କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର, କହିଲେ- ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ
କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି କୁସ୍ତିଯୋଦ୍ଧାଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ଗମ୍ଭୀର । ଭାରତ ସରକାର ତୁରନ୍ତ ପଦକ୍ଷେପ ନେଇ WFI କୁ 72 ଘଣ୍ଟା ମଧ୍ୟରେ ଜବାବ ମାଗିଛନ୍ତି ।

ନୂଆଦିଲ୍ଲୀ: ଦେଶର ଜଣାଣୁଣା କୁସ୍ତି ଯୋଦ୍ଧା ବର୍ତ୍ତମାନ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ବିରୋଧରେ ଧାରଣାରେ ବସିଛନ୍ତି । ଫେଡ଼େରେସନ୍ ର ଅଧ୍ୟକ୍ଷ 'ବ୍ରିଜ ଭୂଷଣ ଶରଣ ସିଂହ ଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଏପରିକି ସେ ଇସ୍ତଫା ନ ଦେବା କିମ୍ବା ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶ ବନ୍ଦ କରିବେନି ବୋଲି ସଫାସଫା କହିଛନ୍ତି ଧାରଣାରେ ବସିଥିବା କୁସ୍ତି ଯୋଦ୍ଧା ।
ଏହି ଘଟଣାକୁ ଦୁଇ ଦିନ ବିତିଗଲା ପରେ ବର୍ତ୍ତମାନ ଏ ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର । ସେ କହିଛନ୍ତି କୁସ୍ତିଯୋଦ୍ଧାଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ଗମ୍ଭୀର । ଭାରତ ସରକାର ତୁରନ୍ତ ପଦକ୍ଷେପ ନେଇ WFI କୁ 72 ଘଣ୍ଟା ମଧ୍ୟରେ ଜବାବ ମାଗିଛନ୍ତି । ଏହା ସହିତ ଅନୁରାଗ ଠାକୁର କହିଛନ୍ତି, ଦିଲ୍ଲୀ ପହଞ୍ଚିବା ପରେ ରେସଲର୍ ଙ୍କୁ ଭେଟିବାକୁ ଚେଷ୍ଚା କରିବି । ଆମେ ସେମାନଙ୍କ ସହ ଆଲୋଚନା କରିବୁ ଏବଂ ସେମାନଙ୍କ କଥା ଶୁଣିବୁ ।
ଶୁକ୍ରବାର ଏହି ପ୍ରସଙ୍ଗରେ ଟୋକିଓ ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ବଜରଙ୍ଗ ପୁନିଆ ଏବଂ ବିଶ୍ୱ ଚାମ୍ପିଅନସିପ୍ ପଦକ ବିଜେତା ଭିନେଶ ଫୋଗଟ୍ କହିଛନ୍ତି ଯେ 'ବ୍ରିଜ ଭୂଷଣ ଶରଣ ସିଂହ ତାଙ୍କ ପଦବୀର ଅଯଥା ଲାଭ ଉଠାଉଛନ୍ତି, ସେ ଖେଳାଳିମାନଙ୍କୁ ମାନସିକ ଏବଂ ଶାରୀରିକ ସ୍ତରରେ ହଇରାଣ କରନ୍ତି' । ବିରୋଧ କରୁଥିବା ଏକ କୁସ୍ତିଯୋଦ୍ଧା ଆଜି କ୍ରୀଡା ମନ୍ତ୍ରଣାଳୟ ସହିତ ମଧ୍ୟ କଥା ହୋଇଥିଲେ ମଧ୍ୟ ସମସ୍ତ ସଭା ପରେ ସେମାନେ ସନ୍ତୁଷ୍ଟ ମନେ ହେଉ ନାହାଁନ୍ତି ।
ବୈଠକ ପରେ ବିନେଶ ଫୋଗଟ ଗଣମାଧ୍ୟମକୁ କହିଛନ୍ତି ଯେ ରେସଲିଂ ଫେଡେରେଶନର ସଭାପତି ବ୍ରିଜ ଭୂଷଣ ତାଙ୍କ ପଦରୁ ଇସ୍ତଫା ନଦେବା ପର୍ଯ୍ୟନ୍ତ ଆମେ ଧାରଣାରୁ ଉଠିବୁ ନାହୁଁ । ଆମ ଜୀବନ ପ୍ରତି ବିପଦ ଅଛି, ଆମେ ପୋଲିସର ସୁରକ୍ଷା ମଧ୍ୟ ନେଇନାହୁଁ କିନ୍ତୁ ତଥାପି ଆମେ ସାହସ ଏବଂ ସମ୍ମାନର ସହ ଚାଲୁଛୁ କାରଣ ଆମେ ଜାଣୁ ଯେ ଆମେ ସତ କହୁଛୁ । ଆଜି ଅଧ୍ୟକ୍ଷଙ୍କ ଘରେ ତାଲା ପଡିଛି, ଏହା ପରେ ମଧ୍ୟ ସରକାର କିଏ ଠିକ୍ ଏବଂ କିଏ ଭୁଲ୍ ତାହା ବୁଝିବା ଉଚିତ୍ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ 'ଯେତେବେଳେ ଶୋଷଣ ହୁଏ, ଏହା ଏକ କୋଠରୀରେ ହୁଏ, ସେଠାରେ କ୍ୟାମେରା ଲଗାଯାଇ ନଥାଏ, ଯଦି କ୍ୟାମେରା ଲଗାଯାଇଥାନ୍ତା, ତେବେ ଏହି ଝିଅ ମାନେ ପ୍ରମାଣ ଭାବେ ଆଣି ତାହା ଦେଖାଇଥାନ୍ତେ । ଯେଉଁ ଝିଅ ମାନେ ଶୋଷଣର ଶିକାର ହୋଇଛନ୍ତି ସେମାନେ ନିଜେ ଏଠି ଅଛନ୍ତି । ଆମେ ଚାହୁଁନାହୁଁ ସେମାନଙ୍କ ନାମ ପ୍ରକାଶ କରାଯାଉ କିନ୍ତୁ ଯଦି ଆବଶ୍ୟକ ହୁଏ, ତାହା ମଧ୍ୟ କରିବୁ ଏବଂ ଏହା ଭାରତର ସବୁଠାରୁ ଖରାପ ଦିନ ହେବ । ସରକାରଙ୍କ ତରଫରୁ ଆମେ କୌଣସି ସନ୍ତୋଷଜନକ ପ୍ରତିକ୍ରିୟା ପାଇନାହୁଁ । ଆମେ ଚାହୁଁ ବ୍ରିଜ ଭୂଷଣ ସିଂହ ଇସ୍ତଫା ଦିଅନ୍ତୁ ଏବଂ ତାଙ୍କୁ ଜେଲ ପଠାଯାଉ ।












Click it and Unblock the Notifications