ନାବାଳିକା ଦଷ୍କର୍ମକାରୀକୁ ଫାଶୀ ଦଣ୍ଡ, ରାୟ ଶୁଣାଇଲେ ସୁନ୍ଦରଗଡ଼ ପୋକ୍ସୋ ଜଜ୍
ସୁନ୍ଦରଗଡ଼: ନାବାଳିକା ଦୁଷ୍କର୍ମୀକୁ ଫାଶୀ ଦଣ୍ଡାଦେଶ । ସୁନ୍ଦରଗଡ଼ ପୋକ୍ସୋ କୋର୍ଟ ଏହି ଐତିହାସିକ ରାୟ ଶୁଣାଇଛନ୍ତି । ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଣେ ଦୋଷୀକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି ।
2016 ମସିହା ଅକ୍ଟୋବର ମାସରେ ଘଟିଥିଲା ଏହି ଜଘନ୍ୟ କାଣ୍ଡ । ଝିଅଟି ମା ପାଖରେ ଶୋଇଥିବା ବେଳେ ତାକୁ ଅପହରଣ କରିନେଇଥିଲା ଦୋଷୀ ସଞ୍ଜୀବ । ଦୁଷ୍କର୍ମ କରିବା ପରେ ନାବାଳିକାଙ୍କୁ ହତ୍ୟା କରିଥିଲା । ଏହି ମାମଲାରେ ସଜା ଶୁଣାଇଛନ୍ତି ପୋକ୍ସୋ କୋର୍ଟ ଜଜ ମହେନ୍ଦ୍ର କୁମାର ସୂତ୍ରଧାର । ଅଭିଯୁକ୍ତ ସଞ୍ଜୀବ କେରକେଟ୍ଟାକୁ ଫାଶୀ ଦଣ୍ଡାଦେଶ ହୋଇଛି ।

ମାମଲାର ବିବରଣୀ ଅନୁସାରେ, ଶିଶୁ କନ୍ୟାଜଣକ ମା' ସହିତ ଶୋଇଥିବା ବେଳେ ଅଭିଯୁକ୍ତ ଅପହରଣ କରିଥିଲା । ଏକ ନିର୍ମାଣାଧିନ କୋଠାରେ ଦୁଷ୍କର୍ମ ପରେ ହତ୍ୟା କରିଥିଲା । ଅପହରଣର ତିନି ଦିନ ପରେ ଅର୍ଦ୍ଧ ଗଳିତ ମୃତଦେହ ଉଦ୍ଧାର କରିଥିଲା ଟାଉନ ଥାନା ପୋଲିସ । ପୀଡ଼ିତା ପରିବାରକୁ ଦଶ ଲକ୍ଷ ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ହୋଇଛି ।
ଏହି ମାମଲାରେ ପ୍ରାଥମିକ ତଦନ୍ତରୁ ପୋଲିସ୍ ପଡ଼ୋଶୀ ସଞ୍ଜୀବ କେରକେଟା ଉପରେ ସନ୍ଦେହ କରିଥିଲା । ଗାଁ ଓ ପରିବାର ଲୋକଙ୍କ ତଥ୍ୟ ଆଧାରରେ ପୋଲିସ୍ ସଞ୍ଜୀବ କେରକେଟାକୁ ଉଠାଇ ଆଣି ଘନଘନ ଜେରା କରିଥିଲା । ଜେରା ବେଳେ ସବୁ ସତକଥା ଓଗାଳିଥିଲା ସଞ୍ଜୀବ । ଦୁଷ୍କର୍ମ ପରେ ହତ୍ୟା କରିଥିବା ସ୍ୱୀକାର କରିଥିଲା । ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ମଧ୍ୟ ଦୁଷ୍କର୍ମ ହୋଇଥିବା ଜଣାପଡ଼ିଥିଲା । ଏହା ପରେ ପୋଲିସ୍ ସଞ୍ଜୀବ କେରକେଟାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି । 35 ଜଣ ସାକ୍ଷୀ ଓ ଅନ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ସୁନ୍ଦରଗଡ଼ ପକ୍ସୋ କୋର୍ଟ ।












Click it and Unblock the Notifications