ସରକାରଙ୍କ ଆଶ୍ୱାସନା ପରେ ଧାରଣାରୁ ହଟିଲେ କୁସ୍ତିଯୋଦ୍ଧା, ଯାଞ୍ଚ ପର୍ଯ୍ୟନ୍ତ WFI କାର୍ଯ୍ୟରୁ ଦୂରରେ ରହିବେ ବ୍ରିଜଭୂଷଣ
ଶୁକ୍ରବାର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ରେସଲରଙ୍କ ସହ ଏକ ବୈଠକ କରିଥିଲେ । ଏହା ପରେ କୁସ୍ତିଯୋଦ୍ଧାମାନେ ସେମାନଙ୍କର ଧର୍ମଘଟ ଶେଷ କରିଛନ୍ତି ।

ନୂଆଦିଲ୍ଲୀ: ଡବ୍ଲୁଏଫ୍ଆଇ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ କୁସ୍ତିଯୋଦ୍ଧା ମାନେ ଆଣଥିବା ଯୌନ ଉତ୍ପୀଡ଼ନ ଅଭିଯୋଗର ହେବ ଯାଞ୍ଚ । ଏନେଇ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (IOA) 7 ଜଣିଆ କମିଟି ଗଠନ କରିଛି । ରେସଲିଂ ଫେଡେରେଶନର ସଭାପତିଙ୍କ ବିରୋଧରେ ଆସିଥିବା ଅଭିଯୋଗର ଯାଞ୍ଚ ପରେ ଏହି କମିଟି ଏହାର ରିପୋର୍ଟ ଦାଖଲ କରିବ । ଏହା ସହିତ ଶୁକ୍ରବାର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ରେସଲରଙ୍କ ସହ ଏକ ବୈଠକ କରିଥିଲେ । ଏହା ପରେ କୁସ୍ତିଯୋଦ୍ଧାମାନେ ସେମାନଙ୍କର ଧର୍ମଘଟ ଶେଷ କରିଛନ୍ତି ।
ବୈଠକ ପରେ କ୍ରୀଡ଼ା ମନ୍ତ୍ରୀ, ରେସଲର ବଜରଙ୍ଗ ପୁନିଆ, ବିନେଶ ଫୋଗଟ ଏବଂ ସାକ୍ଷୀ ମଲିକଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ ଗଣମାଧ୍ୟମ ସମ୍ମୁଖରେ ନିଜର ବିବୃତ୍ତି ଦେଇଛନ୍ତି । ଅନୁରାଗ ଠାକୁର କହିଛନ୍ତି ଯେ ଆମେ ଗତ 7 ଘଣ୍ଟା ଧରି କଥା ହେଉଛୁ । ଖେଳାଳିମାନେ ସେମାନଙ୍କର ଦାବି ରଖିଛନ୍ତି । କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କହିଛନ୍ତି ଯେ ରେସଲିଂ ଫେଡେରେଶନ ମୁଖ୍ୟ ବ୍ରିଜ ଭୂଷଣ ସିଂହ ତଦାରଖ କମିଟି ଦ୍ୱାରା ଯାଞ୍ଚ ଶେଷ ନହେବା ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ ନାହିଁ । ସେ ଯାଞ୍ଚରକେ ସାମିଲ ହେବେ । ଯାଞ୍ଚ ଶେଷ ହେବା ପର୍ଯ୍ୟନ୍ତ, ଏକ କମିଟି WFI ର ଦୈନନ୍ଦିନ କାର୍ଯ୍ୟକଳାପର ତଦାରଖ କରିବ ।
କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଖେଳାଳିଙ୍କ ସହ ନିରନ୍ତର ଆଲୋଚନା ହେଉଛି । ସମସ୍ତ ଖେଳାଳି ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ । ଏକ ତଦାରଖ କମିଟି ଗଠନ କରାଯିବ । ଆସନ୍ତା 4 ସପ୍ତାହ ମଧ୍ୟରେ ସେମାନେ ସେମାନଙ୍କର ଯାଞ୍ଚ ଶେଷ କରିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଏକ କମିଟି WFI ର କାର୍ଯ୍ୟର ତଦାରଖ କରିବ ।












Click it and Unblock the Notifications