ତୃତୀୟ ସ୍ଥାନକୁ ଖସିଲା ଭାରତ, କମିଲା ରୁଷ ତେଲ ଆମଦାନୀ
ଆମେରିକା କଠୋର ହେବା ପରେ ରୁଷରୁ ତୈଳ ଆମଦାନୀକୁ ଭାରତ ହ୍ରାସ କରିଛି। ଗତ ଡିସେମ୍ବର ମାସରେ କମ ତେଲ ଆମଦାନୀ କରାଯାଇଛି। ରୁଷଠାରୁ ତେଲ ମଗାଉଥିବା ପ୍ରମୁଖ ଦେଶଗୁଡ଼ିକ ମଧ୍ୟରେ ଭାରତ ତୃତୀୟ ସ୍ଥାନକୁ ଖସିଆସିଛି। ସେଣ୍ଟର ଫର ରିସର୍ଚ୍ଚ ଅନ ଏନର୍ଜି ଆଣ୍ଡ୍ କ୍ଲିନ୍ ଏୟାର (ସିଆର୍ଇଏ) ତଥ୍ୟ ଅନୁଯାୟୀ ଗତ ଡିସେମ୍ବରରେ ରୁଷରୁ ଭାରତ ୨୩୦ କୋଟି ଡଲାର ୟୁରୋର ଅଶୋଧୀତ ତୈଳ ଆମଦାନୀ କରିଛି ଯାହା ନଭେମ୍ବରର ୩୩୦ କୋଟି ଡଲାର ଆମଦାନୀ ତୁଳନାରେ କମ୍। ତୁର୍କୀ ଭାରତକୁ ଦ୍ବିତୀୟ ସ୍ଥାନରୁ ହଟାଇ ଦେଇଥିବା ବେଳେ ଚୀନ ଏକ ନମ୍ବର ସ୍ଥାନରେ ରହିଛି।
ରୁଷର ୪୮ ପ୍ରତିଶତ ତେଲ ଚୀନ କିଣୁଛି।ଗତ ଡିସେମ୍ବରରେ ରୁଷରୁ କରାଯାଇଥିବା ଆମଦାନୀରେ ଅଶୋଧିତ ତୈଳର ଭାଗ ୭୮ ପ୍ରତିଶତ ରହିଛି। ଭାରତ ସେଠାରୁ ୪୨୪ ନିୟୁତ ୟୁରୋର କୋଇଲା ଆମଦାନୀ କରିଛି। ମାସିକ ଆଧାରରେ ରୁଷରୁ ତୈଳ ଆମଦାନୀ ୨୯ ପ୍ରତିଶତ ହ୍ରାସ ପାଇଛି। ଗତ ମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ରୁଷରୁ ତେଲ ଆମଦାନୀ କମ୍ କରିଥିଲା। ରୁଷର ଦୁଇ ପ୍ରମୁଖ ତୈଳ କମ୍ପାନି ରୋଜନେଫ୍ଟ ଓ ଲୁକଅଏଲ୍ ଉପରେ କଟକଣା ଲଗାଯିବା ପରେ ପ୍ରଥମ ଥର ପାଇଁ ଗତ ଡିସେମ୍ବରରେ ଅଶୋଧିତ ତୈଳ ଆମଦାନୀ ଏତେ କମ୍ ରହିଛି।

କେବଳ ଘରୋଇ ସଂସ୍ଥା ନୁହେଁ, ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକ ମଧ୍ୟ ରୁଷ୍ ତେଲ କିଣିବା ୧୫ ପ୍ରତିଶତ କମ୍ କରିଛନ୍ତି। ଭାରତୀୟ କମ୍ପାନିଗୁଡ଼ିକ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଏଚ୍ପିସିଏଲ୍, ଏଚ୍ବିସିଏଲ୍-ମିତ୍ତଲ ଏନର୍ଜି ଓ ମାଙ୍ଗାଲୋର ରିଫାଇନାରି ରୁଷ୍ରୁ ତେଲ କିଣା ବନ୍ଦ କରିଚନ୍ତି କିମ୍ବା କମ୍ କରିଛନ୍ତି। ଭାରତୀୟ ତୈଳ ନିଗମ କିନ୍ତୁ ତେଲ କିଣା ଜାରି ରଖିଛି।
ଗତ ନଭେମ୍ବରରେ ଭାରତର ଅଶୋଧିତ ତୈଳ ଆମଦାନୀରେ ରୁଷର ଭାଗ ୩୫ ପ୍ରତିଶତ ଥିଲା। ଡିସେମ୍ବରରେ ତାହା ୨୫ ପ୍ରତିଶତକୁ ଖସିଯାଇଛି। ୨୦୨୨ରେ ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ହେବା ପରେ ରୁଷ ତେଲ ରିହାତିରେ ମିଳିଥିଲା। ସେହି ତେଲକୁ ଭାରତ ସର୍ବାଧିକ ପରିମାଣରେ କିଣୁଥିଲା। ମାତ୍ର ଧୀରେ ଧୀରେ ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ରୁଷ ଉପରେ କଟକଣା ଲଗାଇବା ପରେ ତେଲ କିଣା କମ୍ ହେବାରେ ଲାଗିଛି। ରୁଷରୁ ତେଲ କିଣୁଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଜରିମାନା ଆକାରରେ ୨୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି।












Click it and Unblock the Notifications