ବିଶ୍ୱକପରେ ପ୍ରଥମ ବିଜୟ ସ୍ୱାଦ ଚାଖିଲା ଶ୍ରୀଲଙ୍କା
Cricket World Cup 2023: ଚଳିତ କ୍ରିକେଟ୍ ବିଶ୍ୱକପ୍ ରେ ପ୍ରଥମ ବିଜୟର ସ୍ୱାଦ ଚାଖିଲା ଶ୍ରୀଲଙ୍କା । ଲଗାତାର ତିନିଟି ପରାଜୟ ପରେ ଆଜି ପ୍ରଥମ ଥର ପାଇଁ ଚଳିତ କ୍ରିକେଟ୍ ବିଶ୍ୱକପ୍ ରେ ବିଜୟୀ ହୋଇଛି ଶ୍ରୀଲଙ୍କା । ନେଦରଲ୍ୟାଣ୍ଡସକୁ 5 ୱିକେଟରେ ହରାଇଛି ଦଳ ।

ଲକ୍ଷ୍ନୌରେ ଶ୍ରୀଲଙ୍କା-ନେଦରଲ୍ୟାଣ୍ଡ୍ସ ମଧ୍ୟରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ନେଦରଲ୍ୟାଣ୍ଡସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଦଳ 49.4 ଓଭରରେ ସମସ୍ତ ୱିକେଟ୍ ହରାଇ 262 ରନ୍ ସଂଗ୍ରହ କରିଥିଲା । 263 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଶ୍ରୀଲଙ୍କା ଚତୁର୍ଥ ଓଭରରେ କୁଶଲ ପେରେରାଙ୍କ ୱିକେଟ୍ ହରାଇଥିଲା । ସେ 5 ରନ୍ କରି ଆଉଟ୍ ହୋଇଯାଇଥିଲେ । ସେହିଭଳି 9.3 ଓଭରରେ ଦଳ ଅଧିନାୟକ କୁଶଲ ମେଣ୍ଡିସ 11 ରନ୍ରେ ଆଉଟ୍ ହୋଇଯାଇଥିଲେ ।
10 ଓଭରରେ 2 ଟି ୱିକେଟ୍ ହରାଇବା ପରେ ଶ୍ରୀଲଙ୍କାର ଅବସ୍ଥା ଖରାପ ହେବା ନେଇ ଆଶଙ୍କା କରାଯାଉଥିଲା । କିନ୍ତୁ, ସଦୀରା ସମରାବିକ୍ରମା ପାଳି ସମ୍ଭାଳିଥିଲେ । ସେ ଅପରାଜେୟ ରହି ଦଳକୁ ବିଜୟ ପଥରେ ଆଗେଇ ନେଇଥିଲେ । ସେ 107 ଟି ବଲ୍ରୁ 7 ଟି ଚୌକା ସହାୟତାରେ 91 ରନ୍ କରିଥିଲେ ।
ଓପନର ପଥୁମ ନିଶାଙ୍କ 52 ବଲ୍ରୁ 9 ଚୌକା ସହାୟତାରେ 54 ରନ୍ କରିଥିଲେ । ନିଶାଙ୍କ ଆଉଟ୍ ହେବା ପରେ ମ୍ୟାଚ୍କୁ ଆଗେଇ ନେଇଥିଲେ ସଦୀରା ଓ ଚରିଥା ଅସଲଙ୍କା । ପ୍ରଥମ ବିଜୟ ସହିତ ଶ୍ରୀଲଙ୍କା ପଏଣ୍ଟ ତାଲିକାରେ ଆଫଗାନିସ୍ତାନ ଉପରକୁ ନବମ ସ୍ଥାନରେ ରହିଛି । ଦଳକୁ ମାତ୍ର 2 ପଏଣ୍ଟ ମିଳିଛି ।












Click it and Unblock the Notifications