‘ସାକିବ ଓ ବାଂଲାଦେଶ ପ୍ରତି ଆଉ ସମ୍ମାନ ନାହିଁ, ଏମିତି ଲଜ୍ଜାଜନକ କାମ କୌଣସି ଦଳ କରିବେ ନାହିଁ'
Mathews Timed Out: କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ କୌଣସି ବଲ୍ ନ ଖେଳି ବି ଆଉଟ୍ ହୋଇଛନ୍ତି ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ମାଥ୍ୟୁସ୍ । ଚଳତି ବିଶ୍ୱକପରେ ଶ୍ରୀଲଙ୍କା ବାଂଲାଦେଶ ବିପକ୍ଷ ମ୍ୟାଚ୍ ସମୟରେ ଦେଖିବାକୁ ମିଳିଛି ଏଭଳି କିଛି ।
ଟାଇମ୍ ଆଉଟ୍ ହୋଇଥିଲେ ଆଞ୍ଜେଲୋ ମାଥ୍ୟୁସ୍ । ଏହା ପରେ ଏହାକୁ ନେଇ ଲାଗି ରହିଛି ଚର୍ଚ୍ଚା । ଟାଇମ୍ ଆଉଟ୍ ହୋଇଥିବା ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଏହାକୁ ଲଜ୍ଜାଜନକ ବୋଲି କହିଛନ୍ତି । ଏପରିକି ଆପିଲ୍ କରିଥିବା ସାକିବ୍ ଏବଂ ବାଂଲାଦେଶ ପ୍ରତି ଆଉ ସମ୍ମାନ ରହିବ ନାହିଁ ବୋଲି କହିଛନ୍ତି ମାଥ୍ୟୁସ୍ ।

ଏହା ପରେ ବାଂଲାଦେଶ ଉପରେ ବର୍ଷିଛନ୍ତି ମାଥ୍ୟୁସ୍ । ସେ କହିଛନ୍ତି, ସାକିବ ଓ ବାଂଲାଦେଶର ଏଭଳି କାର୍ଯ୍ୟ ଅତ୍ୟନ୍ତ ଲଜ୍ଜାଜନକ । ଏଭଳି କାମ ଅନ୍ୟ କୌଣସି ଟିମ୍ କରିବେନି । ପୂର୍ବରୁ ସାକିବ ଓ ବାଂଲାଦେଶ ପ୍ରତି ଯେଉଁ ସମ୍ମାନ ଥିଲା ତାହା ଆଉ ନାହିଁ । ମୁଁ ମ୍ୟାଚରେ ଜାଣିଶୁଣି କୌଣସି ସମୟ ନଷ୍ଟ କରୁନଥିଲି । ନିର୍ଦ୍ଧାରିତ ସମୟର 5 ସେକେଣ୍ଡ ପୂର୍ବରୁ କ୍ରିଜରେ ପହଞ୍ଚିଥିଲି । କିନ୍ତୁ ବଲ୍ ଖେଳିବା ପୂର୍ବରୁ ହେଲମେଟର ଫିତା ଛିଡି ଯାଇଥିଲା । ବଲ୍ ଖେଳିବା ପୂର୍ବରୁ ଯଦି ହେଲମେଟରେ ସମସ୍ୟା ଦେଖାଦେବ ତେବେ ମୁଁ ବା କଣ କରିପାରିବି? ଏହା ଖେଳାଳୀଙ୍କର ସୁରକ୍ଷାର ପ୍ରଶ୍ନ । ଯଦି ୱିକେଟକିପର ସ୍ପିନରଙ୍କ ବିପକ୍ଷରେ ବିନା ହେଲମେଟରେ କିପିଂ କରିପାରିବେନି ତେବେ ବିନା ହେଲମେଟରେ ଦ୍ରୁତ ବୋଲରଙ୍କୁ ମୁଁ କେମିତି ସାମ୍ନା କରିପାରିବି?
