Ind Vs Eng Test Match: ଇଂଳଣ୍ଡକୁ ଧୋଇଲା ଭାରତ, 434 ରନରେ ହାରିଲା ଇଂଲଣ୍ଡ
Ind Vs Eng Test Match: ଭାରତୀୟ ବୋଲରଙ୍କ ଆଗରେ ମୁଣ୍ଡ ନୁଆଁଇଲା ଇଂଲଣ୍ଡ । ଦୁଇ ଦଳ ମଧ୍ୟରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଭ୍ରମଣକାରୀ ଦଳ ଇଂଲଣ୍ଡକୁ ଧରାଶାୟୀ କରିଛି ଭାରତ । 434 ରନରେ ବିଜୟୀ ହୋଇଛି ଭାରତ ।

ଜୟସ୍ଵାଲଙ୍କ ଦ୍ଵିଶତ ଓ ରବୀନ୍ଦ୍ର ଜାଡ଼େଜାଙ୍କ ଘାତକ ବୋଲିଂ ଆଗରେ ତିଷ୍ଠି ପାରିନି ଇଂଲଣ୍ଡ । ଏହା ସହ ରାଜକୋଟ୍ରେ ଭାରତ ଐତିହାସିକ ବିଜୟ ହାସଲ କରିଛି । ଇଂଲଣ୍ଡକୁ 434 ରନରେ ହରାଇ ନିଜ ଟେଷ୍ଟ ଇତିହାସରେ ସବୁଠୁ ବିଶାଳ ବିଜୟ ଲକ୍ଷ୍ୟ ହାସଲ କରିଛି ଭାରତ । ଏହା ପୂର୍ବରୁ ରନ ଦୃଷ୍ଟିରୁ ଭାରତ 2021 ଡିସେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ 372 ରନରେ ଜିତିଥିଲା ।
ଭାରତୀୟ ଦଳର ଧାର୍ଯ୍ୟ 556 ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ତୃତୀୟ ଟେଷ୍ଟର ଚତୁର୍ଥ ଦିନରେ ହାର୍ ମାନିଛି । ଇଂଲଣ୍ଡ ଦଳର ଅତ୍ୟନ୍ତ ଦୟନୀୟ ବ୍ୟାଟିଂ ଓ ଭାରତୀୟ ବୋଲରଙ୍କ ଧୁଆଁଧାର ବୋଲିଂ ରେ ଇଂଲଣ୍ଡ ଦଳ ମାତ୍ର 122 ରନରେ ଅଲଆଉଟ୍ ହୋଇଛି । ଫଳରେ ଗୋଟିଏ ଦିନ ବାକି ଥାଇ ତୃତୀୟ ଟେଷ୍ଟ ସମାପ୍ତ ହୋଇଛି ।
ଚତୁର୍ଥ ଦିନରେ ଇଂଲଣ୍ଡ ମାତ୍ର 40 ଓଭର ଖେଳି ଅଲଆଉଟ୍ ହୋଇଛି । ଏଥି ସହ ଭାରତ 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ 2-1 ରେ ଅଗ୍ରଣୀ ରହିଛି । ଇଂଲଣ୍ଡ ଦଳ ପକ୍ଷରୁ ମାର୍କ ଉଡ ସର୍ବାଧିକ 33 ରନ କରିଛନ୍ତି । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡ଼େଜା 5 ଓ୍ଵିକେଟ୍ ନେଇ ଇଂଲଣ୍ଡକୁ ଧରାଶାୟୀ କରିଛନ୍ତି । ଦ୍ଵିତୀୟ ଇନିଂସରେ ଭାରତ 430 /4ରେ ପାଳି ସମାପ୍ତି ଘୋଷଣା କରିଥିଲା । ଦ୍ଵିତୀୟ ଇନିଂସରେ ଭାରତ ପକ୍ଷରୁ ଯଶସ୍ଵୀ ଜୟସ୍ଵାଲ 214 ରନ ଓ ସରଫରାଜ ଖାନ 68 ରନର ଅପରାଜିତ ଇନିଂସ ଖେଳିଥିଲେ । ଶୁଭମନ ଗିଲ୍ 91 ରନ କରିଛନ୍ତି ।












Click it and Unblock the Notifications