ଶାଇସ୍ତା ପରବୀନ : ପୋଲିସ ଝିଅରୁ ଗ୍ୟାଙ୍ଗଷ୍ଟର ପତ୍ନୀ... ମୋଷ୍ଟ ୱାଣ୍ଟେଡ୍
ଦିନ ଥିଲା ପ୍ରୟାଗରାଜରେ ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ ନାଁରେ ସହର ଥରି ଉଠୁଥିଲା । କିନ୍ତୁ ଆଜି ଆଉ ସେ ଭୟ ନାହିଁ । ମାଟିରେ ମିଶିଯାଇଛି ଗ୍ୟାଙ୍ଗଷ୍ଟର ଅତିକ୍ ଏବଂ ତାର ନାଁ । ସମ୍ପୂର୍ଣ୍ଣ ପରିବାର ଛାରଖାର ହୋଇଯାଇଛି । ଗୋଟିଏ ପୁଅକୁ ପୋଲିସ୍ ଏନକାଉଣ୍ଟର କରିଛି, ଅନ୍ୟ 2 ପୁଅ ଜେଲରେ ଅଛନ୍ତି । ଭାଇ ଅଶରଫ ଓ ଅତିକ୍ କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଛି । ଅପରପକ୍ଷରେ ଫେରାର୍ ଅଛି ତାର ପତ୍ନୀ ଶାଇସ୍ତା ପରବୀନ୍ ।
ଶାଇସ୍ତା ନା ପୁଅର ମୃତ୍ୟୁରେ ଆସିଲା ନା ସ୍ୱାମୀଙ୍କ ମୃତ୍ୟୁ ପରେ ଶେଷ ଦର୍ଶନ କରିପାରିଲା । ଶାଇସ୍ତା ବର୍ତ୍ତମାନ ୟୁପି ପୋଲିସର ମୋଷ୍ଟ ୱାଣ୍ଟେଡ୍ ତାଲିକାର ଉପରେ ରହିଛି । ୟୁପି ପୋଲିସ ତା ଉପରେ 50 ହଜାର ପୁରସ୍କାର ରଖିଛି । ଅତିକ୍ ଜେଲ୍ ଯିବା ପରେ ଶାଇସ୍ତା ପରିବାର ଏବଂ ସମସ୍ତ ବ୍ୟବସାୟ ପରିଚାଳନା କରୁଥିଲା ।

ଉମେଶ ପାଲ ହତ୍ୟା ପରେ ୟୁପି ପୋଲିସ ଏବଂ ଏସଟିଏଫର ଅନେକ ଦଳ କ୍ରମାଗତ ଭାବରେ ଶାଇସ୍ତାକୁ ଖୋଜୁଛନ୍ତି । ତା ବିଷୟରେ ସୂଚନା ଦେଲେ 50 ହଜାର ଟଙ୍କା ପୁରସ୍କାର ରାଶି ମଧ୍ୟ ରଖାଯାଇଛି । କିନ୍ତୁ ଶାଇସ୍ତା ଏପର୍ଯ୍ୟନ୍ତ ପୋଲିସ ହାତରେ ଲାଗି ପାରିନି । ତେବେ ଜଣେ ପୋଲିସର ଝିଅ ରୁ ମାଫିଆ ଅତିକ୍ ର ପତ୍ନୀ, ପୁଣି ମୋଷ୍ଟ ୱାଣ୍ଟେଡ୍... ଶାଇସ୍ତା ର କାହାଣୀ ବିଷୟରେ ଜାଣନ୍ତୁ ...
50 ବର୍ଷ ବୟସ୍କା ଶାଇସ୍ତା ପରବୀନ ଜଣେ ସାଧାରଣ ଝିଅରୁ ଗ୍ୟାଙ୍ଗଷ୍ଟର ଅତିକ୍ ର ପତ୍ନୀ ହୋଇଛି । ଏହି ଯାତ୍ରାରେ ଶାଇସ୍ତାକୁ ଅନେକ ଘାତ ପ୍ରତିଘାତ ସାମ୍ନା କରିବାକୁ ପଡ଼ିଥିଲା । ଶାଇସ୍ତା 1972 ମସିହାରେ ପ୍ରୟାଗରାଜର ଦାମୁପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲା । ସେ ପୋଲିସ୍ କନଷ୍ଟେବଳ ଫାରୁକ୍ ଙ୍କ ଝିଅ ।

