ଘୋଷଣା ହେଲା ଆଇପିଏଲ ଭେନ୍ୟୁ ତାଲିକା, ଓଡିଶାରେ ନାହିଁ ଗୋଟିଏ ବି ମ୍ୟାଚ୍...
ଶୁକ୍ରବାର ଆଇପିଏଲ ଖେଳସୂଚୀ ଓ ଆଇପିଏଲ ଭେନ୍ୟୁ ତାଲିକା ଘୋଷଣା କରିଛି ବିସିସିଆଇ । ଦେଶର 12ଟି ସ୍ଥାନରେ ଖେଳାଯିବ ଆଇପିଏଲ ଚଳିତ ସିଜିନର ସମସ୍ତ ମ୍ୟାଚ୍ । ମାତ୍ର ଓଡିଶାରେ ଖେଳାଯିବା ନାହିଁ ଗୋଟିଏ ବି ମ୍ୟାଚ୍ ।

IPL 2023 Venue List: ଧର୍ମଶାଳାକୁ ମିଳିଲା, ବର୍ଷାପାରକୁ ବି ମିଳିଲା । ହେଲେ ବାରବାଟୀ ବେଳକୁ ଫସର ଫାଟିଗଲା । ଆଗାମୀ ମାର୍ଚ୍ଚ 31 ତାରିଖରୁ ଆରମ୍ଭ ହେବ ବିଶ୍ୱର ବିତ୍ତଶାଳୀ ଲିଗ୍ ଆଇପିଏଲ 2023 । ଶୁକ୍ରବାର ଏନେଇ ଆଇପିଏଲ ଖେଳସୂଚୀ ଓ ଆଇପିଏଲ ଭେନ୍ୟୁ ତାଲିକା ଘୋଷଣା କରିଛି ବିସିସିଆଇ । ଦେଶର 12ଟି ସ୍ଥାନରେ ଖେଳାଯିବ ଆଇପିଏଲ ଚଳିତ ସିଜିନର ସମସ୍ତ ମ୍ୟାଚ୍ । ମାତ୍ର ଓଡିଶାରେ ଖେଳାଯିବା ନାହିଁ ଗୋଟିଏ ବି ମ୍ୟାଚ୍ ।
ଆଇପିଏଲ 2023ରେ ମୋଟ୍ 10ଟି ଦଳ ଭାଗ ନେବେ । ଯଦିଓ ଚଳିତଥର ଆଇପିଏଲରେ ପୁରୁଣ ଫର୍ମାଟ (ରାଉଣ୍ଡ-ରିବନ୍ ଫର୍ମାଟରେ) ସମସ୍ତ ମ୍ୟାଚ ଖେଳାଯିବ । ଗୋଟିଏ ଦଳ ଲିଗ୍ ରାଉଣ୍ଡରେ ତାର ଘରୋଇ ଗ୍ରାଉଣ୍ଡରେ ସାତୋଟି ମ୍ୟାଚ୍ ଏବଂ ବିରୋଧୀ ଦଳର ଗ୍ରାଉଣ୍ଡରେ ସାତୋଟି ମ୍ୟାଚ୍ ଖେଳିବ । ତଥାପି ଧର୍ମଶାଳା ଓ ଗୋହାଟ୍ଟୀ ପରି ଦୁଇଟି ଅଧିକ ଗ୍ରାଉଣ୍ଡ ଆଇପିଏଲ 2023 ଭେନ୍ୟୁ ତାଲିକାରେ ସାମିଲ ରହିଛି ।

