୨୦୨୪ ନିର୍ବାଚନରେ ପ୍ରଭାବ ପକାଇବ କି କର୍ଣ୍ଣାଟକର ଫଳାଫଳ?
ଭୁବନେଶ୍ବର: କର୍ଣ୍ଣାଟକରେ କଂଗ୍ରେସର ବିଜୟକୁ ନେଇ ଉତ୍ସାହିତ ଦଳଗୁଡିକ ପାଇଁ ଏହି ତଥ୍ଯ ଭଲ ଲାଗି ନପାରେ । ତେବେ, ଏହା ଦେଶର ସେହି ରାଜନୈତିକ ପରମ୍ପରାର ଅଂଶ ବିଶେଷ ଯାହା ଆମେ କିଛି ବର୍ଷ ଧରି ଦେଖି ଆସିଛେ । ବିଗତ କିଛି ଦଶନ୍ଧି ଧରି ଦେଶରେ ବିଧାନସଭା ନିର୍ବାଚନର ଫଳାଫଳ ତା'ର ପରବର୍ତ୍ତି ଲୋକସଭା ନିର୍ବାଚନ ଫଳାଫଳ ଉପରେ ବିଶେଷ ପ୍ରଭାବ ପକାଇ ନାହିଁ ।

କର୍ଣ୍ଣାଟକରେ ୨୦୧୩ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ କଂଗ୍ରେସ ସପକ୍ଷରେ ଯାଇଥିଲା । ଉକ୍ତ ନିର୍ବାଚନରେ ୧୨୨ଟି ଆସନ ସହିତ କଂଗ୍ରେସ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିଥିଲା ଏବଂ କଂଗ୍ରେସର ଭୋଟ ପ୍ରତିଶତ ୩୬ ପ୍ରତିଶତ ଥିଲା। ତୁଳନାତ୍ମକ ଭାବରେ ବିଜେପି ତା'ର ପ୍ରତିଦ୍ବନ୍ଦୀ ଜେଡିଏସ୍ ଓ କଂଗ୍ରେସ ଠାରୁ ବହୁତ ଖରାପ ପ୍ରଦର୍ଶନ କରିଥିଲା । ୨୦୧୩ ବିଧାନସଭା ନିର୍ବାଚନରେ ମାତ୍ର ୧୯ ପ୍ରତିଶତ ଭୋଟ୍ ପାଇ ୩ୟ ସ୍ଥାନରେ ଥିଲା ବିଜେପି।
୨୦୧୪ରେ ଲୋକସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜ୍ୟ ସମେତ କର୍ଣ୍ଣାଟକରେ ଅନୁଷ୍ଠିତ ପ୍ରି-ପୋଲ୍ ସର୍ଭେରେ ମଧ୍ଯ କଂଗ୍ରେସ ଅଧିକ ଲୋକସଭା ଆସନ ହାସଲ କରିବା ନେଇ ପୂର୍ବାନୁମାନ କରାଯାଇଥିଲା । ବିଧାନସଭା ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା ବିଜେପି କର୍ଣ୍ଣାଟକରେ ୨୮ରୁ ୧୮ଟି ଲୋକସଭା ଆସନ ଅକ୍ତିଆର କରିବାରେ ସକ୍ଷମ ହୋଇଥିଲା ।
ସେହିପରି ଅନ୍ୟ ରାଜ୍ୟର ପରିସ୍ଥିତିକୁ ବିଶ୍ଳେଷଣ କରିବା । ୨୦୧୨ ମସିହାରେ ସବୁଠାରୁ ବଡ ରାଜ୍ୟ ଉତ୍ତରପ୍ରଦେଶରେ ଅନୁଷ୍ଠିତ ହୋଇଥିଲା ବିଧାନସଭା ନିର୍ବାଚନ । ଏଥିରେ ସମସ୍ତଙ୍କୁ ମାତ୍ ଦେଇ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ବହୁମତ ହାସଲ କରିଥିଲା । ଉକ୍ତ ନିର୍ବାଚନରେ ବିଜେପି ବହୁ ପଛରେ ରହି ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା ।
