ଅବସର ନେବେ କି କୋହଲି ? ଆଉ ଖେଳିବେନି ହ୍ୱାଇଟ୍ ବଲ୍ ...
Virat Kohli: ଦିନିକିଆ ବିଶ୍ୱକପ 2023 ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ବହୁତ ଭଲ ଥିଲା । ବିରାଟ କୋହଲି ODI ବିଶ୍ୱକପ 2023 ରେ ଅନେକ ବଡ଼ ରେକର୍ଡ ସୃଷ୍ଟି କରିବାରେ ସଫଳ ହୋଇଥିଲେ । ବିଶ୍ୱକପ୍ର ଗୋଟିଏ ସଂସ୍କରଣରେ ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ ବିରାଟ କୋହଲି ନିଜ ନାଁ ରେ କରିଛନ୍ତି । ବିଶ୍ୱକପ 2023 ସମୟରେ ବିରାଟ କୋହଲି 765 ରନ୍ ସ୍କୋର କରିବାରେ ସଫଳତା ହାସଲ କରିଥିଲେ ।

ଏବେ ଦଳକୁ ଫେରିବେନି: ବିରାଟ କୋହଲି ମଧ୍ୟ ବିଶ୍ୱକପ୍ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଶତକ ହାସଲ କରି ସଚିନ ତେନ୍ଦୁଲକରଙ୍କ ସବୁଠୁ ବଡ ରେକର୍ଡ ଭାଙ୍ଗିଛନ୍ତି । ODI ଫର୍ମାଟରେ ସର୍ବାଧିକ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ୍ ହୋଇପାରିଛନ୍ତି ବିରାଟ କୋହଲି । ସେ ନିଜ ନାଁ ରେ 50 ଶତକ କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି -20 ଏବଂ ODI ସିରିଜରେ ବିରାଟ କୋହଲି ଫେରିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ସେ ଖେଳିବେ ନାହିଁ ବୋଲି ଜଣାପଡ଼ିଛି ।
ବିସିସିଆଇ କୁ ଏମିତି ଅନୁରୋଧ କଲେ କୋହଲି: ବିରାଟ କୋହଲି ବିସିସିଆଇକୁ ଅନୁରୋଧ କରିଛନ୍ତି ଯେ ସେ କିଛି ସମୟ ହ୍ୱାଇଟ୍ (ଧଳା) ବଲ କ୍ରିକେଟ୍ ଠାରୁ ଦୂରରେ ରହିବାକୁ ଚାହୁଁଛନ୍ତି । ଏହି କାରଣରୁ ସେ ଦକ୍ଷିଣ ଆଫ୍ରିକା ଗସ୍ତରେ ଟି -20 ଏବଂ ODI ସିରିଜରେ ଖେଳିବେ ନାହିଁ । ତେବେ ବିରାଟ କୋହଲି ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଦଳକୁ ଫେରିବେ । ଟେଷ୍ଟ ସିରିଜ ଆରମ୍ଭ ପୂର୍ବରୁ ସେ ଦଳରେ ଯୋଗଦେବେ ବୋଲି ସେ କହିଛନ୍ତି ।
ବିରାଟ କୋହଲିଙ୍କ ପରି ରୋହିତ ଶର୍ମାଙ୍କ ସାମିଲ ହେବାକୁ ନେଇ ଏବେ ବି ସନ୍ଦେହ ରହିଛି । ପରିବାର ସହ ଛୁଟି ବିତାଇବାକୁ ରୋହିତ ଶର୍ମା ବ୍ରିଟେନରେ ଅଛନ୍ତି । ସେହିପରି ବିରାଟ କୋହଲି ତାଙ୍କ ପରିବାର ସହିତ ଲଣ୍ଡନରେ ଅଛନ୍ତି । ରୋହିତ ଶର୍ମା ବ୍ରିଟେନରେ ରହିଥିବାବେଳେ ସେ ମଧ୍ୟ ଖେଳିନପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଦଳରେ କାହା ଉପରେ ଗୁରୁ ଦାୟିତ୍ୱ ରହିବ ତାଉପରେ ରହିଛି ନଜର ।
ସେପଟେ କୋହଲି ହ୍ୱାଇଟ୍ ବଲ ନ ଖେଳିବାକୁ କହିଥିବାବେଳେ ସେ ଅବସର ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ମାତ୍ର ଏହାକୁ ନେଇ କୋହଲି କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ।












Click it and Unblock the Notifications