ଅମ୍ପାୟାର ମୋତେ ଆଉଟ ଦେବା ପୂର୍ବରୁ ଏହାର ତର୍ଜମା କରିବାର ଆବଶ୍ୟକତା ଥିଲା । ଯଦି ଆମ ପାଖରେ ସବୁ ଯାଞ୍ଚ କରିବାର ଜ୍ଞାନକୌଶଳ ଅଛି ତେବେ ଏହାର ବ୍ୟବହାର ହେବା ଉଚିତ୍ । ଏହି ଘଟଣାର ପୂରା ଭିଡ଼ିଓ ଆମ ପାଖରେ ଅଛି ଯେ, ମୁଁ ନିର୍ଦ୍ଧାରିତ ସମୟ ପୂର୍ବରୁ କ୍ରିଜରେ ପହଞ୍ଚିଥିଲି ।
ଏହା ସହ ମାଥ୍ୟୁସ୍ କହିଛନ୍ତି, ଯଦି ଏଭଳି ଭାବେ କ୍ରିକେଟ ଖେଳିବାକୁ ଚାହୁଁଛନ୍ତି ତେବେ ଏହା ଲଜ୍ଜାଜନକ । ଅନ୍ୟ କୌଣସି ଟିମ୍ ଏଭଳି ଲଜ୍ଜାଜନକ କାମ କରିନଥାନ୍ତେ । ସାକିବଙ୍କୁ ଅପିଲ ପ୍ରତ୍ୟାହାର କରିନେବାକୁ କହିଥିଲେ ମଧ୍ୟ ସେ ଏହାକୁ ଶୁଣିନଥିଲେ । ଏହି ଘଟଣାକୁ ନେଇ ସୋସିଆଲ ମିଡ଼ିଆରେ ସାକିବଙ୍କ ଉପରେ ବର୍ଷିଛନ୍ତି ୟୁଜର୍ସ । କେବଳ ଏତିକି ନୁହେଁ ମ୍ୟାଚ୍ ଉଭୟ ଟିମର ଖେଳାଳୀ ହାତ ମିଳାଇନଥିଲେ । ଯାହାକୁ ନେଇ ମାଥ୍ୟୁଜ୍ କହିଛନ୍ତି,ଯଦି କୌଣସି ଟିମ ଆମର ସମ୍ମାନ କରୁନାହିଁ ତେବେ ଆମେ ମଧ୍ୟ ସେମାନଙ୍କର ସମ୍ମାନ କରିବାର ଆବଶ୍ୟକତା ନାହିଁ ।
ଅନ୍ୟପଟେ ଏହି ଘଟଣାକୁ ନେଇ ସାକିବ ନିଜର ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି, ଏଭଳି ନିଷ୍ପତ୍ତି ଉପରେ ସେ ଆଦୌ ଅନୁତପ୍ତ ନୁହେଁ କାରଣ ଏହା ନିୟମ ଭିତରେ ଆସୁଛି । ଯେତେବେଳେ ଖେଳରେ ବିଳମ୍ବ ହୋଇଥିଲା ସେତେବେଳେ ମୋ ସାଥୀ ଖେଳାଳୀ ଏହି ନିୟମ ବାବଦରେ କହିଥିଲେ । ମୁଁ ଅପିଲ କରିବାରୁ ଅମ୍ପାୟାର ଆଉଟ ଦେଇଥିଲେ । ମାଥ୍ୟୁଜ୍ ମୋତେ ଅପିଲ ଫେରାଇନେବାକୁ କହିଥିଲେ କିନ୍ତୁ ନିୟମ ଅନୁସାରେ ମାଥ୍ୟୁସ୍ ଆଉଟ ହୋଇଛନ୍ତି ।
