IPL 2024: ବିଜୟ ଅଭିଯାନ ଆରମ୍ଭ କଲା ଚେନ୍ନାଇ, 6 ୱିକେଟ୍ ରେ ହାରିଲା ବାଙ୍ଗାଲୋର
IPL 2024: ଆଇପିଏଲ୍ 17ତମ ସଂସ୍କରଣର ଉଦଘାଟନୀ ମ୍ୟାଚରେ ବିଜୟ ଅଭିଯାନ ଆରମ୍ଭ କରିଛି ଚେନ୍ନାଇ । ଏମ୍.ଏ. ଚିଦାମ୍ବରମ୍ ଷ୍ଟାଡିୟମରେ ଚେନ୍ନାଇ ଓ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିବା ଉଦ୍ଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି)କୁ 6 ୱିକେଟରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗ୍ସ । 8ଟି ବଲ ବାକି ଥାଇ ନିର୍ଦ୍ଧାରିତ ଟାର୍ଗେଟକୁ ହାସଲ କରିଛି ଦଳ ।

ପ୍ରଥମେ ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ 6 ଓ୍ବିକେଟ ହରାଇ 173 ରନ୍ ସଂଗ୍ରହ କରିଥିଲା । ଏହା ପରେ 174 ରନର ଟାର୍ଗେଟ୍ କୁ ହାସଲ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା ଚେନ୍ନାଇ । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ଭ୍ରମଣକାରୀ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ସୁପରକିଙ୍ଗସ ଦଳର ଶୃଙ୍ଖଳିତ ବୋଲିଂକୁ ସାମ୍ନା କରିବା କାଠିକର ପାଠ ହୋଇଥିଲା ।
ଚେନ୍ନାଇ 18.4 ଓଭରରେ 4 ୱିକେଟ ହରାଇ 176 ରନ ସଂଗ୍ରହ କରି ନେଇଥିଲା । ଦଳ ପକ୍ଷରୁ କୌଣସି ଖେଳାଳି ଅର୍ଦ୍ଧଶତକ ହାସଲ କରି ନ ଥିଲେ ମଧ୍ୟ ରଚିନ ରବୀନ୍ଦ୍ର 37, ଶିବମ ଦୁବେ 34*, ଅଜିଙ୍କ୍ୟ ରାହାନେ 27, ରବୀନ୍ଦ୍ର ଜାଡେଜା 25* ଓ ଡାରିଲ ମିଚେଲଙ୍କ 22 ରନର ଅବଦାନ ବଳରେ 8ଟି ବଲ୍ ବାକିଥାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା ।
ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଆର୍ସିବି ଅଧିନାୟକ ଫାଫ୍ ଡୁପ୍ଲେସି । ଦଳର ଆରମ୍ଭ ଭଲ ହୋଇଥିଲେ ହେଁ ଓପନିଂ ଯୋଡ଼ି ଭାଙ୍ଗିବା ପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଓପନିଂ ଯୋଡ଼ିରେ ବିରାଟ କୋହଲିଙ୍କ ସହ 41 ରନ ଯୋଗ କରିବା ପରେ ଡୁପ୍ଲେସି ବ୍ୟକ୍ତିଗତ 35 ରନକରି ଆଉଟ ହୋଇଥିଲେ । ଏହାପରେ ରଜତ ପଟିଦାର ଓ ଗ୍ଲେନ ମ୍ୟାକ୍ସଓ୍ବେଲ 0 ରେ ଆଉଟ୍ ହେବାରୁ ଆରସିବି ସ୍କୋର 42/3 ହୋଇଯାଇଥିଲା । କୋହଲି 20 ବଲରୁ 212 ଓ କାମେରନ ଗ୍ରୀନ୍ 18 ରନ କରି ପ୍ୟାଭିଲିୟନ ଫେରିବାରୁ 11.4 ଓଭର ବେଳକୁ ଦଳୀୟ ସ୍କୋର 78/5 ହୋଇଥିଲା । ତେବେ ଦୀନେଶ କାର୍ତ୍ତିକ ଓ ଅନୁଜ ରାଓ୍ବତ 50 ବଲ୍ରୁ 95 ରନ ଯୋଗ କରିବାରୁ ଆରସିବି ସ୍କୋର 173 ରେ ପହଞ୍ଚି ପାରିଥିଲା ।ଇନିଂସର ଶେଷ ବଲ୍ରେ ରନ୍ ଆଉଟ ହୋଇଥିବା ରାଓ୍ବତ 25 ବଲ୍ରୁ ସର୍ବାଧିକ 48 ରନ ସ୍କୋର କରିଥିଲେ । ସେହିପରି କାର୍ତ୍ତିକ 38 ରନରେ ଅପରାଜିତ ରହିଥିଲେ । ଚେନ୍ନାଇ ପକ୍ଷରୁ ମୁସ୍ତାଫିଜୁର ରହମନ 4ଟି ଓ ଦୀପକ ଚହର ଗୋଟିଏ ଉଇକେଟ ନେଇଥିଲେ ।
ଚେନ୍ନାଇ ସୁପରକିଙ୍ଗସ 18.4 ଓଭରରେ 4 ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ଘାତକ ବୋଲିଂ ପ୍ରଦର୍ଶନ ପାଇଁ ମୁସ୍ତାଫିଜୁର ରେହମାନଙ୍କୁ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।












Click it and Unblock the Notifications