ଯୁବତୀଙ୍କୁ ହତ୍ୟା କରି 31 ଖଣ୍ଡ କରିବା ଘଟଣା, ଗିରଫ ହେଲେ ଅଭିଯୁକ୍ତ ଦମ୍ପତି
ଉମରକୋଟ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଯୁବତୀଙ୍କୁ ହତ୍ୟା କରି 31 ଖଣ୍ଡ କରିବା ଘଟଣାରେ ଗିରଫ ହେଲେ ଅଭିଯୁକ୍ତ ଦମ୍ପତି । ଗତକାଲି ଚନ୍ଦ୍ର ରାଉତ ଓ ତାଙ୍କ ସ୍ତ୍ରୀଙ୍କୁ ଥାନାରେ ଅଟକ ରଖିଥିଲା ପୋଲିସ । ଯୁବତୀଙ୍କୁ ହତ୍ୟା ପରେ ମୃତଦେହକୁ 31 ଖଣ୍ଡ କରି ଜଙ୍ଗଲରେ ପୋତି ଦେଇଥିଲା ଚନ୍ଦ୍ର । ଘଟଣାରେ ରାଇଘର ପୋଲିସ ଓ ସାଇଣ୍ଟିଫିକ୍ ଟିମ ତଦନ୍ତ କରୁଛି । ଆଜି ଅଭିଯୁକ୍ତ ଦମ୍ପତିଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଅଧିକାର ମାଗିବାରୁ ବାଘବେଡ଼ା ଗ୍ରାମର ତିଲାବାଈ ଗଣ୍ଡ (21ବର୍ଷ)ଙ୍କୁ ନିମର୍ମ ଭାବେ ହତ୍ୟା କରାଯାଇଥିଲା । ପ୍ରମାଣ ନଷ୍ଟ ପାଇଁ ଶବକୁ 31 ଖଣ୍ଡ କରି ପୋତିଦେଇଥିଲା ବିବାହିତ ପ୍ରେମିକ । ମୂଷାଗାତରୁ ଶବ ଉଦ୍ଧାର ପରେ ଏହି ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାସ ହୋଇଛି ।
ସୂଚନାଥାଉକି, ଗତ ବୁଧବାର ଠାରୁ ନିଖୋଜ ଥିଲେ ତିଲାବାଈ । ପରିବାର ଲୋକ ଖୋଜାଖୋଜି କରି ସନ୍ଧାନ ପାଇ ନଥିଲେ । ଅନ୍ୟପଟେ ଆଜି ସକାଳେ ଗୋନା ପଞ୍ଚାୟତ ମୁରୁମଡ଼ିହି ଗାଁ ଜଙ୍ଗଲରେ ଗୋଟିଏ ତେନ୍ତୁଳିଗଛ ନିକଟରେ ଜଣେ ଯୁବକ ରକ୍ତଛିଟା ଦେଖିଥିଲେ । ଏଭଳି ବିଚଳିତ କରିବା ଭଳି ଦୃଶ୍ୟ ଦେଖି ତୁରନ୍ତ ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ ପହଞ୍ଚି ତେନ୍ତୁଳିଗଛ ଆଖପାଖ ନିରୀକ୍ଷଣ କରିବାରୁ ମାଟି ତଳେ ଶବ ପୋତା ଯାଇଥିବା ଅନୁମାନ କରିଥିଲେ । 3ଦିନ ଧରି ନିଖୋଜ ଥିବା ତିଲାବାଈଙ୍କ ବାପା ଲୁଦୁରାମ ଗଣ୍ଡଙ୍କୁ ଏହି ବିଷୟରେ ଖବର ଦେଇଥିଲେ । ଲୁଦୁରାମ ଘଟଣାସ୍ଥଳରେ ରକ୍ତଦାଗ ସହ କିଛି ଦୂରରେ ଥର୍ମୋକୋଲ ବାକ୍ସରେ ମଣିଷ ଚମ ଏବଂ ଶରୀରର କିଛି ଅଂଶ ଦେଖି ତୁରନ୍ତ ରାଇଘର ଥାନାରେ ଅଭିଯୋଗ କରିଥିଲେ । ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଟିମ୍ ସହ ପୋଲିସ ପହଞ୍ଚି ମାଟି ଖୋଳିଥିଲା । କିଛି ଫୁଟ୍ ଖୋଳିବା ପରେ ଖଣ୍ଡ ଖଣ୍ଡ ହୋଇ ପୋତା ହୋଇଥିବା ତିଲାବାଈଙ୍କ ଶବ ବାହାରିଥିଲା । ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୋଲିସ ହତ୍ୟା ମାମଲା ରୁଜୁ କରିଛି ।ମୁରୁମଡ଼ିହି ଗ୍ରାମର ଚନ୍ଦ୍ର ରାଉତ ଏବଂ ତାଙ୍କ ପତ୍ନୀଙ୍କୁ ଥାନାରେ ଅଟକ ପଚରାଉଚୁରା ଜାରି ରଖିଥିଲା ।
ସୂଚନା ଅନୁସାରେ, ବିବାହିତ ଚନ୍ଦ୍ର ରାଉତଙ୍କ ସହ ଦୁଇ ବର୍ଷ ହେଲା ତିଲାବାଈଙ୍କ ପ୍ରେମ ସଂପର୍କ ରହିଥିଲା । ବିବାହ ପାଇଁ ତିଲାବାଈ ବାରମ୍ବାର ଚାପ ପକାଉଥିଲେ । ଗତ ବୁଧବାର ରାତିରେ ଘରେ କାହାକୁ କିଛି ନକହି ତିଲାବାଈ ନିଜ ଗାଁ ଠାରୁ 10କିମି ଦୂର ପ୍ରେମିକ ଚନ୍ଦ୍ର ରାଉତ ଘରେ ପହଞ୍ଚିଥିଲେ । ବିବାହ ପାଇଁ ପୁଣି ଚାପ ପକାଇବାରୁ ଦୁହିଁଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଶେଷରେ ତିଲାବାଈଙ୍କୁ ରାସ୍ତାରୁ ହଟାଇବାକୁ ଚନ୍ଦ୍ର ଯୋଜନା କରିଥିବା ବେଳେ ଏଥିରେ ପତ୍ନୀ ସହଯୋଗ କରିଥିଲେ । ଦୁହେଁ ମିଶି ତିଲାବାଈଙ୍କୁ ହତ୍ୟା କରିବା ପରେ ଘର ଠାରୁ 2 ଶହ ମିଟର ଦୂର ଜଙ୍ଗଲକୁ ଶବ ନେଇ ଯାଇଥିଲେ । ଗୋଟିଏ ତେନ୍ତୁଳିଗଛ ତଳେ ଶବକୁ 31 ଖଣ୍ଡ କରିବା ପରେ ଅଳ୍ପ ଦୂରରେ ପୋତି ଦେଇଥିଲେ । ଏପରିକି ଶବକୁ ଶୀଘ୍ର ନଷ୍ଟ କରିବା ଉଦ୍ଦେଶ୍ୟରେ କିଛି ଲୁଣ ମଧ୍ୟ ପକାଇଥିବା ସାଇଣ୍ଟିଫିକ୍ ଟିମ୍ ପ୍ରମାଣ ପାଇଛି । ସେହିପରି ଶବକୁ କାଟିବା ପାଇଁ ବ୍ୟବହାର ହୋଇଥିବା କାତି ଘଟଣାସ୍ଥଳରୁ ମିଳିଛି ।












Click it and Unblock the Notifications