ଆଇସିସିର ନିୟମ ଅନୁଯାୟୀ, ଜଣେ ଖେଳାଳୀ ଆଉଟ ହେବାର 2 ମିନିଟ୍ ମଧ୍ୟରେ ଅନ୍ୟ ଜଣେ ଖେଳାଳୀ କ୍ରିଜରେ ପହଞ୍ଚି ଖେଳିବାକୁ ପ୍ରସ୍ତୁତ ହେବା କଥା । ମାଥ୍ୟୁସ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିଥିଲେ ମଧ୍ୟ ବ୍ୟାଟିଂ କରିବା ପୂର୍ବରୁ ହେଲମେଟରେ ସମସ୍ୟା ଦେଖାଦେବାରୁ ଏହାକୁ ବଦଳାଇବାକୁ କ୍ରିଜ୍ ଛାଡିଥିଲେ । ହେଲମେଟ ବଦଳାଇ ପୁଣିଥରେ କ୍ରିଜକୁ ଫେରିବା ପୂର୍ବରୁ ନିର୍ଦ୍ଧାରିତ ସମୟ ଶେଷ ହୋଇଥିଲା । ଯାହାକୁ ନେଇ ବାଂଲାଦେଶ ଅଧିନାୟକ ମାଥ୍ୟୁସଙ୍କୁ ଆଉଟ କରିବାକୁ ଅପିଲ କରିଥିଲେ ଏବଂ ନିୟମ ଅନୁସାରେ ଅମ୍ପାୟାର ମାଥ୍ୟୁଜଙ୍କୁ ଆଉଟ ଘୋଷିତ କରିଥିଲେ ।
ଆପଣଙ୍କୁ କହି ରଖୁଛୁ କ୍ରିକେଟର 146 ବର୍ଷର ଇତିହାସରେ ଆଞ୍ଜେଲୋ ମାଥ୍ୟୁସ୍ ପ୍ରଥମ ଥର TIMED OUT ହୋଇଥିଲେ । ଆଇସିସି ନିୟମର ଧାରା 40.1.1 ଅନୁଯାୟୀ, ଯଦି ଜଣେ ବ୍ୟାଟ୍ସମ୍ୟାନ୍ ଆଉଟ୍ ହୁଏ କିମ୍ବା ରିଟାୟର ହୁଏ, ତେବେ ନୂତନ ବ୍ୟାଟର ଦୁଇ ମିନିଟ୍ ମଧ୍ୟରେ ଖେଳିବାକୁ ପ୍ରସ୍ତୁତ ହେବାକୁ ପଡ଼ିବ । ଯଦି ଏହା ନହୁଏ ତେବେ ବ୍ୟାଟ୍ସମ୍ୟାନ୍ ଆଉଟ୍ ହେବେ। ବିଶେଷ କଥା ହେଉଛି ଯେ ଏହିପରି ଆଉଟ୍ ହେବା ପରେ ବୋଲରଙ୍କ ଆକାଉଣ୍ଟରେ ୱିକେଟ୍ ଯୋଡାଯାଏ ନାହିଁ ।
ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ପ୍ରଥମ ଥର 1877 ରେ ଖେଳାଯାଇଥିଲା ଏବଂ ସେବେଠାରୁ ଏହିପରି ଆଉଟ୍ କେହି ହୋଇ ନାହାଁନ୍ତି । 2000 ରୁ ଅଧିକ ଟେଷ୍ଟ ମ୍ୟାଚ୍, 4600 ରୁ ଅଧିକ ODI ମ୍ୟାଚ୍, 1000 ରୁ ଅଧିକ T20I ମ୍ୟାଚ ପରେ ପ୍ରଥମେ ଏହି ଆଉଟ୍ ପ୍ରଥମ ଥର ହୋଇଛନ୍ତି ।
ଏହି ଘଟଣା ପରେ ଖେଳର ସ୍ପିରିଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । କିଛି ଲୋକ ସାକିବଙ୍କ ଅପିଲକୁ ଅନସ୍ପୋର୍ଟସ ମ୍ୟାନ ବୋଲି ଯୁକ୍ତି ବାଢିଥିଲେ। ତେବେ ସାକିବ୍ ନିଜ କାମକୁ ସମର୍ଥନ କରି କହିଥିଲେ ଯେ ସେ କେବଳ ଖେଳର ନିୟମକୁ ପାଳନ କରୁଛନ୍ତି ।












Click it and Unblock the Notifications