ପୋଲିସ୍ କନଷ୍ଟେବଳ ଫାରୁକଙ୍କ 6 ସନ୍ତାନ ମଧ୍ୟରୁ ଶାଇସ୍ତା ଥିଲା ସବୁଠୁ ବଡ଼ । ସେମାନେ ଚାରି ଭଉଣୀ ଏବଂ ଦୁଇ ଭାଇ । ପିଲାଦିନରୁ ଶାଇସ୍ତା ପିତାଙ୍କ ସହ ପୋଲିସ୍ ଷ୍ଟେସନରେ ସରକାରୀ ପୋଲିସ୍ କ୍ୱାର୍ଟରରେ ରହୁଥିଲେ । ପ୍ରୟାଗରାଜର ଏକ କଲେଜରୁ ଦ୍ୱାଦଶ ପାସ୍ କରିବା ପରେ ଶାଇସ୍ତା ପ୍ରଥମେ ନିଜକୁ ଘର କାମରେ ସୀମିତ ରଖିଥିଲା ।
1996 ରେ ଶାଇସ୍ତା ଅତିକ୍ କୁ ବିବାହ କରିବା ବେଳକୁ ଅତିକ୍ ନିଜକୁ ଗ୍ୟାଙ୍ଗଷ୍ଟର ଭାବରେ ପ୍ରତିଷ୍ଠିତ କରିଥିଲା । ଏହା ସହ ରାଜନୀତିରେ ମଧ୍ୟ ପ୍ରବେଶ କରିଥିଲା । ଏହି ସମୟରେ ଶାଇସ୍ତାଙ୍କୁ 24 ବର୍ଷ ହୋଇଥିଲା ।

ଅନ୍ୟପକ୍ଷରେ, ଅତିକ୍ ଏକ ଗରିବ ପରିବାରରୁ ଥିଲା । ଅତିକ୍ ଦଶମ ଫେଲ୍ ମଧ୍ୟ ଥିଲା । ଅତିକ୍ ପାଖରେ ଟଙ୍କା ଓ ନାଁ ଥିଲେ ବି ସେ ଏପରି ଜଣେ ଜୀବନସାଥୀ ଚାହୁଁଥିଲା ଯିଏକି ତା ଠାରୁ ଅଧିକ ଶିକ୍ଷିତ ହୋଇଥିବ । ଅତିକ୍ ଅଗଷ୍ଟ 1999 ରେ ଶାଇସ୍ତାକୁ ବିବାହ କରିଥିଲା । ସେ ଶାଇସ୍ତାକୁ ବିବାହ କରିବା ବେଳକୁ 1989, 1991, 1993, 1996 ରେ ଚାରିଥର ବିଧାୟକ ହୋଇସାରିଥିଲା । ଏହା ପରେ, 2002 ମସିହାରେ, ସେ ସହର ପଶ୍ଚିମ ଆସନରୁ 5 ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲା । ଏଥି ସହିତ 2004 ରେ ଫୁଲପୁର ସଂସଦୀୟ ଆସନରୁ ସାଂସଦ ମଧ୍ୟ ନିର୍ବାଚିତ ହୋଇଥିଲା ।
ଫେବୃଆରୀ 24 ରେ 'ବିଏସ୍ପି' ବିଧାୟକ ରାଜୁ ପାଲ୍ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲ୍ଙ୍କୁ ତାଙ୍କ ବାସଭବନ ଆଗରେ ଗୁଳି ମାରି ହତ୍ୟା କରାଯିବା ପରେ ଶାଇସ୍ତା ଏହି ଘଟଣାର ମାଷ୍ଟରମାଇଣ୍ଡ ଥିବା ଜଣାପଡ଼ିଥିଲା । ଜେଲକୁ ଯାଇ ଶାଇସ୍ତା ଅତିକ ସହ ମିଶି ଉମେଶଙ୍କୁ ହତ୍ୟା କରିବାର ଯୋଜନା କରିଥିଲା । ବହୁ ବର୍ଷ ଧରି ପରଦା ପଛରେ ରହିଆସୁଥିବା ବେଳେ ଶାଇସ୍ତା ଶେଷରେ ଅତିକର ଅପରାଧିକ ସାମ୍ରାଜ୍ୟର ମୁଖିଆ ପାଲଟିଥିଲା । ବର୍ତ୍ତମାନ ସେ ଉତ୍ତର ପ୍ରଦେଶ ପୋଲିସର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ରହିଛି ।












Click it and Unblock the Notifications