ବାଲେଶ୍ଵର ପୌରାଞ୍ଚଳର ସାମଗ୍ରିକ ବିକାଶ ପାଇଁ 155 କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ପର୍ଯ୍ୟାୟ ରେ 155 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି ।
ଭୁବନେଶ୍ୱର : ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ପର୍ଯ୍ୟାୟ ରେ 155 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି ।
ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ବିକାଶ ସମ୍ପର୍କରେ ଦୁଇ ପର୍ଯ୍ଯାୟ ଉଚ୍ଚ ସ୍ତରୀୟ ବୈଠକରେ ବିସ୍ତୃତ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ(5-T) ଶ୍ରୀ ଭି.କେ ପାଣ୍ଡିଆନ ଓ ପୂର୍ତ୍ତ ସଚିବ ଶ୍ରୀ କିଷନ କୁମାର ସକାଳେ ବାଲେଶ୍ଵର ଯାଇ ବିଭିନ୍ନ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଥିଲେ । ସେଠାରୁ ଫେରି ସେମାନେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଥିଲେ । ଏହାକୁ ଭିତ୍ତି କରି ମୁଖ୍ୟମନ୍ତ୍ରୀ ନିମ୍ନୋକ୍ତ ଘୋଷଣା କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି "ବାଲେଶ୍ଵର ହେଉଛି ଓଡିଶାର ଅନ୍ଯତମ ମୁଖ୍ୟ ସହର । ଏହା ମୋର ପ୍ରିୟ ଲେଖକ ଫକୀର ମୋହନ ସେନାପତିଙ୍କ ଜନ୍ମ ସ୍ଥାନ । ନିକଟରେ ମୁଁ ବାଲେଶ୍ଵର ବାସୀଙ୍କୁ କଥା ଦେଇଥିଲି ଯେ ବାଲେଶ୍ଵର ମ୍ୟୁନିସିପାଲିଟିର ବିକାଶ ଉପରେ ଆମେ ଧ୍ୟାନ ଦେବୁ ।" ଏ ଅବସରରେ ମୁଖ୍ୟମନ୍ତ୍ରୀ ନିମ୍ନୋକ୍ତ ପ୍ରକଳ୍ପ ଗୁଡିକ ଘୋଷଣା କରିଥିଲେ ।
ଯାତ୍ରୀ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି 8 କୋଟି ଟଙ୍କା ବ୍ୟୟ ରେ ବାଲେଶ୍ଵର ସହଦେବଖୁଣ୍ଟା ବସଷ୍ଟାଣ୍ଡ ର ବିକାଶ କରାଯିବ । ଏହା ସହିତ ତୁମୂଳିଆ ଗେଟ ଫ୍ଲାଏ ଓଭର ଠାରୁ ଷ୍ଟେସନ୍ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାକୁ ଛଅ ଥାକିଆ କରାଯିବ । ଏହାବ୍ୟତୀତ ରାସ୍ତାରେ ଆଧୁନିକ ଆଲୋକୀକରଣର ବ୍ୟବସ୍ତା ମଧ୍ୟ କରାଯିବ । 70କୋଟି ଟଙ୍କା ବ୍ୟୟରେ ବାଲେଶ୍ଵର ମ୍ୟୁନିସିପାଲିଟିର ସବୁ ମୁଖ୍ୟ ରାସ୍ତାର ଉନ୍ନତିକରଣ କରାଯିବ । ଏହା ସହରରେ ଟ୍ରାଫିକ ସମସ୍ଯା ଦୂର କରିବାରେ ସହାୟକ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଏଥିସହିତ ବାଲେଶ୍ଵରର କ୍ରୀଡାବିତମାନଙ୍କ ଭିତରେ ଥିବା ପ୍ରତିଭାର ବିକାଶ ପାଇଁ ବାଲେଶ୍ଵର ମ୍ୟୁନିସିପାଲିଟିରେ 14 କୋଟି ଟଙ୍କା ବ୍ୟୟରେ Multipurpose Indoor Hall, Swimming Pool ଆଦି ଉନ୍ନତ କ୍ରୀଡା ଭିତ୍ତିଭୂମିର ବିକାଶ କରାଯିବ । ଏହାସହିତ କ୍ରୀଡାବିତ ମାନଙ୍କ ପାଇଁ ଉଚ୍ଚ ମାନର ତାଲିମ ବ୍ୟବସ୍ତା କରାଯିବ ।
