ପୁଣି ମାତିଲେ ଲୁଟେରା, ଶିଶୁ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଅଳଙ୍କାର
ବାଲେଶ୍ୱର: ଜିଲ୍ଲାରେ ମାତିଛନ୍ତି ଲୁଟେରା । ଦିନକ ଆଗରୁ ଗୋଟିଏ ରାତିରେ ଦୁଇ ଦୁଇଟି ଏଟିମ୍ ଲୁଟ୍ କୁ 48 ଘଣ୍ଟା ନ ପୁରୁଣୁ ପୁଣି ଏକ ଲୁଟ୍ ଘଟଣା ସାମ୍ନାକୁ ଆସିଛି ।
ସ୍ପଷ୍ଟ ଦିବାଲୋକରେ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟି ନେଇଛନ୍ତି ସୁନା ଗହଣା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୀଳଗିରିରେ । ନାଲି ବାଇକ୍ ଲୁଟେରା ଆତଙ୍କ ଖେଳାଇଛନ୍ତି । ଦୁର୍ବୃତ୍ତମାନେ ଆଜି ଅପରାହ୍ନରେ ଏକ ବାଇକରେ ଆସି ବନ୍ଧୁକ ଦେଖାଇ ସୁନାଗହଣା ଲୁଟିଛନ୍ତି ।

ସୂଚନା ମୁତାବକ ଏପରି ଏକ ଘଟଣା ନୀଳଗିରି ଥାନା ଅଧିନ ସଜନାଗଡ଼ସ୍ଥିତ ତିନିକୋଶିଆ ଜଙ୍ଗଲ ମଝିରେ ଦେଖିବାକୁ ମିଳିଛି । ବରହମପୁର ଗ୍ରାମର ବିବେକ ଚୌଧୁରୀ ତାଙ୍କ ଖୁଡ଼ି ସୁମିତ୍ରା ଚୌଧୁରୀ ଓ ତାଙ୍କ ଶିଶୁ ପୁତ୍ରକୁ ଧରି ନୀଳଗିରିରୁ ଘରକୁ ଫେରୁଥିବା ସମୟରେ ସଜନାଗଡସ୍ଥିତ ତିନିକୋଶିଆ ଜଙ୍ଗଲ ମଝିରେ ତିନିଜଣ ଦୁର୍ବୃତ୍ତ ନାଲି ରଙ୍ଗର ଅପାଚେରେ ଆସି ବିବେକଙ୍କ ଗାଡ଼ିକୁ ଅଟାକାଇଥିଲେ । ଏହା ପରେ ଛୋଟ ଶିଶୁର ମୁଣ୍ଡରେ ବନ୍ଧୁକ ଲଗାଇ ସୁନା କାନଫୁଲ, ପଲା ଓ ଅନ୍ୟ ଅଳଙ୍କାର ଲୁଟି ନେବା ପରେ 19ନଂ ରାଜ୍ୟ ରାଜପଥର ନୀଳଗିରି ଅଭିମୁଖେ ଦ୍ରୁତଗତିରେ ପଳାଇଯାଇଥିଲେ ।
ନୀଳଗିରି ପୁଲିସ ଉକ୍ତ ଘଟଣା ସଂପର୍କରେ ସୂଚନା ପାଇବା ପରେ ନିକଟସ୍ଥ ଦୋକାନ ଗୁଡିକରୁ ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ନୀଳଗିରି ଅଞ୍ଚଳରେ ପୂର୍ବରୁ ମଧ୍ୟ ବାଇକ୍ରେ ଆସି ଲୁଟେରାମାନେ ଆତଙ୍କ ଖେଳାଇଛନ୍ତି ।












Click it and Unblock the Notifications