Asia Cup Final: ସିଂହଳୀ ଦଳକୁ ଭେଟିବ ଭାରତ, 5 ବର୍ଷ ପରେ ବଡ଼ ଟ୍ରଫି ଆଶାରେ ଭାରତୀୟ ଟିମ୍
Asia Cup 2023 Final: ଆଜି ମହା ମୁକାବିଲା । ଏସିଆ କପ କ୍ରିକେଟର ଫାଇନାଲ ମ୍ୟାଚରେ ଭାରତ ଆଜି ସିଂହଳୀ ଦଳକୁ ଭେଟିବ । ଘରୋଇ ମାଟିରେ ଶ୍ରୀଲଙ୍କା ଶକ୍ତିଶାଳୀ ଦଳ ଭାବେ ପ୍ରମାଣିତ କରିଥିବାରୁ ଭାରତ ପାଖରେ ମଧ୍ୟ ଆହ୍ୱାନ ରହିବ । ଉଭୟ ଦଳ ପାଇଁ ବିଶେଷ କରି ଭାରତ ପାଇଁ ବିଶ୍ୱକପ୍ ପୂର୍ବରୁ ଏସିଆ କପ୍ ବିଜୟ ନିଶ୍ଚିତ ଗୁରୁତ୍ୱପୂର୍ଣ୍ଣ ହୋଇଛି । କାରଣ ଟ୍ରଫି ବିଜୟ ନିଶ୍ଚିତ ଖେଳାଳିଙ୍କ ମନୋବଳକୁ ବଢ଼ାଇବ । ଗତବର୍ଷ ଅନୁଷ୍ଠିତ ଏସିଆ କପ୍ ସୁପର୍ ଫୋର୍ ପର୍ଯ୍ୟାୟରେ ଶ୍ରୀଲଙ୍କା ଓ ପାକିସ୍ତାନଠାରୁ ହାରିଯିବାରୁ ଭାରତ ଆଗକୁ ବଢ଼ିପାରିନଥିଲା ।

ଅପରପକ୍ଷରେ 5 ବର୍ଷ ଧରି ଭାରତୀୟ ଟିମ କୌଣସି ବଡ ଟୁର୍ଣ୍ଣାମେଣ୍ଟ ଜିତି ନ ଥିବାରୁ ଏଥର ସୁବର୍ଣ୍ଣ ସୁଯୋଗ ରହିଛି । 2018 ରେ ଭାରତ ଶେଷ ଥର ଏସିଆ କପ ଜିତିଥିଲା । ଏହା ପରେ ଭାରତ ଆଇସିସିର 5 ଓ ଏସିସିର ଗୋଟିଏ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ ମଧ୍ୟ ଚାମ୍ପିୟନ ହୋଇପାରି ନାହିଁ । 2013 ରେ ଭାରତ ଶେଷ ଥର ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିଥିଲା । 10 ବର୍ଷରେ ଟିମ ଇଣ୍ଡିଆ 13 ଟି ଟୁର୍ଣ୍ଣାମେଣ୍ଟ ଖେଳିଛି, ଏଥିରେ କେବଳ 2 ଥର ଏସିଆ କପ ଜିତିପାରିଛି । ଏହା ମଧ୍ୟରେ 4 ଟି ଟି-20 ବିଶ୍ୱକପ ଖେଳି ନକଆଉଟ ପର୍ଯ୍ୟାୟ ପାର କରିପାରିନି ।
2014 ରେ ଫାଇନାଲରେ ଏବଂ 2016 ରେ ସେମିରେ ପରାଜିତ ହୋଇଥିଲା । ସେହିପରି ଏହି ସମୟ ମଧ୍ୟରେ 2 ଟି ଦିନିକିଆ ବିଶ୍ୱକପ ଖେଳି ସେମିଫାଇନାଲ ପାର କରିପାରିନି । ଏଥର ଦିନିକିଆ ବିଶ୍ୱକପ ଭାରତରେ ଆୟୋଜିତ ହେବ । ଏସିଆ କପ ଜିତି ଭାରତ ବିଜୟଧାରାକୁ ଫେରିବା ସହ ଘରୋଇ ପରିବେଶରେ ପ୍ରଶଂସକକୁ ଆଗକୁ ବିଶ୍ୱକପ ଭେଟି ଦେଇପାରେ । ତେବେ କଲମ୍ବୋରେ ବର୍ଷା ଫାଇନାଲ ମ୍ୟାଚରେ ବାଧା ସୃଷ୍ଟି କରିବା ସମ୍ଭାବନା ରହିଛି ।












Click it and Unblock the Notifications