ବୁଢାବଳଙ୍ଗ ନଦୀ ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ଜୀବନରେଖା । 53 କୋଟି ଟଙ୍କା ଖର୍ଚ୍ଚରେ ବୁଢାବଳଙ୍ଗ ନଦୀବନ୍ଧର ସୁରକ୍ଷା ସହିତ ସୌନ୍ଦର୍ଯ୍ୟକରଣ କରାଯିବ । ବାଲେଶ୍ଵର ସହରବାସୀଙ୍କ ପାଇଁ ଅବସର ବିନୋଦନ ନିମନ୍ତେ ବୁଢାବଳଙ୍ଗ ନଦୀକୁଳର ଆବଶ୍ୟକ ବିକାଶ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ମୁଖ୍ୟ ପୋଖରୀ ଗୁଡିକ ଯଥା ଗଡଗଡିଆ ପୋଖରୀ , ଶୋଭାରାମପୁର ପୋଖରୀ , ବଡଖୁଆ ପୋଖରୀ, ନୂଆ ପୋଖରୀ, ହରଚନ ପୋଖରୀ ଓ ହରଗଙ୍ଗା ପୋଖରୀ ଆଦିର ସୌନ୍ଦର୍ଯ୍ୟକରଣ ଓ ବିକାଶ କରାଯିବ । ଏହା ସହରର ପରିବେଶକୁ ସୁନ୍ଦର କରିବା ସହିତ ନାଗରିକ ମାନଙ୍କ ନିମନ୍ତେ Open Space ସୃଷ୍ଟି କରିବ । ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ଡ୍ରେନେଜ୍ ଚ୍ୟାନେଲ ଓ ତତସଂଯୁକ୍ତ ରାସ୍ତା ଗୁଡିକର ବିକାଶ ପାଇଁ 7 କୋଟି ଟଙ୍କା ଖର୍ଚ୍ଚ କରାଯିବ ।
ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ କହିଥିଲେ ଯେ , "ବାଲେଶ୍ଵର Medical College ର teaching hospital ନିମନ୍ତେ 275 କୋଟି ଟଙ୍କାର କାମ ଚାଲୁ ରହିଛି । ସେହିପରି ଗତ 4 - 5 ମାସ ହେବ ବାଲେଶ୍ଵର ମ୍ୟୁନିସିପାଲିଟି ପକ୍ଷରୁ 16 କୋଟି ଟଙ୍କା ବ୍ୟୟରେ ସହରରେ ସିମେଣ୍ଟ କଂକ୍ରିଟ ରୋଡ , କମ୍ୟୁନିଟି ସେଣ୍ଟର ଆଦି ବିଭିନ୍ନ ଭିତ୍ତିଭୂମି ବିକାଶ କାମ ମଧ୍ୟ ଜାରି ରହିଛି ।"
ଆମେ କଥା ନୁହେଁ ସବୁବେଳେ କାମରେ ବିଶ୍ବାସ କରୁ ବୋଲି ତାଙ୍କ ଉକ୍ତିକୁ ମୁଖ୍ୟମନ୍ତ୍ରୀ ଦୋହରାଇବା ସହ ଏ ସବୁ କାମ ଶୀଘ୍ର ଆରମ୍ଭ ହେବ ଓ ପ୍ରଥମିକତାର ସହ କାର୍ଯ୍ୟକାରୀ କରାଯିବ ବୋଲି ଘୋଷଣା କରିଛନ୍ତି । ବାଲେଶ୍ଵର ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଆମେ କାମ କରି ଚାଲିବୁ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଏ ଦିଗରେ ବାଲେଶ୍ଵର ଜିଲ୍ଲାର ଭାଇ ଭଉଣୀ ମାନଙ୍କ ସହଯୋଗ କାମନା କରିଛନ୍ତି ।












Click it and Unblock the Notifications