Asian Games: ତୁଟିଲା ଯୁବରାଜଙ୍କ ରେକର୍ଡ, 9 ବଲରେ ଅର୍ଦ୍ଧଶତକ କଲେ ଏହି ଖେଳାଳୀ
Asian Games: ଭାଙ୍ଗିଲା ଯୁବରାଜ ସିଂହଙ୍କ ରେକର୍ଡ । ଟି-20 ଫର୍ମାଟରେ 12 ବଲରେ 50 ରନ୍ କରି ନିଜ ନାଁରେ ଥିବା ରେକର୍ଡ ଭାଙ୍ଗିଛନ୍ତି ନେପାଳର ଦୀପେନ୍ଦ୍ର ସିଂହ । ଗତକାଲି ନେପାଳ ଓ ମଙ୍ଗୋଲିଆ ମଧ୍ୟରେ ଖେଳାଯାଇଥିବା ଟି-20 ମ୍ୟାଚରେ ଯୁବରାଜଙ୍କ ରେକର୍ଡ ଭାଙ୍ଗିଛନ୍ତି ନେପାଳର ଏହି ଯୁବ ଖେଳାଳି । ମାତ୍ର 9 ବଲରେ 50 ରନ୍ କରି ନିଜ ନାଁରେ ନୂଆ ରେକର୍ଡ କରିଛନ୍ତି ଦୀପେନ୍ଦ୍ର ।
କେବଳ ଏତିକି ନୁହଁ ଏହି ମ୍ୟାଚରେ ଆହୁରି ଅନେକ ରେକର୍ଡ ଭାଙ୍ଗିଛି । ଦ୍ରୁତତମ ଶତକ, ଦ୍ରୁତତମ ଅର୍ଦ୍ଧଶତକ, ସର୍ବାଧିକ ଦଳୀୟ ସ୍କୋର, ସର୍ବାଧିକ ରନ୍ ବ୍ୟବଧାନରେ ବିଜୟ, ସବୁ ରେକର୍ଡ ହୋଇଛି ନେପାଳ ଓ ମଙ୍ଗୋଲିଆ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ।

ଏହି ରୋମାଞ୍ଚକର ମ୍ୟାଚରେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ ମଧ୍ୟ ହୋଇଛି । କୁଶଲ ମଲ୍ଲା ନିଜ ନାଁରେ କରିଛନ୍ତି ଏହି ରେକର୍ଡ । ସେ ମାତ୍ର 34 ବଲରେ ଶତକ ହାସଲ କରିଛନ୍ତି । ଏହା ପରେ ସେ ଡେଭିଡ୍ ମିଲର ଓ ରୋହିତ ଶର୍ମାଙ୍କ 35 ବଲରେ ଶତକ ରେକର୍ଡକୁ ଭାଙ୍ଗିଛନ୍ତି । ମଲ୍ଲା ଧୁଆଁଧାର ବ୍ୟାଟିଂ କରି ମାତ୍ର 50 ବଲରେ 8 ଚୌକା ଓ 12 ଛକା ସହ ମୋଟ୍ 137 ରନ୍ କରିଛନ୍ତି ।
ଏହି ଦୁଇ ଜଣଙ୍କ ସହ ରୋହିତ ପୌଡେଲ 27 ବଲରୁ 61 ରନ୍ କରି ଦଳୀୟ ସ୍କୋରକୁ 314 ପର୍ଯ୍ୟନ୍ତ ପହଞ୍ଚାଇଥିଲେ । ଯାହା ଟି-20 ଫର୍ମାଟର ସର୍ବାଧିକ ଦଳୀୟ ସ୍କୋର । ଏହି ତିନି ରେକର୍ଡ ସହ ଚତୁର୍ଥ ରେକର୍ଡ ଆସିଛି ସର୍ବାଧିକ ରନ୍ ବ୍ୟବଧାନରେ ବିଜୟ ଭାବେ ।
315 ରନର ବିଜୟ ଲକ୍ଷ୍ୟ ପିଛା କରି ମଙ୍ଗୋଲିଆ ମାତ୍ର 41 ରନରେ ଅଲ୍ଆଉଟ୍ ହୋଇଯାଇଛି । ବଡ଼ କଥା ହେଉଛି 41 ରନରୁ 23 ରନ୍ ଆସିଛି ଏକ୍ସଟ୍ରା ଭାବେ । ନେପାଳ 273 ରନରେ ବିଜୟ ଲାଭ କରିବା ସହ ଏହା ମଧ୍ୟ ଏକ ରେକର୍ଡ ହୋଇଛି ।












Click it and Unblock the Notifications