ହକି ବିଶ୍ୱକପ: ଉଦଘାଟନୀ ମ୍ୟାଚ ଜିତିଲା ଭାରତ, 2-0ରେ ସ୍ପେନକୁ ଦେଲା ମାତ୍
ବିର୍ସା ମୁଣ୍ଡା ଷ୍ଟାଡିୟମଠାରେ ଚଳିତ ହକି ବିଶ୍ୱକପ 2023ର ଉଦଘାଟନୀ ଦିବସର ଶେଷର ମ୍ୟାଚରେ ବିପକ୍ଷ ସ୍ପେନକୁ 2-0 ଗୋଲରେ ମାତ୍ ଦେଇ ଟୁର୍ଣ୍ଣମେଣ୍ଟର ପ୍ରଥମ ବିଜୟ ହାସଲ କରିଛି ଭାରତ ।
ରାଉରକେଲା: ସ୍ଥାନୀୟ ବିର୍ସା ମୁଣ୍ଡା ଷ୍ଟାଡିୟମଠାରେ ଚଳିତ ହକି ବିଶ୍ୱକପ 2023 ର ଉଦଘାଟନୀ ଦିବସର ଶେଷ ମ୍ୟାଚରେ ବିପକ୍ଷ ସ୍ପେନକୁ 2-0 ଗୋଲରେ ମାତ୍ ଦେଇ ଟୁର୍ଣ୍ଣମେଣ୍ଟର ପ୍ରଥମ ବିଜୟ ହାସଲ କରିଛି ଭାରତ । ପ୍ରଥମ କ୍ବାର୍ଟରେ ଓଡିଆ ପୁଅ ତଥା ଦଳର ଉପ-ଅଧିନାୟକ ଅମିତ ରୋହିଦାସଙ୍କ ପେନାଲ୍ଟିକର୍ଣ୍ଣର ଓ ଦ୍ବିତୀୟ କ୍ୱାର୍ଟରରେ ହାର୍ଦ୍ଦିକ ସିଂ ଗୋଲ ବଳରେ ଭାରତ ଏହି ବିଜୟ ହାସଲ କରିଛି ।

ଅନ୍ତିମ କ୍ୱାର୍ଟରରେ ଅଭିଷେକଙ୍କ ପାଇଁ 10 ମିନିଟର ହଳଦିଆ କାର୍ଡ ସତ୍ତ୍ୱେ ଭାରତୀୟ ଖେଳାଳିମାନେ ସ୍ପେନ ଖେଳାଳିମାନଙ୍କୁ ଏକ ଦଳ ଭାବେ ଏକଜୁଟ ହୋଇ ଡିଫେଣ୍ଡ କରିଥିଲେ । ମ୍ୟାଚର ଦ୍ୱିତୀୟାର୍ଦ୍ଧରେ ଭାରତୀୟ ଦଳ ଗୋଲ ହୀନ ରହିଥିଲା । କାରଣ ଅଧିନାୟକ ହରମାନପ୍ରୀତ ସିଂ ତଥା ଅନ୍ୟମାନେ ପାଇଥିବା ପେନାଲ୍ଟିକର୍ଣ୍ଣ ଗୁଡିକୁ କେହି ବି ଗୋଲରେ ପରିଣତ କରିପାରି ନଥିଲେ । ତେବେ ପ୍ରଥମ କ୍ବାର୍ଟରେ ଓଡିଆ ପୁଅ ତଥା ଦଳର ଉପ-ଅଧିନାୟକ ଅମିତ ରୋହିଦାସଙ୍କ ପେନାଲ୍ଟିକର୍ଣ୍ଣର ଓ ଦ୍ବିତୀୟ କ୍ୱାର୍ଟରରେ ହାର୍ଦ୍ଦିକ ସିଂ ଗୋଲ ବଳରେ ଭାରତ ଏହି ବିଜୟ ହାସଲ କରିଛି । ତେବେ ଭାରତୀୟ ଖେଳାଳିମାନଙ୍କୁ 6 ଟି ପେନାଲ୍ଟି କର୍ଣ୍ଣର ମିଳିଥିବା ବେଳେ କେବଳ ଗୋଟିଏକୁ ଦଳ ଗୋଲରେ ପରିଣତ କରି ପାରିଥିଲା । ଅନ୍ୟପକ୍ଷରେ ସ୍ପେନକୁ ମିଳିଥିବା ଦୁଇଟି ଯାକ ପେନାଲ୍ଟିକର୍ଣ୍ଣରକୁ ଦଳ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲା ।