ବାରବାଟୀରେ କ'ଣ ଆଇପିଏଲ ବ୍ୟାନ୍ ?
ଏଠାରେ କହିରଖୁ କି, ଧର୍ମଶାଳା ସହରରେ ଥିବା ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମର ଦର୍ଶକ ବସିବା କ୍ଷମତା 23 ହଜାର ଥିବାବେଳେ ଗୋହାଟ୍ଟୀରେ ଥିବା ବର୍ଷାପାର କ୍ରିକେଟ ଗ୍ରାଉଣ୍ଡର ସିଟିଂ କ୍ଷମତା 40 ହଜାର ରହିଛି । ମାତ୍ର ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ଦୁଇ ଗ୍ରାଉଣ୍ଡଠାରୁ ବାରବାଟୀ ଷ୍ଟାଡିୟମର ସିଟିଂ କ୍ଷମତା ଢେର ଅଧିକ ରହିଛି । ବାରବାଟୀରେ ଦର୍ଶକ ବସିବା କ୍ଷମତା 45 ହଜାର ରହିଛି । ତଥାପି ବାରବାଟୀକୁ ମିଳିପାରୁ ନାହିଁ ଗୋଟିଏ ବି ଆଇପିଏଲ ମ୍ୟାଚ ।
ଓଡିଶାରେ ଥିବା ଏକମାତ୍ର କ୍ରିକେଟ୍ ଷ୍ଟାଡିୟମ ବାରବାଟୀ ଅତୀତରେ ଅନେକ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚର ମୁକସାଖି ରହି ସାରିଛି । ବିଗତ ଦିନରେ ମଧ୍ୟ ଏଠାରେ ଆଇପିଏଲ ମ୍ୟାଚ ଆୟୋଜିତ ହୋଇଛି । ବାରବାଟୀ ଷ୍ଟାଡିୟମରେ ମୋଟ୍ 7ଟି ଆଇପିଏଲ୍ ମ୍ୟାଚ୍ ଆୟୋଜନ ହୋଇଛି । ତେବେ 2014 ମସିହାରେ ଶେଷଥର ପାଇଁ ବାରବାଟୀ ଷ୍ଟାଡିୟମରେ ଆଇପିଏଲ ମ୍ୟାଚ ଖେଳାଯାଇଥିଲା । ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ପୂର୍ବତନ ଫ୍ରାଞ୍ଚାଇଜ୍ ଡେକାନ୍ ଚାର୍ଜର୍ସ ମଧ୍ୟ ବାରବାଟୀକୁ ନିଜର ହୋମ୍ ଗ୍ରାଉଣ୍ଡ କରିଥିଲା । ମାତ୍ର ଏହା ମଧ୍ୟରେ ଦୀର୍ଘ 9 ବର୍ଷ ବିତି ଯାଇଥିଲେ ମଧ୍ୟ ବାବାରୀଟକୁ ଗୋଟିଏ ହେଲେ ବି ଆଇପିଏଲ ମ୍ୟାଚ ମିଳିପାରି ନାହିଁ ।
କହିରଖୁ କି, ଆଇପିଏଲ୍ 2019 ପରେ ପ୍ରଥମ ଥର ପାଇଁ ସମସ୍ତ ଦଳ ଘରୋଇ ଗ୍ରାଉଣ୍ଡରେ ମ୍ୟାଚ୍ ଖେଳିବେ । କରୋନା ଭାଇରସ୍ ମହାମାରୀ ହେତୁ 2020 ରେ ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଏଥି ସହିତ 2021 ମସିହାରେ ଭାରତର କିଛି ଗ୍ରାଉଣ୍ଡରେ ମ୍ୟାଚ୍ ଖେଳା ଯାଇଥିଲା । କିନ୍ତୁ କରୋନା ମହାମାରୀ ହେତୁ ଏହାକୁ ମଧ୍ୟଭାଗରେ ବନ୍ଦ କରି ୟୁଏଇ ସ୍ଥାନାନ୍ତରିତ କରାଯାଇଥିଲା । 2022 ମସିହାରେ ଏହି ଟୁର୍ଣ୍ଣାମେଣ୍ଟ ସମ୍ପୁର୍ଣ୍ଣ ଭାରତରେ ଖେଳା ଯାଇଥିଲା । କିନ୍ତୁ ମୁମ୍ବାଇ ପୁଣେରେ ଲିଗ୍ ମ୍ୟାଚ୍ ଏବଂ ଅହମ୍ମଦାବାଦ ଓ କୋଲାକତାରେ ପ୍ଲେ ଅଫ୍ ମ୍ୟାଚ୍ ଗୁଡିକ ଖେଳା ଯାଇଥିଲା ।

ଆଇପିଏଲ 2023 ଖେଳସୂଚୀ
ଆଇପିଏଲ 2023ରେ ପ୍ରଥମ ମ୍ୟାଚ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧିନ ଦଳ ଗୁଜୁରାଟ ଟାଇଟାନ୍ସ ଏବଂ ଏମଏସ ଧୋନିଙ୍କ ଅଧିନାୟକରେ ଥିବା ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ। ଏହାର ଅର୍ଥ ହେଉଛି ଯୁବ ତାରକା ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ମ୍ୟାଚରେ ଅଭିଜ୍ଞ ମହେନ୍ଦ୍ର ସିଂ ଧୋନିଙ୍କ ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ ।
ଫାଇନାଲ ମ୍ୟାଚ୍ 28 ମେ ଖେଳାଯିବ । 52 ଦିନ ଧରି ଚାଲିବାକୁ ଥିବା ବିଶ୍ୱର ଏହି ବିତ୍ତଶାଳୀ ଲିଗରେ 10ଟି ଦଳ ମଧ୍ୟରେ ମୋଟ୍ 70 ଟି ଲିଗ୍ ମ୍ୟାଚ୍ ଖେଳାଯିବ । ଏହା ପରେ ଚାରୋଟି ପ୍ଲେ ଅଫ୍ ମ୍ୟାଚ୍ ଖେଳାଯିବ । ଏହିପରି ଭାବେ ଟୁର୍ଣ୍ଣାମେଣ୍ଟରେ ମୋଟ 74 ଟି ମ୍ୟାଚ୍ ଖେଳାଯିବ । ସେଥି ମଧ୍ୟରୁ 18ଟି ଡବଲ୍ ହେଡର୍ (ଗୋଟିଏ ଦିନରେ ଦୁଇଟି ମ୍ୟାଚ୍) ରହିବ ।












Click it and Unblock the Notifications