Get Updates
Get notified of breaking news, exclusive insights, and must-see stories!

କାହିଁକି ମହାପ୍ରଭୁ ଜଗନ୍ନାଥ ମନ୍ଦିର ବାହାରେ ଅରୁଣ ସ୍ତମ୍ଭ ଓ ଭିତରେ ଗରୁଡ ସ୍ତମ୍ଭ ; ଜାଣନ୍ତୁ ପୌରାଣିକ ତତ୍ତ୍ଵ

ଓଡ଼ିଶାର ଧାର୍ମିକ ରାଜଧାନୀ ଶ୍ରୀକ୍ଷେତ୍ରର ତୀର୍ଥ ସ୍ଥାନଗୁଡ଼ିକ ଯେତେକି ରହସ୍ୟଜନକ ଏଠାରେ ପୂଜିତ କୋଟିକୋଟି ଲୋକଙ୍କ ଆରାଧ୍ୟ ଶ୍ରୀବିଗ୍ରହଙ୍କ ପୂଜା, ବିଧିବିଧାନ, ପର୍ବପର୍ବାଣୀ, ବେଶ, ମୂର୍ତ୍ତି ପୂଜା ଓ ସର୍ବୋପରି ଶ୍ରୀମନ୍ଦିର ଭାସ୍କର୍ଯ୍ୟ ମଧ୍ୟ ସେହିପରି ରହସ୍ୟଜନକ। ଶ୍ରୀମନ୍ଦିରେ ପୂଜିତ ବିଭିନ୍ନ ଦେବାଦେବୀ ମୂର୍ତ୍ତି ମଧ୍ୟରୁ ଗରୁଡ଼ ସ୍ତମ୍ଭ ଅନ୍ୟତମ। ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ପୂର୍ବରୁ ଭକ୍ତମାନେ ଦୁଇଟି ସ୍ତମ୍ଭକୁ ପ୍ରଥମେ ଦର୍ଶନ କରିଥାନ୍ତି। ଗୋଟିଏ ସ୍ତମ୍ଭ ଶ୍ରୀମନ୍ଦିର ବହିଃଭାଗରେ ଅର୍ଥାତ୍ ସିଂହଦ୍ୱାର ସମ୍ମୁଖରେ ଅବସ୍ଥିତ। ଯାହାକୁ ଶ୍ରଦ୍ଧାଳୁ ପ୍ରଥମେ ଦର୍ଶନ କରନ୍ତି। ଏହାକୁ ଅରୁଣ ସ୍ତମ୍ଭ କୁହାଯାଏ। ଅନ୍ୟଟି ଜଗନ୍ନାଥ ମନ୍ଦିର ଭିତରେ ଅର୍ଥାତ୍ ମହାପ୍ରଭୁମାନେ ବିରାଜମାନ କରୁଥିବା ରତ୍ନସିଂହାସନ ସମ୍ମୁଖ ଜଗମୋହନରେ ଅବସ୍ଥିତ ସ୍ତମ୍ଭକୁ ଗରୁଡ଼ ସ୍ତମ୍ଭ କୁହାଯାଏ। ପ୍ରତ୍ୟେକ ବିଷ୍ଣୁ ମନ୍ଦିରରେ ବିଷ୍ଣୁଙ୍କ ପ୍ରତିମା ସମ୍ମୁଖରେ ଗରୁଡ଼ ସ୍ତମ୍ଭ ରହିବା ଭଳି ଶ୍ରୀମନ୍ଦିରରେ କେଉଁ ଅନାଦିକାଳରୁ ଗରୁଡ଼ ସ୍ତମ୍ଭ ରହିଛି। ଏହା ଶ୍ରୀମନ୍ଦିର ନିର୍ମାଣ ସମସାମୟିକ ଓ ବେଦାନ୍ତ ସିଦ୍ଧାନ୍ତରେ ପ୍ରତିଷ୍ଠିତ ବୋଲି ଜଣାପଡ଼େ।