ମ୍ୟାଚର ପ୍ରଥମ କ୍ୱାର୍ଟର ଶେଷରେ ଭାରତ ସ୍ପେନ ବିପକ୍ଷରେ 1-0 ଗୋଲରେ ଅଗ୍ରଣୀ ହାସଲ କରିଥିଲା । ଓଡିଆ ପୁଅ ଅମିତ ରୋହିଦାସଙ୍କ ପେନାଲ୍ଟିକର୍ଣ୍ଣର ଗୋଲରେ ରୂପାନ୍ତର ଆୟୋଜକ ଦଳକୁ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ପ୍ରଦାନ କରିଥିଲେ । ଏହା ଭାରତୀୟ ହକି ଦଳର 200 ତମ ଗୋଲ । ମାତ୍ର ହରମାନପ୍ରୀତ ଆଣ୍ଡ କୋ ଅନ୍ୟ ଦୁଇଟି ପେନାଲ୍ଟିକର୍ଣ୍ଣରକୁ ଗୋଲରେ ରୂପାନ୍ତର କରିବାରେ ବିଫଳ ହୋଇଥିଲେ । ପ୍ରଥମ କ୍ୱାର୍ଟରର 10 ମିନିଟ ଖେଳରେ ଉଭୟ ଦଳ ପରସ୍ପରର ପ୍ରତିରକ୍ଷା ଶକ୍ତିକୁ ପରୀକ୍ଷା କରିଥିଲେ ।
ପରେ ଦ୍ବିତୀୟ କ୍ୱାର୍ଟରରେ ମ୍ୟାଚର 24 ମିନିଟରେ ପ୍ରଥମ ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲା ସ୍ପେନ । ମାତ୍ର ଭାରତୀୟ ଗୋଲ ପୋଷ୍ଟରେ ଯାହାକୁ ଗୋଲ ହେବାରୁ ରକ୍ଷା କରିଥିଲେ କୃଷ୍ଣା ପଠକ । ପରେ ପରେ ହାର୍ଦ୍ଦିକ ସିଂ ଭାରତ ପାଇଁ ଦ୍ୱିତୀୟ ଗୋଲ୍ ସ୍କୋର କରିଥିଲେ । ଫଳରେ ଦ୍ବିତୀୟ କ୍ୱାର୍ଟର ସେଷ ସୁଦ୍ଧା ଭାରତ 2-0ରେ ଅଗ୍ରଣୀ ରହିଥିଲା । ଆଉ ସ୍ପେନ ଖାତାରେ କୌଣସି ଗୋଲ ନଥିଲା । ତେବେ ମ୍ୟାଚର 37 ତମ ମିନିଟରେ ଟିମ ଇଣ୍ଡିଆକୁ ଆଉ ଏକ ପେନାଲ୍ଟିକର୍ଣ୍ଣର ମିଳିଥିଲା । କିନ୍ତୁ ଭାରତୀୟ ଡ୍ରାଗ୍-ଫ୍ଲିକର ଏହାକୁ ଗୋଲରେ ପରିଣତ କରିପାରି ନଥିଲେ । ସେହିପରି ହରମାନପ୍ରୀତ ଅନ୍ୟ ଏକ ପେନାଲ୍ଟିକର୍ଣ୍ଣର ମ୍ୟାଚର 43 ମିନିଟରେ ମିସ୍ କରିଥିଲେ ।
ତେବେ ହକି ବିଶ୍ୱକପ 2023ର ଉଦଘାଟନୀ ଦିବସର ଶେଷର ମ୍ୟାଚର ଶେଷ କ୍ୱାର୍ଟର ଆରମ୍ଭ ହୋଇଥିଲା । ସ୍ପେନ ବିପକ୍ଷରେ ଭାରତ 2-0ରେ ଆଗୁଆ ରହିଥିଲା । ମ୍ୟାଚର 47 ମିନିଟରେ ଅଭିଷେକ ସ୍ପେନର ଖେଳାଳିଙ୍କ ସହ ଧକ୍କ ହେବା ଫଳରେ ହଳଦିଆ କାର୍ଡ ପାଇଥିଲେ । ସେ 10 ମିନିଟ୍ ବେଞ୍ଚରେ ବସିଲେ । ଏବେ ପଡିଆରେ 10 ଖେଳାଳିଙ୍କ ସହ ଭାରତ ଏହି କ୍ୱାର୍ଟର ସମାପ୍ତି କରିବାର ଥିଲା ।
ତେବେ ମ୍ୟାଚର 53 ମିନିଟରେ ସର୍କଲରେ ଭାରତର ଏକ ଭୁଲ ପାଇଁ ସ୍ପେନକୁ ଏକ ପେନାଲ୍ଟିକର୍ଣ୍ଣର ମିଳିଲା । ଭାରତୀୟମାନେ ଟିଭି ରେଫରାଲ୍ ବ୍ୟବହାର କରିଥିଲେ ମଧ୍ୟ ଏହା ବୃଥା ଗଲା । କିନ୍ତୁ ପଠକ ଏହାକୁ ପୁନର୍ବାର ଗୋଲ ହେବାରୁ ରକ୍ଷା କରି ନେଇଥିଲେ ।












Click it and Unblock the Notifications