ଉଦ୍ଧାରେ ହେଲା ଅପହୃତ ଶିଶୁ, କିଡନାପ ପଛରେ ଥିଲା ବାପାର ହାତ...
ଭୁବନେଶ୍ୱର: ଭୁବନେଶ୍ୱର ପଟିଆ ଷ୍ଟେସନ ନିକଟରୁ ଅପହୃତ ଏକ ବର୍ଷକର ଶିଶୁ ଉଦ୍ଧାର ହୋଇଛି । କଟକରୁ ଶିଶୁକୁ ଉଦ୍ଧାର କରାଯାଇଛି । ପଟିଆ ଷ୍ଟେସନ ନିକଟ ବଜାରରୁ ମାଆ ପାଖରୁ ଶିଶୁଟିକୁ କେହି ଏକ କାରରେ ଆସି ଛଡ଼ାଇ ନେଇଥିବା ନେଇ ଅଭିଯୋଗ ହୋଇଥିଲା । ମଞ୍ଚେଶ୍ୱର ଥାନା ପକ୍ଷରୁ ଏନେଇ ସୂଚନା ମିଳିଛି ।

ଶିଶୁ ଅପହୃତ ନେଇ ମଞ୍ଚେଶ୍ୱର ଥାନାରେ ଗତକାଲି ଅଭିଯୋଗ ହୋଇଥିଲା । ମାଆ ନିକଟରୁ କେହି ଶିଶୁଟିକୁ ନେଇଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପରେ ପୋଲିସ ଶିଶୁକୁ କଟକରୁ ଉଦ୍ଧାର କରିଥିବା ସୂଚନା ମିଳିଛି ।
ତେବେ ତଦନ୍ତରୁ ଜଣାପଡ଼ିଛି କିଡନାପ ପଛର ମାଷ୍ଟରମାଇଣ୍ଡ ଥିଲା ଶିଶୁର ବାପା । ଅପହୃତ ଶିଶୁ ଉଦ୍ଧାର ହେବା ପରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଶିଶୁ ଅପହୃତ ଖବର ପାଇବା କ୍ଷଣି ତୁରନ୍ତ ନିକଟସ୍ଥ ସମସ୍ତ ଥାନାକୁ ସୂଚନା ଦିଆଯାଇଥିଲା । ଏପରିକି ଶିଶୁକୁ ଉଦ୍ଧାର କରିବାକୁ ପ୍ରତି ଗାଡିକୁ ଯାଞ୍ଚ କରାଯାଇଥିଲା । ତେବେ ଶିଶୁର ବାପାଙ୍କୁ ଅପହୃତ ବାବଦରେ ପଚରାଉଚରା ବେଳେ ସନ୍ଦେହ ସୃଷ୍ଟି ହୋଇଥିଲା । ତାଙ୍କ କଥାରେ ତାଳମେଳ ନଥିବାରୁ ସନ୍ଦେହ ଆହୁରି ବଢିଥିଲା । ପରେ ଶିଶୁଟିକୁ ଅପହୃତ କରିଥିବା ନେଇ ସ୍ୱୀକାର କରିଥିଲା ଅଭିଯୁକ୍ତ ବାପା । ଏହି ଘଟଣାରେ ଅଭିଯୁକ୍ତ ବାପାଙ୍କ ସହ ଅନ୍ୟ 3 ଜଣଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ ।












Click it and Unblock the Notifications