Puri Jagannath Temple

ଶ୍ରୀମନ୍ଦିର ପ୍ରତିଷ୍ଠା ସମୟରେ ଏହାର ନିର୍ମାଣ ହୋଇଥିବା ମଧ୍ୟ ଅନୁମାନ କରାଯାଏ। ଶାସ୍ତ୍ର ପ୍ରମାଣ ଅନୁଯାୟୀ ଅରୁଣ ସ୍ତମ୍ଭ ଉପରେ ଅରୁଣ ଓ ଗରୁଡ଼ ସ୍ତମ୍ଭ ଉପରେ ଗରୁଡ଼ ମୂର୍ତ୍ତି ବିରାଜମାନ କରିଥାନ୍ତି। ଅରୁଣ ସୂର୍ଯ୍ୟଙ୍କ ସାରଥୀ ହୋଇଥିବା ବେଳେ ଗୁରୁଡ଼ ବିଷ୍ଣୁଙ୍କ ବାହାନ। ଅରୁଣ ସ୍ତମ୍ଭକୁ କୋଣାର୍କରୁ ଅଣାଯାଇ ଶ୍ରୀମନ୍ଦିରରେ ସମ୍ମୁଖରେ ବିଧିବିଧାନ ମୁତାବକ ସ୍ଥାପନ କରାଯାଇଥିବା ସଂସ୍କୃତି ଗବେଷକମାନେ ମତ ଦିଅନ୍ତି। କୋଣାର୍କ ସୂର୍ଯ୍ୟମନ୍ଦିରରେ ସୂର୍ଯ୍ୟଙ୍କ ପୂଜା ଦେଖିବାକୁ ମିଳେନା। ମାତ୍ର ଶ୍ରୀମନ୍ଦିରରେ ସୂର୍ଯ୍ୟମନ୍ଦିର ରହିଛି ଓ ଏଠାରେ ସୂର୍ଯ୍ୟଙ୍କ ମୂର୍ତ୍ତି ପୂଜା ପାଉଛି। ଐତିହାସିକମାନଙ୍କ ମତରେ ଓଡ଼ିଶାରେ ମରହଟ୍ଟା ରାଜତ୍ୱ କାଳରେ ଏହି ସ୍ତମ୍ଭକୁ କୋଣାର୍କରୁ ଆଣି ପୁରୀରେ ସ୍ଥାପନ କରାଯାଇଥିଲା। ଏହି ସ୍ତମ୍ଭଟି ଗୋଟିଏ କଳା ମୁଗୁନି ପଥରରେ ତିଆରି। ଏହି ସ୍ତମ୍ଭଟିକୁ ଯେଉଁ ଚତୁଃଷ୍କୋଣୀ ପଥର ପୀଠ ଧରି ରହିଛି, ତାହାର ଉଚ୍ଚତା ୪ ଫୁଟ ୩ ଇଞ୍ଚ ଏବଂ ଏହାର ଆକୃତି ୧୬ କୋଣିଆ। ସ୍ତମ୍ଭର ଉପରି ଭାଗରେ ପ୍ରଣାମ ମୁଦ୍ରାରେ ଅରୁଣ ଦେବ ରହିଛନ୍ତି। କିଛି ବର୍ଷ ତଳେ ଏହି ସ୍ତମ୍ଭକୁ ଭକ୍ତଙ୍କ ଅଲିଙ୍ଗନରୁ ଦୂରେଇ ରଖିବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲୁହାବାଡ଼ ବୁଲାଇ ଦିଆଯାଇଥିଲା। ଯାହା ଏବେ ମଧ୍ୟ ରହିଛି।

ଅରୁଣଙ୍କ ପରିଚୟ ହେଲା, ସେ କଶ୍ୟପ ଓ ବନିତାଙ୍କ ପୁତ୍ର। ଏଥିସହ ବିଷ୍ଣୁଙ୍କ ବାହାନ ଗରୁଡ଼ଙ୍କ ଅଗ୍ରଜ। ଶ୍ରାଦ୍ଧାଳୁମାନେ ଶ୍ରୀମନ୍ଦିରକୁ ପ୍ରବେଶ ପୂର୍ବରୁ ଅରୁଣ ସ୍ତମ୍ଭକୁ ସ୍ପର୍ଶ ଓ ପ୍ରଣମ କରିଥାନ୍ତି।

