ନୀଳଗିରି ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲେ ଭାଇ-ଭାଉଜ
ବାଲେଶ୍ୱର: ନୀଳଗିରି ମିତ୍ରପୁର ଅଞ୍ଚଳରେ ହୋଇଥିବା ଡବଲ ମର୍ଡର ଘଟଣାର ହୋଇଛି ପର୍ଦ୍ଦାଫାଶ । ବ୍ଲୁ ଲେକ୍ରୁ ମିଳିଥିବା ମୃତଦେହ କାଂଶ କାଂଶ ଅଞ୍ଚଳର ଭବାନୀ ଓ ସାଙ୍ଗ ମନୋରଞ୍ଜନ ବୋଲି ସ୍ପଷ୍ଟ ହୋଇଛି । ଏହା ପରେ ମାମଲାର ତଦନ୍ତ କରି ଚାଞ୍ଚଲ୍ୟକର ତଥ୍ୟ ଦେଇଛି ପୁଲିସ୍ । ସୁପାରୀ ଦେଇ ଦୁହିଁଙ୍କୁ ହତ୍ୟା କରାଯାଇଛି । ଆଉ ଏହାର ମାଷ୍ଟର ମାଇଣ୍ଡ ମୃତକ ଭବାନୀଙ୍କ ବଡ଼ ଭାଇ-ଭାଉଜ ।

ଜମିଜମା ବିବାଦ ପାଇଁ ନିଜ ସାନ ଭାଇକୁ ସୁପାରୀ ଦେଇ ହତ୍ୟା କରିଥିବା ସ୍ପଷ୍ଟ କରିଛି ପୁଲିସ୍ । ଦୁଇ ଯୁବକଙ୍କୁ ହତ୍ୟା ପରେ ପରିତ୍ୟକ୍ତ ଖାଦାନରେ ଫିଙ୍ଗି ଦେଇଥିଲେ ସୁପାରୀ କିଲର ।
ପୁଲିସ୍ ଅନୁସାରେ, ହତ୍ୟା ପାଇଁ ହୋଇଥିଲା ସୁଚିନ୍ତିତ ଷଡ଼ଯନ୍ତ୍ର । ହତ୍ୟା ପାଇଁ 3 ମାସ ପୂର୍ବରୁ ବଡ଼ ଭାଇ ଓ ଭାଉଜ ରଚିଥିଲେ ଷଡ଼ଯନ୍ତ୍ର । 1 ଲକ୍ଷ 40 ହଜାର ଟଙ୍କାରେ ମାରିବା ପାଇଁ ଡିଲ୍ କରିଥିଲେ ଭାଇ-ଭାଉଜ । ପରେ ନିଜେ ଅଭିଯୋଗ କରି ତଦନ୍ତକୁ ବାଟବଣା କରିଥିଲେ । ତେବେ ଭାଇ-ଭାଉଜକୁ ମିଶାଇ 6 ଅଭିଯୁକ୍ତକୁ ଗିରଫ କରିଛି ପୁଲିସ । ଜଣେ ଅଭିଯୁକ୍ତ ଫେରାର ଅଛି । ପୁଲିସ୍ ସେମାନଙ୍କ ଠାରୁ 70 ହଜାର ଟଙ୍କା, ମାରଣାସ୍ତ୍ର, 6ଟି ଫୋନ୍, ଦୁଇଟି ମୋଟରସାଇକେଲ ଜବତ କରିଛି । ଏ ନେଇ ପ୍ରେସମିଟ୍ ଜରିଆରେ ଏସ୍ପି ସାଗରିକା ନାଥ ସୂଚନା ଦେଇଛନ୍ତି ।
