଅସଦାଚରଣ କରାଯିବା ସହ ମାଡ ମରାଯାଇଛି । ଏନେଇ ଛାତ୍ରୀ ଜଣକ ଜୟପୁର ଟାଉନ ଥାନାରେ ଅଭିଯୋଗ କରିଛନ୍ତି । କେବଳ ସେ ନୁହଁନ୍ତି, କଲେଜର ବହୁ ଛାତ୍ରୀ, କଲେଜ ଅଧ୍ୟକ୍ଷଙ୍କ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଛି ।

ଛାତ୍ରୀନିବାସରେ ରହୁଥିବା ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର 8ଜଣ ଓ ପ୍ରଥମ ବର୍ଷର 5 ଜଣ ଛାତ୍ରୀ ଥାନାରେ ଅଭିଯୋଗ କରି ଏତଲା ଦେଇଛନ୍ତି । ଅଧ୍ୟକ୍ଷଙ୍କ ଏଭଳି ଅଶୋଭନୀୟ ବ୍ୟବହାରରେ ଅତିଷ୍ଟ ହୋଇ ରହିଥିଲେ ଛାତ୍ରୀ । ଛାତ୍ରୀଙ୍କୁ କୁଆଡେ ଅଧ୍ୟକ୍ଷ ଜଣକ ଭୟଭୀତ କରିବା ସହ ତାଙ୍କ ସହ ଶାରିରୀକ ସଂପର୍କ ରଖିବାକୁ ବି ବାଧ୍ୟ କରୁଥିବା ଛାତ୍ରୀମାନେ କହିଛନ୍ତି । ଗତକାଲି ଜଣେ ଛାତ୍ରୀଙ୍କ ମା' ଛାତ୍ରୀଙ୍କୁ ଭେଟିବାକୁ ଆସିଥିବା ବେଳେ ଛାତ୍ରୀ ଜଣକ ଏସଂପର୍କରେ କହିଥିଲେ। ପରେ ଅନ୍ୟ ଛାତ୍ରୀମାନେ ବି ତାଙ୍କ ମା'ଙ୍କୁ ଜଣାଇଥିଲେ। ଏହାପରେ ତାଙ୍କ ମା' ଅଧ୍ୟକ୍ଷଙ୍କୁ ପଚାରିବାରେ ତାଙ୍କୁ ବି ଆଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।
ସମସ୍ତ ଛାତ୍ରୀ ତାପରେ ଟାଉନ ଥାନାରେ ପହଞ୍ଚି ପୋଲିସ୍ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଏତଲା ଗ୍ରହଣ କରିବା ପରେ ନିଜେ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର, ସବଇନସପେକ୍ଟର ମନିଷା ସାହୁ ଉକ୍ତ ଘରୋଇ ମହାବିଦ୍ୟାଳୟ ଓ ତାଙ୍କ ଘରକୁ ଯାଇଥିଲେ । କିନ୍ତୁ ଅଧ୍ୟକ୍ଷ ଜଣକ ଫେରାର ହୋଇଥିବା କହିଛନ୍ତି ଥାନା ଅଧିକାରୀ । ମାମଲାର ସମ୍ବେଦନଶୀଳତାକୁ ଦେଖି ସମସ୍ତ ଛାତ୍ରୀଙ୍କ ବୟାନ ନେବା ସହ ଘଟଣାର ତଦନ୍ତ ଜାରି ରହିଥିବା କହିଛନ୍ତି ଥାନା ଅଧିକାରୀ ।
ଏହାକୁ ନେଇ ଅଭିବାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ତୁରନ୍ତ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି କରିଛନ୍ତି । ପୋଲିସ ଅଧ୍ୟକ୍ଷଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା କହିଛନ୍ତି ଥାନା ଅଧିକାରୀ ।












Click it and Unblock the Notifications