ଶ୍ରୀମନ୍ଦିରର ଜଗମୋହନ ମଧ୍ୟରେ ଗରୁଡ଼ ସ୍ତମ୍ଭ ରହିଛି। ଏହି ସ୍ତମ୍ଭ ଉପରେ ଗରୁଡ଼ ମୂର୍ତ୍ତି ତପସ୍ୟା ମୁଦ୍ରାରେ ବିରାଜମାନ କରିଛନ୍ତି। ଏହା ରତ୍ନ ସିଂହାସନଠାରୁ ୧୭୫ ମିଟର ଦୂରରେ ଅବସ୍ଥିତ। ଏହାର ଉଚ୍ଚତା ୧୦ ଫୁଟ ଓ ଗୋଲେଇ ୩ ଫୁଟ।

ସଂସ୍କୃତ ମହାଭାରତର ଆଦିପର୍ବରେ ୨୩ ଅଧ୍ୟାୟରେ ଗରୁଡ଼ଙ୍କ ବିଷୟରେ ବର୍ଣ୍ଣନା ରହିଛି। ଅନ୍ୟାନ୍ୟ ପୌରାଣିକ ଶାସ୍ତ୍ରରେ ମଧ୍ୟ ଗରୁଡ଼ଙ୍କ ଜନ୍ମ ଓ ବିଷ୍ଣୁଙ୍କ ବାହନ ହେବା କିମ୍ବଦନ୍ତୀ ଉଲ୍ଲେଖ ରହିଛି। ଯାହା ମୁତାବକ ସତ୍ୟ ଯୁଗରେ ଦକ୍ଷ ପ୍ରଜାପତିଙ୍କର କଦ୍ରୁ ଓ ବିନତା ନାମରେ ଦୁଇଟି କନ୍ୟା ଥିଲେ। ପିତା କନ୍ୟା ଦ୍ୱୟଙ୍କୁ ମହର୍ଷି କଶ୍ୟପଙ୍କୁ ବିବାହ କରାଇ ଦେଲେ। ଏକଦା ପ୍ରସନ୍ନ ଥିବା ବେଳେ ସ୍ୱାମୀ କଶ୍ୟପ ତାଙ୍କର ଦୁଇପତ୍ନୀଙ୍କୁ ବର ମାଗିବାକୁ କହିଲେ। କଦ୍ରୁ ଏକ ହଜାର ନାଗପୁତ୍ର ବର ମାଗିଥିଲେ। ଯେତେବେଳେ କି ବିନତା ଏହି ନାଗପୁତ୍ରଙ୍କଠାରୁ ଅଧିକ ବଳଶାଳୀ ଦୁଇଟିପୁତ୍ର ମାଗିଥିଲେ। ବର ଫଳପଦ୍ର ହେଲା। କଦ୍ରୁ ଦେଇଥିବା ଅଣ୍ଡାରୁ ନାଗପୁତ୍ରମାନେ ଜନ୍ମ ହେଲେ।

ହେଲେ ବିନତା ଦେଇଥିବା ଦୁଇଟି ଅଣ୍ଡା ଫୁଟି ନ ଥିଲା। ତେଣୁ ସେ ବ୍ୟାକୁଳ ହୋଇ ଗୋଟିଏ ଅଣ୍ଡାକୁ ଭାଙ୍ଗି ଦେଇଥିଲେ। ଏହା ଭିତରୁ ଅର୍ଦ୍ଧ ବିକଶିତ ଅରୁଣ ଜନ୍ମ ହୋଇଥିଲେ। ତେବେ ଅର୍ଦ୍ଧ ପରିପକ୍ୱ ଅବସ୍ଥାରେ ଭାଙ୍ଗିଥିବାରୁ ଅରୁଣ ମାତାଙ୍କୁ ସାପ ଦେଇଥିଲେ। ଫଳରେ ବିନତା ସଉତୁଣୀ କଦ୍ରୁଙ୍କ ଦାସୀ ହୋଇ ରହିଥିଲେ। ସମୟ କ୍ରମେ ଅରୁଣ ସୂର୍ଯ୍ୟଙ୍କ ସାରଥୀ ହୋଇଥିଲେ। ତେବେ ଦ୍ୱିତୀୟ ଅଣ୍ଡାଟି ପରିପକ୍ୱ ହୋଇ ଏଥିରୁ ସର୍ପ ବିନାଶକାରୀ ଗରୁଡ଼ଙ୍କ ଜନ୍ମ ହୋଇଥିଲା। ସେ ବିଷ୍ଣୁଭକ୍ତ ଥିଲେ। ସମସ୍ତ ସର୍ପଙ୍କୁ ବିନାଶ କରି ମା'ଙ୍କୁ ଦାସତ୍ୱରୁ ଉଦ୍ଧାର କରିଥିଲେ। ପିତାଙ୍କୁ ପ୍ରସନ୍ନ କରି ପାଇଥିବା ବରରେ ବଳିଆର ହୋଇ ସେ ଦେବତାମାନଙ୍କୁ ପରାଜିତ କରି ଅମୃତ କଳସ ଧରି ମାତାଙ୍କ ନିକଟକୁ ଆସୁଥିବା ବେଳେ ବିଷ୍ଣୁ ପ୍ରକଟ ହୋଇ ବର ମାଗିବାକୁ କହିଥିଲେ। ଏହି ସମୟରେ ଶ୍ରୀଚରଣ ତଳେ ବାହାନ ଭାବେ ସ୍ଥାନ ଦେଇ ସେବା କରିବାର ଅହୋଭାଗ୍ୟ ପ୍ରଦାନ କରିବାକୁ ସେ ବିଷ୍ଣୁଙ୍କୁ ବର ମାଗିଥିଲେ। ବିଷ୍ଣୁ ତଥାସ୍ତୁ କହିବାରୁ ଗରୁଡ଼ ଅମର ହୋଇଗଲେ।