ବାଲେଶ୍ୱର ଏସ୍ପି ସାଗରିକା ନାଥଙ୍କ ସୂଚନା ଅନୁଯାୟୀ, ପୂର୍ବ ଶତ୍ରୁତା ଓ ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଛି । ଦୁଇ ଭାଇ (ଅଭିଯୁକ୍ତ ବିଜୟ ଓ ମୃତ ଭବାନୀ)ଙ୍କ ମଧ୍ୟରେ ଜମି ଭାଗ ହୋଇଥିଲା । ସେହି ଜମି ଭାଗ ବେଳେ କିଛି ଟଙ୍କା ଦେବା ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହା ପରେ ବିଜୟ ତାଙ୍କ ପତ୍ନୀଙ୍କ ସହିତ ମିଶି ସାନ ଭାଇ ଭବାନୀ ଶଙ୍କର ରାଉତଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ । 3 ମାସ ପୂର୍ବରୁ ସେ ଏହି ଯୋଜନା କରିଥିଲେ । ଏଥିପାଇଁ ବିଜୟ ପୁରୁଣା ବାଲେଶ୍ୱରର ମଣ୍ଡଳ ସାହିର ଜଣେ 31 ବର୍ଷୀୟ ଯୁବକଙ୍କ ସହିତ ଯୋଗାଯୋଗ କରିଥିଲେ । ସେ ହେଉଛି ମୁଖ୍ୟ ସୁପାରୀ କିଲର । ସେ ଆଉ ଜଣେ 26 ବର୍ଷୀୟ ଅଭିଯୁକ୍ତଙ୍କ ସହିତ ଯୋଗାଯୋଗ କରିଥିଲେ । ସେହି 26 ବର୍ଷୀୟ ଯୁବକ ଆଉ 3 ଜଣଙ୍କ ସହିତ ଯୋଗାଯୋଗ କରି ତାଙ୍କ ଟିମ୍ ଗଠନ କରିଥିଲେ ଏବଂ ସମସ୍ତେ ମିଶି ପୂରା ଯୋଜନାବଦ୍ଧ ଭାବେ ଏହି କାଣ୍ଡ ଘଟାଇଥିଲେ ।
ବିଜୟ ପ୍ରଥମେ ଯେଉଁ ବ୍ୟକ୍ତିଙ୍କୁ ଯୋଗାଯୋଗ କରିଥିଲେ, ସେ ଯୋଜନା ଅନୁଯାୟୀ 3 ମାସ ତଳୁ କୌଣସି କାମ ବାହାନାରେ ଭବାନୀଙ୍କ ସହିତ ମିଳାମିଶା ବଢ଼ାଇଥିଲେ । ଭବାନୀଙ୍କ ସହିତ ସେ ନିୟମିତ ଭାବେ ଯୋଗାଯୋଗରେ ଥିଲେ । ଭବାନୀଙ୍କ ଭରସା ଜିତିବା ପରେ ସେ ଘଟଣା ଦିନ ଏକ ଭୋଜିଭାତର ଆୟୋଜନ କରିଥିଲେ । ତାଙ୍କ ସହିତ ଆଉ 4 ସୁପାରୀ କିଲର ଏଥିରେ ସାମିଲ ହୋଇଥିବା ବେଳେ ଭବାନୀ ସେଠାକୁ ତାଙ୍କ ବନ୍ଧୁ ମନୋରଞ୍ଜନ ମହାପାତ୍ରଙ୍କୁ ନେଇ ଯାଇଥିଲେ । ସେଠାରେ ସୁଯୋଗ ଦେଖି 5 ସୁପାରୀ କିଲର ମିଶି ଭବାନୀ ଓ ମନୋରଞ୍ଜନଙ୍କୁ ହତ୍ୟା କରିଥିଲେ ।
ସେମାନେ ପ୍ରଥମେ ଭବାନୀଙ୍କୁ ତେଲେଙ୍ଗା କଟୁରୀରେ ହତ୍ୟା କରିଥିଲେ । ତା'ପରେ ସେମାନେ ମନୋରଞ୍ଜନ ମହାପାତ୍ରଙ୍କୁ ମାରି ଦେଇଥିଲେ । କାରଣ ସେ ସେଠାରେ ଉପସ୍ଥିତ ଥିଲେ ଓ ଭବାନୀଙ୍କୁ ହତ୍ୟା କରାଯିବା ବେଳେ ଦେଖିଥିଲେ । ତେଣୁ ପ୍ରମାଣ ନଷ୍ଟ କରିବା ପାଇଁ ତାଙ୍କୁ ମଧ୍ୟ ସୁପାରୀ କିଲରମାନେ ମାରି ଦେଇଥିଲେ । ସେମାନେ ଉଭୟଙ୍କ ମୃତଦେହକୁ ବ୍ଲୁ ଲେକ୍ରେ ଫୋପାଡ଼ି ଦେଇଥିଲେ ।
