ପଞ୍ଜାବରେ କାହିଁକି ଐତିହାସିକ ପରାଜୟ ବରଣ କଲା କଂଗ୍ରେସ
କ୍ଯାପଟେନଙ୍କୁ ରଖିଥିଲେ ଭଲ ହୋଇଥାନ୍ତା, ସିଦ୍ଧୁଙ୍କୁ ଛାଡିଥିଲେ ଭଲ ହୋଇଥାନ୍ତା, ଚନ୍ନୀଙ୍କୁ ବାଛିବା ଭୁଲ ହେଲା କି, ମୋଦୀଙ୍କ ଗାଡିକୁ ଅଟକାଇବା ଭୁଲ ହେଲା କି...ଏପରି ଅନେକ ଆତ୍ମ ସମୀକ୍ଷା କରିବ କଂଗ୍ରେସ। ଦଳର ଐତିହାସିକ ପରାଜୟର କାରଣ ଯାହାବି ଦର୍ଶାଯାଉ, ପ୍ରଥମେ ଦୃଶ୍ୟମାନ ହେଉଛି, ତାହା ହେଲା ଭୟଙ୍କର ଗୋଷ୍ଠୀ କନ୍ଦଳ..
ଅମୃତସର: ପଞ୍ଜାବରେ ଆସିଥିବା ରାଜନୈତିକ ଝଡ ଉଜାଡି ଦେଇଛି ଏକାଧିକ ରାଜନୈତିକ ଦଳର ଭବିଷତକୁ। ଏଥିରେ ଧରାଶାୟୀ ହୋଇଛନ୍ତି ଜଣେ ଆଶାୟୀ ମୁଖ୍ୟମନ୍ତ୍ରୀ, ଜଣେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ। ଏପରି ଦୁରବସ୍ଥା ହୋଇଛି ଯେ, ଦୁଇଟି ସ୍ଥାନରେ ନିର୍ବାଚନ ଲଢିଥିବା ମୁଖ୍ୟମନ୍ତ୍ରୀ ଚନ୍ନୀ, ସୁଖବିନଦର ସିଂହ ବାଦଲ ଦୁଇଟାଯାକ ଟି ଆସନରେ ପରାଜିତ ହୋଇଛନ୍ତି। ପରାଜୟର ବ୍ଯବଧାନ ବି କିଛି କମ ନୁହେଁ।

ଅକାଳୀ ଦଳ, କ୍ଯାପଟେନ ଅମରୀନ୍ଦରଙ୍କ ନୂତନ ରାଜନୈତିକ ଦଳ ତଥା କଂଗ୍ରେସ, ଏହି ସମସ୍ତ ଦଳ ଲୋକଙ୍କ ଦ୍ଵାରା ପ୍ରତ୍ୟାଖ୍ୟାତ ହୋଇଛନ୍ତି। କାରଣ କ'ଣ ? କାହିଁକି ଆମ ଆଦମୀ ପାର୍ଟି ଏପରି ବିପୁଳ ବିଜୟ ପ୍ରାପ୍ତ କଲା। ସରକାରୀ ବିରୋଧୀ ହାୱା ଏଥିପାଇଁ ଦାୟୀ, ଏବଂ ବିଶେଷ କରି କ୍ଯାପଟେନ ଅମରୀନ୍ଦରଙ୍କୁ ଦାୟୀ କରିଛି କଂଗ୍ରେସ। କ୍ଯାପଟେନଙ୍କୁ ରଖିଥିଲେ ଭଲ ହୋଇଥାନ୍ତା, ସିଦ୍ଧୁଙ୍କୁ ଛାଡିଥିଲେ ଭଲ ହୋଇଥାନ୍ତା, ଚନ୍ନୀଙ୍କୁ ବାଛିବା ଭୁଲ ହେଲା କି, ମୋଦୀଙ୍କ ଗାଡିକୁ ଅଟକାଇବା ଭୁଲ ହେଲା କି...ଏପରି ଅନେକ ଆତ୍ମ ସମୀକ୍ଷା କରିବ କଂଗ୍ରେସ। ଦଳର ଐତିହାସିକ ପରାଜୟର କାରଣ ଯାହାବି ଦର୍ଶାଯାଉ, ପ୍ରଥମେ ଦୃଶ୍ୟମାନ ହେଉଛି, ତାହା ହେଲା ଭୟଙ୍କର ଗୋଷ୍ଠୀ କନ୍ଦଳ।
