ଭୁବନେଶ୍ୱରରୁ ନିର୍ବାଚନ ଲଢ଼ିବେ କି ବିଜୟ ? ପୃଥ୍ୱୀବଲ୍ଲଭ ଓ ସୁର ରାଉତରାୟଙ୍କୁ ଭେଟିଲା ପରେ ବଢିଲା ଚର୍ଚ୍ଚା
ଆଜି ବିଜୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁତ୍ର ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ଭେଟିଛନ୍ତି ।

ଭୁବନେଶ୍ୱର: ନିକଟରେ କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକଙ୍କୁ ନେଇ ଏବେ ରାଜ୍ୟ ରାଜନୀତିରେ ଅନେକ ଚର୍ଚ୍ଚା ଲାଗି ରହିଛି । ଇତି ମଧ୍ୟରେ ଆଜି ବିଜୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁତ୍ର ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ଭେଟିଛନ୍ତି ।
ତେବେ ଏହି ଭେଟଘାଟ୍ ପରେ ବିଜୟ କାଳେ ଭୁବନେଶ୍ୱରରୁ ସାଂସଦ ଭାବେ ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ଉଭୟ ସୁର ରାଉତରାୟ ଓ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଭୁବନେଶ୍ୱର ସାଂସଦୀୟ କ୍ଷେତ୍ର ଅଧୀନ ଜଟଣୀ ତଥା ବେଗୁନିଆର ଟାଣୁଆ ନେତା । ତେଣୁ ସେମାନଙ୍କ ସହ ବିଜୟ ପଟ୍ଟନାୟକଙ୍କ ସୌଜନ୍ୟମୂଳକ ସାକ୍ଷାତକୁ ନେଇ ଅଙ୍କ କଷିବା ଆରମ୍ଭ କଲେଣି ରାଜନୈତିକ ବିଶେଷଜ୍ଞ । ସେପଟେ ସୁର ରାଉତ ରାୟ ନିଜେ ମଧ୍ୟ ବିଜୟଙ୍କୁ ଏହି ପ୍ରସ୍ତାବ ଦେଇଥିବା ଜଣାପଡିଛି ।
ତେବେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକଙ୍କୁ ଭେଟିବା ପରେ ବିଜୟ କହିଛନ୍ତି, ଏ ଘର ସହ ମୋର ବହୁତ ସ୍ମୃତି ଯୋଡ଼ି ହୋଇ ରହିଛି। ମୋର ଜାନକୀବାବୁଙ୍କ ସହ ବହୁତ ନିବିଡ଼ ସମ୍ପର୍କ ଥିଲା । ତାଙ୍କ କାମ କରିବାର ଶୈଳୀ ଥିଲା ସ୍ଵତନ୍ତ୍ର। ସେ ସବୁ କର୍ମଚାରୀଙ୍କୁ ସମ୍ମାନ ଦେଉଥିଲେ । ତାଙ୍କ ସମୟରେ ସରକାରୀ କର୍ମଚାରୀ ରାଜନୀତିରେ କି ରାଜନୈତିକ ବ୍ୟକ୍ତି ସରକାରୀ କାମରେ ହସ୍ତକ୍ଷେପ କରୁ ନଥିଲେ।
ଏଣେ ପୃଥ୍ୱୀବଲ୍ଲଭ ପଟ୍ଟନାୟକ କହିଛନ୍ତି, ସେ ମୋ ବାପାଙ୍କ ସହିତ ବହୁତ ଦିନ ଧରି କାମ କରିଛନ୍ତି। ତାଙ୍କ ବିଷୟରେ ଅନେକ କଥା ବିଜୟବାବୁ ଜାଣିଛନ୍ତି ସେସବୁ ଶୁଣି ଖୁସି ଲାଗିଲା । ନିର୍ବାଚନ ପ୍ରକ୍ରିୟା ତ ଏଯାଏ ଆରମ୍ଭ ହେଇନି, ଏଇଠି କେବଳ ଆମେ ଦେଖା ସାକ୍ଷାତ ପାଇଁ ଆସିଛୁ। ମୁଁ କଂଗ୍ରେସର ସଂଗଠନକୁ କେବଳ ସୁଦୃଢ଼ କରିବା ପାଇଁ ଚେଷ୍ଟା କରୁଛି।
ସେହିପରି ବିଧାୟକ ସୁର ରାଉତରାୟଙ୍କୁ ମଧ୍ୟ ଭେଟିଛନ୍ତି ବିଜୟ ପଟ୍ଟନାୟକ । ସକାଳୁ ସକାଳୁ ସୁର ରାଉତରାୟଙ୍କୁ ଭେଟି ଓଡ଼ିଶା ରାଜନୀତି ସହ କଂଗ୍ରେସର ରାଜନୈତିକ ଭବିଷ୍ୟତକୁ ନେଇ ଆଲୋଚନା କରିଥିବା ଜଣାପଡ଼ିଛି । ଏହି ଅବସରରେ ସୁର ରାଉତରାୟ କହିଛନ୍ତି ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗ ଦେଲେ ମୁଁ ୧୦୦ % ହାପି । କଂଗ୍ରେସକୁ ତାଙ୍କ ପରି କ୍ଲିନ ଇମେଜ ବ୍ୟକ୍ତି ଦରକାର। ସେ ଠିକ ସମୟରେ ଆସିଛନ୍ତି । ତାଙ୍କ ପରି ନିଷ୍ଠାବାନ ଲୋକ କଂଗ୍ରେସକୁ ଲୋଡ଼ା। ଏହି ଅବସରରେ ବିଜୟ ପଟ୍ଟନାୟକ କହିଛନ୍ତି, ସୁର ଭାଇ କଲେଜରେ ମୋର ସିନିୟର। ମୁଁ ଚାକିରି କରିବା ପରେ ସେ ଥିଲେ ମନ୍ତ୍ରୀ । ତାଙ୍କ ସହ ମୋର ଘନିଷ୍ଠ ସମ୍ପର୍କ। ତେଣୁ ତାଙ୍କୁ ସାକ୍ଷାତ କରିବାକୁ ଆସିଛି।












Click it and Unblock the Notifications