ୟୁପିରେ ୨୦୧୨ ବିଧାନସଭା ନିର୍ବାଚନରେ ମାତ୍ର ୧୧ ପ୍ରତିଶତ ଭୋଟ ପାଇ ବିଜେପି ୪୭ଟି ଆସନ ପାଇଥିଲା । ତେବେ ୨୦୧୪ରେ ବିଜେପି ଓ ଏହାର ମେଣ୍ଟଦଳ ୮୦ରୁ ୭୩ଟି ଆସନ ଜିଣି ଦିଲ୍ଲୀ ଦଖଲ କରିଥିଲା । କେବଳ ସୋନିଆ, ରାହୁଳ ଏବଂ ଅଖିଳେଶଙ୍କ ପରିବାରର ୫ଜଣ ସଦସ୍ୟଙ୍କୁ ଛାଡି ସବୁ ଦଳର ସମସ୍ତଙ୍କୁ ପରାଜିତ କରିଥିଲା ବିଜେପି । ୨୦୧୪ରେ ମାତ୍ର ୧୧ପ୍ରତିଶତ ପାଇଥିବା ବିଜେପି ଦିଲ୍ଲୀ ଦଖଲ ପାଇଁ ଅପରିହାର୍ଯ୍ଯ କୁହାଯାଉଥିବା ୟୁପି ଲୋକସଭା ନିର୍ବାଚନରେ ୪୩ ପ୍ରତିଶତ ଭୋଟ ପାଇଥିଲା ।
ରାଜସ୍ଥାନର ଓ ମଧ୍ୟପ୍ରଦେଶର ଉଦାହରଣ: ୨୦୧୮ରେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ବଡ ଦଳ ଭାବରେ ବିଜୟ ହାସଲ କରି କ୍ଷମତାକୁ ଆସିଥିଲା । ଏହାର ପରବର୍ତ୍ତି ବର୍ଷ ହୋଇଥିବା ଲୋକସଭା ନିର୍ବାଚନରେ ଐତିହାସିକ ବିଜୟ ଲାଭ କରିଥିଲା ବିଜେପି । ରାଜସ୍ଥାନରେ ୨୫ରୁ ୨୪ଟି ଏବଂ ମଧ୍ୟପ୍ରଦେଶରେ ୨୮ରୁ ୨୭ଟି ଲୋକସଭା ଆସନ ଦଖଲ କରି ବିରୋଧୀ ଦଳଗୁଡିକୁ ଭୟଙ୍କର ପରାଜୟର ସ୍ବାଦ ଚଖାଇଥିଲା ବିଜେପି ।
ସୂଚନାଯୋଗ୍ଯ ଯେ, ୨୦୧୮ରେ କଂଗ୍ରେସ ରାଜସ୍ଥାନରେ କର୍ଣ୍ଣାଟକ ଭଳି ଭଲ ପ୍ରଦର୍ଶନ କରିଥିଲା । ଉକ୍ତ ନିର୍ବାଚନରେ ଦଳ ୧୧୪ ଆସନ ପାଇଥିଲା ଯାହାକି ୨୦୧୩ରେ ପାଇଥିବା ୫୮ଟି ଆସନ ତୁଳନାରେ ଅପେକ୍ଷାକୃତ ଭଲ ଥିଲା । ରାଜସ୍ଥାନରେ ୨୦୧୮ ବିଧାନସଭାର ନିର୍ବାଚନରେ କଂଗ୍ରେସ ୩୯ ପ୍ରତିଶତ ଭୋଟ୍ ପାଇଥିଲେ ମଧ୍ଯ ୨୦୧୯ ଲୋକସଭା ନିର୍ବାଚନରେ ସେହି ଭୋଟକୁ ଲୋକସଭା ଆସନ ଜିଣିବା ଦିଗରେ ବିଫଳ ହୋଇଥିଲା ।
ଏହିସବୁ କାରଣ ବି ରହିଛି: ବିଧାନସଭା ନିର୍ବାଚନ ସମୟରେ ରାଜ୍ୟର ସ୍ଥାନୀୟ ପ୍ରସଙ୍ଗ, ପ୍ରାର୍ଥୀ ଚୟନ ଏବଂ ଆଞ୍ଚଳିକ ଦଳର ଭୋଟ ସମୀକରଣ ତଥା ଭୋଟ ସ୍ବିଙ୍ଗ୍ ହେବା ଇତ୍ୟାଦି ବିଷୟ ପ୍ରଭାବିତ କରିଥାଏ । ଲୋକସଭା ନିର୍ବାଚନରେ ସ୍ଥାନୀୟ ପ୍ରସଙ୍ଗ ଅପେକ୍ଷା ଜାତୀୟ ପ୍ରସଙ୍ଗ, ନେତୃତ୍ବ, ରାଷ୍ଟ୍ରୀୟ ବିଚାରଧାରା, ଦରଦାମ ବୃଦ୍ଧି ତଥା ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗ ନିର୍ବାଚନକୁ ପ୍ରଭାବିତ କରିଥାଏ । ବିଭିନ୍ନ ଛୋଟ ଦଳର ଭୋଟ ଧ୍ରୁବୀକରଣ ମଧ୍ଯ ପ୍ରଭାବିତ କରିଥାଏ ନିର୍ବାଚନକୁ । ଏହିସବୁ କାରଣକୁ ଦେଖିଲେ କର୍ଣ୍ଣାଟକ ନିର୍ବାଚନର ଫଳାଫଳ ମୋଦୀଙ୍କ ନେତୃତ୍ବରେ ଲଢୁଥିବା ବିଜେପିକୁ କେତେଦର ବ୍ରେକ୍ ଦେଇପାରିବ ତାହା ସହଜରେ କହିହେବ ନାହିଁ ।












Click it and Unblock the Notifications