କଂଗ୍ରେସର ଗୋଷ୍ଠୀ କନ୍ଦଳ ଅମୃତସରରୁ ଦିଲ୍ଲୀ ଯାଏଁ:
କ୍ଯାପଟେନଙ୍କୁ ରଖେଇ ଦେଲେ ନାହିଁ ସିଦ୍ଧୁ। ପ୍ରଥମେ ଦଳୀୟ ବୈଠକରେ ମନଇଚ୍ଛା କହିଲେ, ପରେ କଥା ଗଣମାଧ୍ୟମକୁ ଗଲା। କଥା ଏତିକିରେ ଥମିଲା ନାହିଁ। ଦିଲ୍ଲୀ ଯାଏଁ ଗଲା ଆଭ୍ଯନ୍ତରୀଣ ଗୋଷ୍ଠୀ କନ୍ଦଳ। କଂଗ୍ରେସର କେନ୍ଦ୍ରୀୟ ନେତୃତ୍ଵ ବାଧ୍ୟ ହେଲେ ଭଲ ଛବି ଥିବା କ୍ଯାପଟେନ ଅମରୀନ୍ଦରଙ୍କୁ ହଟାଇବା ପାଇଁ । ଏହାପରେ ଆସିଲା ଚନ୍ନୀଙ୍କ ପାଳି। ରାଜ୍ୟ ପୋଲିସ ନିର୍ଦ୍ଦେଶକଙ୍କ ନିଯୁକ୍ତି କୁ ନେଇ ଖୋଲା ଖୋଲି ଭାବରେ ମୁଖ୍ୟମନ୍ତ୍ରୀ ଚନ୍ନୀଙ୍କୁ ବିରୋଧ କଲେ ସିଦ୍ଧୁ। ରାଜ୍ୟ ପ୍ରଶାସନର ନୀତିଦିନିଆ କାମରେ ବାରମ୍ବାର କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ମୁଣ୍ଡ ଖେଳାଇବାକୁ ପଡିଲା। କୃଷି ବିରୋଧ ଆଇନରେ ଛନ୍ଦି ହୋଇ ପଡିଥିବା ବିଜେପି ଏବଂ ଏହାର ପୁରୁଣା ସାଥି ଅକାଳୀ ଦଳ ପ୍ରାୟ କୋଣ ଠେସା ହୋଇପଡିଥିଲା। ଏହି ପରିସ୍ଥିତିରେ କଂଗ୍ରେସ ପାଇଁ ରହିଥିଲା ପର୍ଯ୍ୟାପ୍ତ ସୁଯୋଗ। ନିଜେ ବାଡିଆ ପିଟା ହୋଇ ଦଳର କେତେକ ଶୀର୍ଷ ନେତୃତ୍ଵ ବହୁ କ୍ଷତି ପହଞ୍ଚାଇଲେ ନିର୍ବାଚନରେ । ଅଣ୍ଟା ଭାଙ୍ଗି ପଡିଥିବା କଂଗ୍ରେସକୁ ବହୁ କଷ୍ଟ ସ୍ଵୀକାର କରିବାକୁ ପଡିବ ପୁଣି ଥରେ ଲୋକଙ୍କ ଆସ୍ଥା ଭାଜନ ହେବା ପାଇଁ। ନିର୍ବାଚନରେ ହାରିବା, ଜିଣିବା ଗଣତନ୍ତ୍ରର ସୁନ୍ଦର ବ୍ୟବସ୍ଥା। ତେବେ ଦିନ ଦିନ ଧରି ଆସ୍ଥା ହାସଲ କରି କ୍ଷମତାର ମଙ୍ଗ ଧରିଥିବା ଗୋଟିଏ ରାଜନୈତିକ ଦଳକୁ ନିଜର ନେତାମାନେ ହିଁ କ୍ଷତି ପହଞ୍ଚାଇବା ଆଦୌ ସ୍ପୃହଣୀୟ ନୁହେଁ।












Click it and Unblock the Notifications