ଘର ବାହୁଡ଼ିବେ ରାଜୁ ଦାସ ! ବିଗାଡ଼ି ଦେବେ କି ଧାମନଗର ଅଙ୍କ ?
ଟିକେଟ୍ ବି ମିଳିଥିଲା । ବିଧାୟକ ପ୍ରାର୍ଥୀ ହେବାକୁ ନାଁ ବି ଘୋଷଣା ହୋଇଥିଲା । ଏଥିଲାଗି ପ୍ରସ୍ତୁତି ସହ ପ୍ରଚାର ବି ଜୋରଦାର ହୋଇଥିଲା । ହେଲେ ଶେଷ ମୁହୂର୍ତ୍ତରେ ଗେମ୍ ଚେଞ୍ଜ କରିଦେଲା ଦଳ । ଅନ୍ୟ ଜଣଙ୍କୁ ଟିକେଟ୍ ଦେବା ପରେ ହରଡ଼ଘଣାରେ ପଡ଼ିଗଲେ ଧାମନଗର ପୂର୍ବତନ ବିଧାୟକ ରାଜୁ ଦାସ ।
ରାଜ୍ୟରେ ନିର୍ବାଚନ ମଧ୍ୟରେ ଏବେ ବି ଟିକେଟ୍ କୁ ନେଇ ଦେଖାଦେଇଛି ବିଦ୍ରୋହ । ଏଥି ମଧ୍ୟରେ ବିଜେପିରୁ ଇସ୍ତଫା ଦେଇଛନ୍ତି ଧାମନଗର ପୂର୍ବତନ ବିଧାୟକ ରାଜୁ ଦାସ । ଦଳ ତାଙ୍କୁ ପ୍ରଥମେ ସୋରକୁ ବିଧାୟକ ପ୍ରାର୍ଥୀ କରିଥିଲା । ଶେଷ ମୁହୂର୍ତ୍ତରେ ନାମାଙ୍କନ ଦାଖଲ ପୂର୍ବରୁ ବିଜେପି ରାଜୁଙ୍କ ଟିକେଟ୍ କାଟି ପର୍ଶୁରାମ ଧଡ଼ାଙ୍କୁ ପ୍ରାର୍ଥୀ କରିଥିଲା । ସେ ନାମାଙ୍କନ ମଧ୍ୟ ଦାଖଲ କରିଛନ୍ତି । ଏହା ପରେ ଅସନ୍ତୁଷ୍ଟ ରାଜୁ ଦାସ ବିଜେପିରୁ ଇସ୍ତଫା ଦେଇଛନ୍ତି ।

ପର୍ଶୁରାମ ବର୍ତ୍ତମାନ ବିଧାୟକ ଅଛନ୍ତି ଓ ବିଜେଡି ଟିକେଟ ନ ମିଳିବାରୁ ସେ ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ । 2009 ନିର୍ବାଚନରେ ପର୍ଶୁରାମ ଧଡା ବିଜେପି ଟିକେଟରେ ସୋର ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ଏହାପରେ ସେ ବିଜେଡିରେ ଯୋଗ ଦେଇଥିଲେ ଏବଂ 2014 ଓ 2019 ରେ ଦୁଇଥର ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ବିଜେଡ଼ି ଟିକେଟ୍ ନ ପାଇବାରୁ ସେ ପୁଣି ବିଜେପିକୁ ଯାଇଛନ୍ତି । ଏହା ପରେ ବିଜେପି ତାଙ୍କୁ ସୋରରୁ ବିଧାୟକ ପ୍ରାର୍ଥୀ କରିଛି ।
ସେପଟେ ବିଜେପି ନେତା ରାଜୁ ଦାସଙ୍କ ଘର ବାହୁଡ଼ା ନେଇ ଚର୍ଚ୍ଚା ଜୋର୍ ଧରିଛି । ସେ ପୁଣି ବିଜେଡିରେ ସାମିଲ ହେବା ନେଇ କୁହାଯାଉଛି । ସୋର ବିଜେପି ରାଜୁ ଦାସଙ୍କୁ ଗ୍ରହଣ କରୁନଥିବା ମଧ୍ୟ ଚର୍ଚ୍ଚା ହେଉଛି ।
କଣ କରିବେ ରାଜୁ?