ତେଣୁ ଶ୍ରୀମନ୍ଦିର ଆରାଧ୍ୟ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ଗରୁଡ଼ଙ୍କ ମୂର୍ତ୍ତି ପ୍ରତିଷ୍ଠିତ ଥିବା ଦେଖିବାକୁ ମିଳେ। ଶ୍ରୀମନ୍ଦିରରେ ଗରୁଣ ସ୍ତମ୍ଭକୁ ସ୍ପର୍ଶ, ଆଲିଙ୍ଗନ ଓ ମୁଣ୍ଡିଆ ମାରି ବିଷ୍ଣୁଙ୍କ ଦର୍ଶନର ସମ୍ପୂର୍ଣ୍ଣ ଫଳପ୍ରାପ୍ତି ନିମନ୍ତେ ପ୍ରାର୍ଥନା କରନ୍ତି। ଗରୁଡ଼ ପଛରୁ ଠାକୁର ଦର୍ଶନ କଲେ ଶ୍ରୀଜୀଉଙ୍କ ଦର୍ଶନର ସମ୍ପୂର୍ଣ୍ଣ ପୂଣ୍ୟ ଫଳ ମିଳେ ବୋଲି ବିଶ୍ୱାସ ରହିଛି। ଏହି ସ୍ତମ୍ଭର ପ୍ରଧାନ ବିଶେଷତ୍ୱ ହେଉଛି ଯେ, ଅମାବାସ୍ୟା, ସଂକ୍ରାନ୍ତି, ଶନିବାର ଓ ମଙ୍ଗଳବାର ଆଦି ତିଥିରେ ଭକ୍ତମାନେ ଗରୁଡ଼ଙ୍କ ସ୍ନାନ ଜଳକୁ ପାନ କରି ବହୁ ରୋଗରୁ ମୁକ୍ତି ପାଉଥିବା ବିଶ୍ୱାସ ରହିଛି। ପ୍ରତ୍ୟହ ଶ୍ରୀବିଗ୍ରହଙ୍କୁ ସ୍ନାନ କରାଯିବା ପରେ ଗରୁଡ଼ଙ୍କୁ ବିଧିବିଧାନ ମୁତାବକ ସ୍ନାନ କରାଯାଇଥାଏ। ଗରୁଡ଼ଙ୍କୁ ସ୍ନାନ କରିବା ସମୟରେ ସେବକମାନେ ନିଶୁଣୀର ବ୍ୟବହାର କରିଥାନ୍ତି। ଗରୁଡ଼ଙ୍କ ସେବା ଯେଉଁମାନେ କରିଥାନ୍ତି ସେମାନେ ଚୂନରା ଭାବେ ପରିଚିତ। ଏହି ସେବକମାନେ କାଠ ଘଡ଼ା ସାହାଯ୍ୟରେ ଗରୁଡ଼ଙ୍କୁ ସ୍ନାନ କରିଥାନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+