5 ତାରିଖରେ ଏହି ଘଟଣା ଘଟିଥିବା ବେଳେ 6 ତାରିଖରେ ବିଜୟ କୁମାର ରାଉତ ନୀଳଗିରି ଥାନାକୁ ଯାଇ ତାଙ୍କ ସାନ ଭାଇ ଭବାନୀ ଶଙ୍କର ରାଉତ ନିଖୋଜ ହୋଇଯାଇଥିବା ଅଭିଯୋଗ କରିଥିଲେ । ଏହା ସହିତ ନୀଳଗିରିର କ୍ଲୁ ଲେକ୍ ପାଖରେ ତାଙ୍କ ଭାଇଙ୍କ ଚପଲ ସହିତ ରକ୍ତଛିଟା ପଡ଼ିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସେ ସନ୍ଦେହ କରୁଥିବା ପୁଲିସକୁ କହିଥିଲେ । ତାଙ୍କ ଅଭିଯୋଗ ଆଧାରରେ ନୀଳଗିରି ଏସ୍ଡିପିଓଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଘଟଣାର ପ୍ରାଥମିକ ତଦନ୍ତ କରାଯାଇଥିଲା । ତଦନ୍ତ ବେଳେ ପୁଲିସ୍ ଟିମ୍ ବିଶ୍ୱସ୍ତସୂତ୍ରରୁ ଖବର ପାଇଲା ଯେ ଏହି ଘଟଣାରେ ବିଜୟଙ୍କର ସଂପୃକ୍ତି ଥାଇପାରେ । ଏହା ପରେ ପୁଲିସ୍ ବିଜୟଙ୍କୁ ଥାନାକୁ ଆଣି ଜେରା କରାଯାଇଥିଲା । ଜେରା ବେଳେ ବିଜୟ ଦୋଷ ସ୍ୱୀକାର କରିବା ସହିତ ପୂରା ଘଟଣା ବିଷୟରେ କହିଥିଲେ । ଏହା ପରେ ବିଜୟ ପ୍ରଥମେ ଯୋଗାଯୋଗ କରିଥିବା ବ୍ୟକ୍ତିକୁ ଧରିଥିଲା । ତା'ପରେ ଅନ୍ୟ 3 ଜଣଙ୍କୁ ଧରାଯାଇଥିଲା ।ତେବେ ଆଉ ଜଣେ ଅଭିଯୁକ୍ତ ଫେରାର ଅଛି ।
ଅନ୍ୟପକ୍ଷରେ ତିନି ଦିନ ଧରି ଖୋଜାଖୋଜି କରିବା ପରେ ଆଜି ଭବାନୀ ଶଙ୍କର ରାଉତ ଓ ମନୋରଞ୍ଜନ ମହାପାତ୍ରଙ୍କ ମୃତଦେହ ବ୍ଲୁ ଲେକ୍ରୁ ପାଇଥିଲା ପୁଲିସ୍। ଅଗ୍ନିଶମ ବାହିନୀ ଓ ଓଡ୍ରାଫ ସହାୟତାରେ ଦୁଇଟି ଯାକ ମୃତଦେହକୁ ଉଦ୍ଧାର କରାଯାଇଥିଲା।












Click it and Unblock the Notifications