ତେବେ ଏବେ ପ୍ରଶ୍ନ ଉଠୁଛି କଣ କରିବେ ରାଜୁ ? ବିଜେପିରୁ ଇସ୍ତଫା ଦେବା ପରେ ସେ ସୋରରେ ବିଦ୍ରୋହ କରିବେ ନା ପୁଣି ଧାମନଗର ଫେରିବେ ? କୁହାଯାଉଥିଲା ରାଜୁ ପ୍ରଥମେ ଧାମନଗର କିମ୍ବା ନିକଟବର୍ତ୍ତୀ ନିର୍ବାଚନମଣ୍ଡଳୀ ବାସୁଦେବପୁରରୁ ପ୍ରାର୍ଥୀ ହେବାକୁ ଇଚ୍ଛୁକ ଥିଲେ । ଧାମନଗରରେ ଗତ ଉପନିର୍ବାଚନରେ ବିଜୟୀ ହୋଇଥିବା ସୂର୍ଯ୍ୟବଂଶୀ ସୂରଜକୁ ପୁଣି ରିପିଟ୍ କରିଛି ବିଜେପି । ଏହା ପରେ ରାଜୁଙ୍କୁ ମ୍ୟାନେଜ୍ କରିବାକୁ ସୋର ପଠାଯାଇଥିଲା । କିନ୍ତୁ ଏବେ ତାହା ବି ଫେରେଇ ନେଲା ବିଜେପି ।
ଏହା ପରେ ଯଦି ରାଜୁ ସୋରରେ ରହି ବିଦ୍ରୋହ କରନ୍ତି, ତେବେ ସେ ବିଜେପିର ଭୋଟ୍ କୁ ପ୍ରଭାବିତ କରିପାରିବେ ତ ? କିମ୍ବା ନିଜ ମାଟି ଧାମନଗର ଫେରି ବିଜେପି ବିରୋଧରେ ବଳ ଲଗାଇବେ । ଏମିତି ବି ଯଦି ରାଜୁ ବିଜେଡ଼ିକୁ ଫେରି ଧାମନଗରରେ ବିଜେପି ବିରୋଧରେ ମୋର୍ଚ୍ଚା ଧରନ୍ତି ତେବେ ଏଠାରେ ମଧ୍ୟ ବିଜେପି ଭୋଟ୍ ହାର ଉପରେ ପ୍ରଭାବ ପଡ଼ିପାରେ । କାରଣ, 2009 ରେ ଧାମନଗରରୁ ବିଜେଡ଼ି ଟିକେଟ୍ ରେ ବିଧାୟକ ହୋଇଥିଲେ ରାଜୁ । ଏହାପରେ 2019ରେ ଦଳ ତାଙ୍କୁ ରିପିଟ୍ କରିଥିଲେ ବି ସେ ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଠାରୁ ପରାସ୍ତ ହୋଇଥିଲେ । ଏହା ପରେ 2022 ଉପନିର୍ବାଚନରେ ବିଜେଡ଼ି ଟିକେଟ୍ ନ ଦେବାରୁ ସେ ସ୍ୱାଧୀନ ପ୍ରାର୍ଥୀ ହୋଇଥିଲେ ।
ବିଗାଡିବେ ଧାମନଗର ଅଙ୍କ ?
ଧାମନଗରରେ ଦୁଇ ଥର ବିଧାୟକ ହୋଇଥିବା ରାଜୁ ଯଦି ବିଜେଡ଼ିକୁ ଫେରନ୍ତି, ତେବେ ସେ ନିଜର ସମର୍ଥକଙ୍କ ସହ ବିଜେପି ଭୋଟ୍ କୁ ପ୍ରଭାବିତ କରିପାରନ୍ତି । ଏମିତି ବି ଧାମନଗରରେ ବିଜେଡ଼ିର ଭଲ ଭୋଟ୍ ରହିଛି । ଏହା ସହ ଯଦି ରାଜୁ ନିଜର ସମର୍ଥନ ଦିଅନ୍ତି, ତେବେ ବିଜେପିକୁ କ୍ଷତି ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।
ତେବେ ଆଗାମୀ ରଣନୀତି କଣ ରହିବ, ସେ ସ୍ୱାଧୀନ ହୋଇ ସୋରରୁ ନିର୍ବାଚନ ଲଢିବେ ନା ଧାମନଗରରେ ବିଜେପିକୁ ଚେକ୍ ଦେବାରେ ବିଜେଡ଼ି ସହ ହାତ ମିଳାଇବେ ତାହା ଦେଖିବା ବାକି ରହିଲା ।












Click it and Unblock the Notifications