IND Vs SA: କେବେ ହେବ ପରବର୍ତ୍ତୀ ମ୍ୟାଚ୍ ? ନୂଆ ବର୍ଷରେ ନୂଆ ଆରମ୍ଭ କରିବେ ରୋହିତ !
IND Vs SA: ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଡ୍ର'ରେ ସିରିଜ୍ ଶେଷ କରିବାକୁ ଭାରତୀୟ ଦଳକୁ ଯେକୌଣସି ମତେ ଦ୍ୱିତୀୟ ମ୍ୟାଚ୍ ଜିତିବାକୁ ପଡିବ । ପ୍ରଥମ ମ୍ୟାଚ୍ରେ ପରାଜୟ ପରେ ଅଧିନାୟକ ରୋହିତ ଶର୍ମା ଦ୍ୱିତୀୟ ଟେଷ୍ଟରେ ଭଲ ପ୍ରଦର୍ଶନ କରିବା ନେଇ ଆଶା ରଖିଛନ୍ତି । ଏଭଳି ପରିସ୍ଥିତିରେ ପ୍ରଥମ ଟେଷ୍ଟ ତୁଳନାରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଏବଂ ବୋଲରଙ୍କୁ ଦ୍ୱିତୀୟ ଟେଷ୍ଟରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ।

କେବେ ଓ କେଉଁଠି ହେବ ମ୍ୟାଚ୍:
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଜାନୁୟାରୀ 3 ରୁ ଆରମ୍ଭ ହେବ । ଏହି ଦୁଇ ଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ନ୍ୟୁଲାଣ୍ଡସ୍, କେପ୍ ଟାଉନ୍ ଠାରେ ଖେଳାଯିବ । ଭାରତୀୟ ଦଳ ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ଜିତିବାରେ ବିଫଳ ରହିଛି । ଏଥର ସିରିଜ ଜିତିବାରେ ଭାରତୀୟ ଦଳ ସଫଳ ହେବ ବୋଲି ଆଶା କରାଯାଉଥିଲା କିନ୍ତୁ ପ୍ରଥମ ମ୍ୟାଚ୍ ହାରିବା ପରେ ଭାରତୀୟ ଦଳର ସ୍ୱପ୍ନ ମଧ୍ୟ ଭାଙ୍ଗି ଯାଇଛି ।
ନୂଆ ବର୍ଷରେ ନୂଆ ଆରମ୍ଭ:
ପ୍ରଥମ ମ୍ୟାଚ୍ ହାରିବା ପରେ ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ୍ ଜିତି ଡ୍ର'ରେ ସିରିଜ୍ ଶେଷ କରିବା ଲକ୍ଷ୍ୟରେ ରହିଛି । ଭାରତୀୟ ଦଳ ବିଜୟ ସହ ନୂଆ ବର୍ଷ ଆରମ୍ଭ କରିବାକୁ ଚାହୁଁଛି । ପ୍ରଥମ ଟେଷ୍ଟ ମ୍ୟାଚ୍ ହାରିବା ସହିତ ଭାରତୀୟ ଦଳକୁ ସ୍ଲୋ ଓଭର ପାଇଁ ଦାୟୀ କରାଯାଇଥିଲା । ଯେଉଁଥିପାଇଁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ର ପଏଣ୍ଟ ଟେବୁଲରୁ ଆଉ ଦୁଇଟି ପଏଣ୍ଟ କଟାଯାଇଛି । ଏଭଳି ପରିସ୍ଥିତିରେ ଭାରତୀୟ ଦଳ ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ପହଞ୍ଚିବା ଯାତ୍ରା ଅଧିକ କଷ୍ଟସାଧ୍ୟ ହୋଇପଡିଛି ।
ରୋହିତଙ୍କୁ କରିବାକୁ ହେବ ରନ୍ ସ୍କୋର:
ଭାରତୀୟ ଅଧିନାୟକ ରୋହିତ ଶର୍ମା ସେଞ୍ଚୁରିଅନରେ ସେମିତି କିଛି ଖାସ୍ ପ୍ରଦର୍ଶନ କରିପାରି ନଥିଲେ । ଉଭୟ ଇନିଂସରେ ହିଟମ୍ୟାନଙ୍କ ବ୍ୟାଟ୍ ଚାଲିନଥିଲା । ଏଭଳି ପରିସ୍ଥିତିରେ କେପଟାଉନରେ ଅନୁଷ୍ଠିତ ମ୍ୟାଚ୍ରେ ରୋହିତ ଶର୍ମାଙ୍କ ବ୍ୟାଟରୁ ବଡ଼ ଇନିଂସ ଆଶା କରାଯାଏ । ଏଥି ସହିତ ଓପନିଂ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୈସୱାଲଙ୍କୁ ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ପଡିବ । ତିନି ନମ୍ବରରେ ବ୍ୟାଟିଂ କରୁଥିବା ଶୁଭମନ ଗିଲ ମଧ୍ୟ ଏପର୍ଯ୍ୟନ୍ତ କିଛି ବିଶେଷ କରିପାରିନାହାଁନ୍ତି ।
କୋହଲି-ରାହୁଲଙ୍କ ଉପରେ ନଜର:
ସେଞ୍ଚୁରିଅନ୍ ଟେଷ୍ଟର ଦ୍ୱିତୀୟ ଇନିଂସରେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଦଳ ପାଇଁ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ । ଦ୍ୱିତୀୟ ମ୍ୟାଚ୍ରେ ବିରାଟ କୋହଲି ମଧ୍ୟ ନିଜର ଫର୍ମ ବଜାୟ ରଖିବାକୁ ଚାହୁଁଛନ୍ତି । ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ମଧ୍ୟ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଅର୍ଦ୍ଧଶତକ ଖେଳିଥିଲେ । ବିରାଟ କୋହଲି ଏବଂ କେ.ଏଲ୍ ରାହୁଲ ଦଳ ପାଇଁ ବ୍ୟାଟ୍ ସହିତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ।












Click it and Unblock the Notifications